ନୂଆଦିଲ୍ଲୀ: ନୋଏଡ଼ା ସ୍ଥିତ ଷ୍ଟେପ୍ ବାଏ ଷ୍ଟେପ୍ ସ୍କୁଲ୍ ଛାତ୍ରୀ ମେଘନା ଶ୍ରୀବାସ୍ତବ ସର୍ବଭାରତୀୟ ସ୍ତରରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ଟପର ହୋଇଛନ୍ତି। ୯୯.୮ ପ୍ରତିଶତ ମାର୍କ ରଖି ଟପର ହୋଇଥିବା ୧୭ ବର୍ଷୀୟା ମେଘନା ଇତିହାସ, ଭୁଗୋଳ, ଅର୍ଥଶାସ୍ତ୍ର, ଏବଂ ମନୋବିଜ୍ଞାନରେ ୧୦୦ ରୁ ୧୦୦ ମାର୍କ ରଖିଥିବାବେଳେ କେବଳ ଇଂରାଜିରେ ୯୯ ମାର୍କ ରଖିଛନ୍ତି। ସବୁବେଳେ ନିଜ ଉପରେ ଦୃଢ଼ ବିଶ୍ୱାସ ରଖିଥିବା ମେଘନା କେବଳ ଭଲ ନମ୍ବର ରଖି ପାସ୍ କରିବେ ବୋଲି ଆଶା ରଖିଥିଲେ, କିନ୍ତୁ ସର୍ବଭାରତୀୟ ସ୍ତରରେ ଟପର ହେବେ ବୋଲି ଆଶା କରିନଥିଲେ। କେବଳ ସ୍କୁଲ୍ ଟପର ନୁହେଁ ଜାତୀୟ ସ୍ତରରେ ଟପର ହୋଇଥିବା ଶୁଣି ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି ମେଘନା। ତେବେ ତାଙ୍କ ସଫଳତାର ସିକ୍ରେଟ୍ ଫର୍ମୁଲା କ’ଣ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କୌଣସି ସିକ୍ରେଟ୍ ଫର୍ମୁଲା ନାହିଁ। କେବଳ ବର୍ଷସାରା କଠିନ ପରିଶ୍ରମ ହିଁ ମୋ ସଫଳତାର ଚାବିକାଠି। କେବଳ ପାଠ ପଢ଼ନ୍ତି ମେଘନା, କିନ୍ତୁ କେତେ ଘଣ୍ଟା ପାଠ ପଢ଼ନ୍ତି ତାହାର କେବେ ହିସାବ ରଖନ୍ତିନି। ବାପା ଗୌତମ ଶ୍ରୀବାସ୍ତବ ଏବଂ ମା’ ଅଳ୍ପନା ଶ୍ରୀବାସ୍ତବ ଏବଂ ତାଙ୍କ ସ୍କୁଲ୍ ଶିକ୍ଷକମାନେ ତାଙ୍କୁ ସବୁବେଳେ ଭଲ ପଢ଼ିବାପାଇଁ ପ୍ରେରଣା ଦେଇ ଆସିଛନ୍ତି। ମେଘନାଙ୍କ ବାପା ମାନବ ରଚନା ବିଶ୍ୱବିଦ୍ୟାଳୟରେ ଜଣେ ସହକାରୀ ପ୍ରଫେସର ଏବଂ ମା’ ଗୁରୁଗ୍ରାମର ଏକ ବହୁରାଷ୍ଟ୍ରୀୟ କମ୍ପାନିର ମାନବ ସମ୍ବଳ ବିକାଶ ମୁଖ୍ୟ। ବାପା ମା’ଙ୍କ ଏକମାତ୍ର ସନ୍ତାନ ମେଘନା ସବୁବେଳେ ପଢ଼ାରେ ଜିଦ୍ଖୋର। ତାଙ୍କୁ କେବେହେଲେ ପଢ଼ିବାକୁ କହିବାକୁ ପଡ଼େନା ବୋଲି ମେଘନାଙ୍କ ବାପା ଗୌତମ କହିଛନ୍ତି। ମନୋବିଜ୍ଞାନରେ ପ୍ରବଳ ଆଗ୍ରହ ରଖିଥିବା ମେଘନା କୌଣସି ଏକ ବିଦେଶ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ବିଷୟରେ ଗ୍ରାଜୁଏସନ୍ କରିବେ ବୋଲି ଆଶା ରଖିଛନ୍ତି।