ଅକଳରେ ପକାଇଲା କର୍ଣ୍ଣାଟକ, କାହାରିକୁ ସ୍ପଷ୍ଟ ବହୁମତ ମିଳିଲା ନାହିଁ

ବେଙ୍ଗାଲୁରୁ: ଆସନ୍ତା ବର୍ଷ ପ୍ରଥମାର୍ଧରେ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ। ଏହି ଦୁଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିଲା କର୍ଣ୍ଣାଟକ ନିର୍ବାଚନ। ବିଜୟ ପାଇଁ କଂଗ୍ରେସ ଏବଂ ବିଜେପି ସମସ୍ତ ଶକ୍ତି ଖଟାଇ ଦେଇଥିଲେ। କିନ୍ତୁ ମତଦାତା କୌଣସି ଏକ ନିର୍ଦିଷ୍ଟ ଦଳ ସପକ୍ଷରେ ସ୍ପଷ୍ଟ ମତ ନଦେଇ ସମସ୍ତଙ୍କୁ ଅକଳରେ ପକାଇ ଦେଇଛନ୍ତି। ବିଜେପିର ବିଜୟ ରଥ ସଂଖ୍ୟାଗରିଷ୍ଠତାର ନିକଟତର ହୋଇ ଅଟକି ଯାଇଛି। ଝୁଲା ବିଧାନସଭା ସ୍ଥିତି ସ୍ପଷ୍ଟ ହୋଇଯିବା ପରେ ସରକାର ଗଠନ ପାଇଁ ଛକାପଂଝା ଚାଲିଛି। ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ ହୋଇଥିଲା ଏବଂ ଏଥିରୁ ବିଜେପି ୧୦୪ଟି ଆସନ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ କଂଗ୍ରେସକୁ ୭୮ ଏବଂ ଜେଡିଏସ୍‌କୁ ୩୮ଟି ଆସନ ମିଳିଛି। ଅନ୍ୟମାନେ ୨ଟି ଆସନ ଅକ୍ତିଆର କରିଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଠାରୁ ବିଜେପି ୮ଟି ଆସନ ଦୂରରେ ରହିଯାଇଛି । ଅନ୍ୟପକ୍ଷରେ ସରକାର ଗଠନ ପାଇଁ ଜେଡିଏସ୍‌ ସହ କଂଗ୍ରେସ ହାତ ମିଳାଇଛି ଏବଂ ଜେଡିଏସ୍‌ ନେତା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ପ୍ରସ୍ତାବ ଦେଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଧାୟକ ସଂଖ୍ୟା ଏବେ ୧୧୬ରେ ପହଞ୍ଚିଛି ଏବଂ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ୍‌ ନମ୍ବରକୁ ଏହା ଅତିକ୍ରମ କରିଛି । ଆଜି କଂଗ୍ରେସର ପରାଜୟ ସ୍ପଷ୍ଟ ହୋଇଯିବା ପରେ ଦଳ ଏ ଦିଗରେ ତତ୍ପରତା ପ୍ରକାଶ କରି ତୁରନ୍ତ ଜେଡିଏସ୍‌କୁ ସରକାର ଗଠନରେ ସହଯୋଗ କରିବାକୁ ଘୋଷଣା କରିଥିଲା। ଜେଡିଏସ୍‌ ନେତା କୁମାରସ୍ୱାମୀ କଂଗ୍ରେସର ନିଃସର୍ତ୍ତ ସମର୍ଥନ ହାସଲ କରିବା ପରେ ସରକାର ଗଠନ ପାଇଁ ତାଙ୍କ ଦାବି ଉପସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ସବୁଠାରୁ ବଡ଼ ଦଳ ଭାବେ ବିଜେପି ମଧ୍ୟ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ରାଜ୍ୟପାଳଙ୍କୁ ଦାବି ଜଣାଇଛି। ରାଜ୍ୟପାଳଙ୍କ ବଜୁଭାଇ ବାଲା ବିଜେପି ଏବଂ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଦାବି ନେଇ ଏବେ ବିଚାର କରୁଛନ୍ତି ଏବଂ ଖୁବ୍‌୍‌ଶୀଘ୍ର ତାଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି ଜଣାପଡ଼ିଛି । କଂଗ୍ରେସ ନିଜ ପରାଜୟ ସ୍ୱୀକାର କରି ଜେଡିଏସ୍‌କୁ ସମର୍ଥନ ଦେବାପାଇଁ ତତ୍କାଳ ଘୋଷଣା କରିଥିଲେ ମଧ୍ୟ ନିର୍ବାଚନ ପରବର୍ତ୍ତୀ ସମୟର ଏହି ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ କି ନାହିଁ ତାହା ରାଜ୍ୟପାଳ ବଜୁଭାଇ ବାଲାଙ୍କ ବିବେକ ଉପରେ ନିର୍ଭର କରୁଛି। ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ତଥା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍‌୍‌ ୟେଦୁରପ୍ପା, ଇଶ୍ୱରାପ୍ପା ଏବଂ ଶୋଭା କରନ୍ଦାଲାଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ବିଜେପିକୁ ସୁଯୋଗ ଦେବାକୁ ଦାବି ଉପସ୍ଥାପନ କରିଥିଲୋ। ରାଜ୍ୟପାଳ ବିଜେପିକୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଏକ ସପ୍ତାହ ସମୟ ଦେବାପାଇଁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି। ସପ୍ତାହେ ମଧ୍ୟରେ ବିଜେପି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାରେ ସଫଳ ହେବ ବୋଲି ବିଜେପି ନେତା ଅନନ୍ତ କୁମାର କହିଛନ୍ତି। ଅନ୍ୟପକ୍ଷରେ ଏଚ୍‌୍‌ଡି କୁମାରସ୍ୱାମୀଙ୍କୁ କଂଗ୍ରେସ ନିଃସର୍ତ୍ତ ସମର୍ଥନ ଦେଇଥିବାରୁ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ଏଭଳି ସ୍ଥିତିରେ ରାଜ୍ୟପାଳ କାହାକୁ ଡାକିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବିଜୟରୁ ଅଳ୍ପ ଦୂରରେ ଅଟକିଲା ବିଜେପି
ହାତ ମିଳାଇଲେ କଂଗ୍ରେସ, ଜେଡିଏସ୍‌
ସମସ୍ତଙ୍କ ନଜର ରାଜଭବନ ଉପରେ

