ଭୁବନେଶ୍ୱର: ମାନବ ସମ୍ବଳ ଓ ମାର୍କେଟିଂରେ ଏମ୍ବିଏ ଡିଗ୍ରି ହାସଲ କରିଥିବା ରାଜଧାନୀ ଭୁବନେଶ୍ୱରର କିନ୍ନର ମେଘନା ସାହୁ ଦେଶର ପ୍ରଥମ କିନ୍ନର ଟ୍ୟାକ୍ସି (କ୍ୟାବ୍) ଡ୍ରାଇଭର ହେବାର ଗୌରବ ଅର୍ଜନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂପ୍ରତି ଓଲା କ୍ୟାବ୍ରେ ଡ୍ରାଇଭର ସାଜିଥିବା ୩୦ ବର୍ଷ ବୟସ୍କା ମେଘନା କହନ୍ତି, ଲିଙ୍ଗଗତ ପାର୍ଥକ୍ୟ ଓ ବୈଷମ୍ୟ କାରଣରୁ ମୁଁ ଯେତେବେଳେ ମୋ ପଢ଼ା ଶେଷକରି ଚାକିରି କଲି ସେତେବେଳେ ମୋତେ ବହୁ ଅସୁବିଧାର ସାମନା କରିବାକୁ ପଡ଼ିଥିଲା। ମୋତେ କର୍ତ୍ତୃପକ୍ଷ ଅନ୍ୟ ସହକର୍ମୀଙ୍କ ସହ ସମକକ୍ଷ ରୂପେ ବିବେଚନା ନକରି ନ୍ୟୂନ ଦୃଷ୍ଟିରେ ଦେଖୁଥିଲେ। ଫଳରେ ମୋତେ ବହୁ ଚାକିରି ପରିବର୍ତ୍ତନ କରିବାକୁ ପଡ଼ିଥିଲା। କାରଣ, ମୁଁ ସବୁବେଳେ ମୋ ନିଜକୁ ଅନ୍ୟ ସହକର୍ମୀମାନଙ୍କ ସହ ସମକକ୍ଷ କରାଇବାକୁ ଚେଷ୍ଟା କରୁଥିଲି। କିନ୍ତୁ, ମୁଁ ଜଣେ ତୃତୀୟ ଲିଙ୍ଗର ବ୍ୟକ୍ତି ହୋଇଥିବା କାରଣରୁ ଏହା ସମ୍ଭବପର ହୋଇପାରୁ ନଥିଲା।
ଏଥିରେ ନିରାଶ ହୋଇ ଡ୍ରାଇଭିଂ ଟ୍ରେନିଂ ନେଇ ଜଣେ ଡ୍ରାଇଭର ହେବାକୁ ସ୍ଥିର କରିଥିଲି; କିନ୍ତୁ ପ୍ରଥମେ ଏଥିରେ ପ୍ରତିବନ୍ଧକ ସାଜିଥିଲା ମୋର ଲିଙ୍ଗଗତ ବୈଷମ୍ୟ। କାରଣ, ତୃତୀୟ ଲିଙ୍ଗର ବ୍ୟକ୍ତି ବିଶେଷଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନଥିଲା। ହେଲେ, ନିକଟ ଅତୀତରେ ସୁପ୍ରିମ୍ କୋର୍ଟ ତୃତୀୟ ଲିଙ୍ଗ ବ୍ୟକ୍ତି ବିଶେଷଙ୍କୁ ସବୁ କ୍ଷେତ୍ରରେ ସମାନ ଦୃଷ୍ଟିରେ ଦେଖିବା ଓ ବିବେଚନା କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ମୋର ଏ ଆଶା ଫଳବତୀ ହେଲା।
ମୁଁ ଡ୍ରାଇଭିଂ ଟ୍ରେନିଂ ସମାପ୍ତ କରିବା ପରେ ପରୀକ୍ଷା ଦେଇ ଡ୍ରାଇଭିଂ ଲାଇସେନ୍ସ ହାସଲ କଲି ଓ ଏବେ ମୁଁ ଓଲାର ଜଣେ ସ୍ୱୀକୃତିପ୍ରାପ୍ତ କ୍ୟାବ୍ ଡ୍ରାଇଭର। ମୋ ଗାଡ଼ିରେ ମହିଳାମାନେ ଯାତ୍ରା କରିବାକୁ ଅଧିକ ନିରାପଦ ମନେ କରୁଛନ୍ତି। ପୁରୁଷ ଯାତ୍ରୀମାନଙ୍କୁ ମଧ୍ୟ ବିନା କୌଣସି ପ୍ରକାର ଅସୁବିଧାରେ ମୋ ଗାଡ଼ିରେ ନେବା ଆଣିବା କରୁଛି। ମୁଁ ମୋର ଏ କାମକୁ ନେଇ ବେଶ ଖୁସି ଅଛି। ଏବଂ ଆମ ତୃତୀୟ ଲିଙ୍ଗର ଅନ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେଇ କହୁଛି ଯେ ଯଦି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବାକୁ ଚାହଁ, ତେବେ ମୋ ପରି ଡ୍ରାଇଭିଂ ଟ୍ରେନିଂ ନେଇ କ୍ୟାବ୍ ଡ୍ରାଇଭର ହୁଅ।