ବାଟକୁ ଆସିଲା ମାଲେସିଆ, ଭାରତରୁ ଆମଦାନୀ ବଢାଇବାକୁ ପ୍ରସ୍ତାବ ଦେଲା

କ୍ୱାଲାଲୁମ୍ପୁର : ଭାରତକୁ ନିଜର ବେପାର ବୁଡିବା ଭୟ ଗ୍ରାସିଛି ମାଲେସିଆକୁ । ଭାରତ ଯଦି ଖାଇବା ତେଲ ଆମଦାନୀ ବନ୍ଦ କରେ ତେବେ ମାଲେସିଆର ଖାଇବା ତେଲ ଉଦ୍ୟୋଗ ଗୁରୁତରଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଆଗରେ ଟିକିଏ ନରମ ପଡିଯାଇଛି ମାଲେସିଆ । ଆଜି ମାଲେସିଆର ପାମ ଅଏଲ ମନ୍ତ୍ରୀ ଟେରେସା କକ୍‌ କହିଛନ୍ତି ଯେ ଭାରତ ସହିତ ବାଣିଜ୍ୟ କାରବାର ବଢାଇବାକୁ ତାଙ୍କ ଦେଶ ଆଗ୍ରହୀ । ଭାରତରୁ ଚିନି ଓ ମଇଁଷି ମାଂସ ଆମଦାନୀ ବଢାଇବାକୁ ମାଲେସିଆ ବିଚାର କରୁଛି ବୋଲି ସେ କହିଛନ୍ତି । ଗତ ଆର୍ଥିକ ବର୍ଷରେ ଭାରତ ମାଲେସିଆରୁ ପ୍ରାୟ ୧୦.୮ ବିଲିୟନ ଡଲାରର ଆମଦାନୀ କରିଥିବାବେଳେ ମାଲେସିଆ ଭାରତରୁ ମାତ୍ର ୬.୪ ବିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା ।

ଭାରତର ଅସନ୍ତୋଷ ଦୃଷ୍ଟିରୁ ଭାରତରୁ ଅଧିକ କିଣିବାକୁ ମାଲେସିଆ ପ୍ରସ୍ତାବ ଦେଇଛି ।  ଭାରତ ସରକାର ଔପଚାରିକଭାବେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନଥିବାବେଳେ ଭାରତୀୟ ତେଲ ଆମଦାନୀକାରୀମାନେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସ ପାଇଁ କୌଣସି ବୁକିଂ କରିନାହାନ୍ତି । ସରକାର ଆଗକୁ ଆମଦାନୀ ଶୁଳକ ବଢାଇପାରନ୍ତି ବୋଲି ତେଲ ଆମଦାନୀକାରୀମାନେ ଆଶଙ୍କା କରୁଛନ୍ତି । କିନ୍ତୁ ଏହାଫଳରେ ନିଜର ବଜାର ଇଣ୍ଡୋନେସିଆକୁ ଚାଲିଯିବା ଭୟ ଘାରିଛି ମାଲେସିଆକୁ ।

ସମ୍ବନ୍ଧିତ ଖବର