ରାଜ୍ୟପାଳଙ୍କୁ ଭେଟିବା ପରେ କୁମାରସ୍ୱାମୀ କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ଏବଂ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ସେ ଅପେକ୍ଷା କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବାକୁ କୁମାରସ୍ୱାମୀଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ମଲ୍ଲିକାର୍ଜୁନ ଖଡଗେ ଏବଂ ସିଦ୍ଦରାମେୟା ମଧ୍ୟ ଯାଇଥିଲେ। ତେବେ କଂଗ୍ରେସର ସମର୍ଥନ ସତ୍ତ୍ୱେ ରାଜ୍ୟପାଳ ସେମାନଙ୍କୁ ସୁଯୋଗ ଦେବେ କି ନାହିଁ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ଜେଡିଏସ୍‌ର କେତେକ ବିଧାୟକ ବିଜେପି ସହିତ ସଂପର୍କରେ ଥିବା ଜଣାପଡ଼ିବା ପରେ ରାତିରେ ସ୍ଥିତି ଭିନ୍ନ ହୋଇଛି। ଜେଡିଏସ୍‌ ତୁରନ୍ତ ବିଧାୟକ ଦଳ ବୈଠକ ଡକାଇ ଏ ବାବଦରେ ଆଲୋଚନା କରିଛି। ବିଜେପିକୁ ଯଦି ସରକାର ଗଠନ ପାଇଁ ଡକାଯିବ, ତା’ହେଲେ ଜେଡିଏସ୍‌ ନିଜ ବିଧାୟକମାନଙ୍କୁ ବେଙ୍ଗାଲୁରୁ ବାହାରକୁ ପଠାଇବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସିଦ୍ଦରାମେୟ କହିଛନ୍ତି ଯେ, କଂଗ୍ରେସ ବିନା ସର୍ତ୍ତରେ ଜେଡିଏସ୍‌କୁ ସମର୍ଥନ କରିଥିବା କଥା ରାଜ୍ୟପାଳଙ୍କୁ ଅବଗତ କରିଛି ଏବଂ ସମର୍ଥନଜନିତ କୌଣସି ସମସ୍ୟା ନାହିଁ। ତେବେ ରାଜ୍ୟପାଳ ତାଙ୍କର ନିଷ୍ପତ୍ତି ଜଣାଇ ନଥିବାରୁ ସସ୍‌୍‌ପେନ୍‌୍‌ସ ଲାଗି ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ବିଜେପି ସରକାର ଗଠନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଗୋଆ ଏବଂ ମଣିପୁରରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିନଥିଲେ ମଧ୍ୟ ସେଠାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ସରକାର ଗଠନ କରି ନିଜ ରାଜନୈତିକ ଚତୁରତାର ବିରଚୟ ଦେଇଥିଲେ। ତେବେ କର୍ଣ୍ଣାଟକ ସ୍ଥିତି ଏଥିରୁ ଭିନ୍ନ ରହିଛି। କଂଗ୍ରେସ ଜେଡିଏସ୍‌ ନେତା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇ ବିଜେପିର ସମସ୍ତ କୌଶଳକୁ ପଣ୍ଡ କରିବାକୁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛି ।

ସମ୍ବନ୍ଧିତ ଖବର