ଫିକା ପଡ଼ିଲା ମୋଦୀ ହାୱା:ମିଜୋରାମ୍‌କୁ ଝାମ୍ପିନେଲା ଏମ୍‌ଏନ୍‌ଏଫ୍‌

ଉଭୟ ଆସନରୁ ହାରିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଦୀର୍ଘ ଦିନ ପରେ କଂଗ୍ରେସ ନିଜ ପରିଶ୍ରମରେ ବଡ଼ ସଫଳତା ହାସଲ କରିଛି। ‘କଂଗ୍ରେସମୁକ୍ତ ଭାରତ’ ବୋଲି ସ୍ଲୋଗାନ୍‌ ଦେଉଥିବା ବିଜେପି ସହ କଡ଼ା ମୁକାବିଲା କରି ଦଳ ବିଜୟର ସ୍ବାଦ ଚାଖିଛି। ବିଶେଷକରି ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ନିର୍ବାଚନ ଫଳାଫଳକୁ ଦେଖିଲେ, କଂଗ୍ରେସର ଶକ୍ତି ସ୍ପଷ୍ଟ ଦେଖିବାକୁ ମିଳୁଛି। ଦୁଇ ରାଜ୍ୟରେ ବିଜେପି ଲଗାତର ୧୫ ବର୍ଷ ଧରି ଶାସନ କରିଆସୁଥିଲା ବେଳେ କଂଗ୍ରେସ ଏଥିରେ ବ୍ରେକ୍‌ ଲଗାଇଛି। ଦୁଇ ରାଜ୍ୟକୁ ବିଜେପିର ଗଡ଼ କୁହାଯାଉଥିଲା। କିନ୍ତୁ ସେହି ଗଡ଼କୁ ଭାଙ୍ଗି ଚୂର୍‌ମାର କରିପକାଇଛି କଂଗ୍ରେସ। ଏଭଳି ସଫଳତା ଦ୍ବାରା କଂଗ୍ରେସର ଶକ୍ତି ବୃଦ୍ଧି ପାଇଛି। ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଏହାକୁ ମାଧ୍ୟମ କରି ରଣାଙ୍ଗନକୁ ଓହ୍ଲାଇବ ବୋଲି କୁହାଯାଉଛି। ୫ ରାଜ୍ୟର ବିଧାନ ସଭା ନିର୍ବାଚନକୁ ସେମିଫାଇନାଲ୍‌ ବୋଲି କୁହାଯାଉଥିଲା। ଏହି ନିର୍ବାଚନରେ ଯେଉଁ ଦଳ ଭଲ କରିବ, ୨୦୧୯ରେ ତାହା ଉନ୍ନତ ପ୍ରଦର୍ଶନ କରିବ ବୋଲି ଅନେକ ମତ ଦେଇଥିଲେ।

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌ (ଏମ୍‌ଏନ୍‌ଏଫ୍‌) ମିଜୋରାମ୍‌କୁ ଝାମ୍ପିନେଇଛି। କଂଗ୍ରେସ ହାତରୁ ରାଜ୍ୟ ବିଧାନସଭାକୁ ଛଡ଼ାଇ ନେଇଛି ଏମ୍‌ଏନ୍‌ଏଫ୍‌। ଦୀର୍ଘ ୧୦ ବର୍ଷ ପରେ ଦଳ ରାଜ୍ୟରେ ସରକାର ଗଢ଼ିବାକୁ ପ୍ରସ୍ତୁତିରେ ଲାଗିପଡ଼ିଛି। ବିଧାନସଭାର ମୋଟ ୪୦ ଆସନ ମଧ୍ୟରୁ ଏମ୍‌ଏନ୍‌ଏଫ୍‌ ଏକାକୀ ୨୬ରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ୫ଟି ପାଇ ନିଜ ପରାଜୟ ସ୍ବୀକାର କରିଛି। ଅନ୍ୟପକ୍ଷରେ ବିଜେପିକୁ ଏଠାରେ ମାତ୍ର ଗୋଟିଏ ଆସନ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ରାଜ୍ୟରେ ୫ ଥର ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଲାଲ୍‌ ଥନହୱାଲା ଦୁଇଟି ଆସନରେ ପରାଜିତ ହୋଇଛନ୍ତି। ରାଜ୍ୟରେ କଂଗ୍ରେସର ହାଓ୍ବା ଶିଥିଳ ହୋଇପଡ଼ିବା ବିଚାର କରି ସେ ଦୁଇଟି ଆସନରେ ଏକାକୀ ଲଢ଼ିଥିଲେ। କିନ୍ତୁ ତାଙ୍କର ଏହି ରଣନୀତି ଫେଲ୍‌ ମାରିଛି। ଭୋଟର୍‌ମାନେ ତାଙ୍କୁ ଏହି ଦୁଇଟି ଆସନରୁ ବିଦା କରିଦେଇଛନ୍ତି। ଏହା କେବଳ କଂଗ୍ରେସ ପାଇଁ ନୁହେଁ, ବ୍ୟକ୍ତିଗତ ଭାବେ ଥନହୱାଲାଙ୍କ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଛି। ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ୩୪ଟି ଆସନରେ ବିଜୟ ହାସଲ କରିଥିଲା।
ମିଜୋରାମରେ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଲାଲ୍‌ ଥାନ୍‌ହାୱାଲାଙ୍କ ହାତରୁ ଏଥର କ୍ଷମତା ଖସିଯାଇଛି। ୨୦୦୮ ମସିହାରୁ ରାଜ୍ୟରେ କ୍ଷମତାରେ ଥିବା ୭୬ ବର୍ଷୀୟ ଲାଲ୍‌ ଥାନ୍‌ହାୱାଲା ଡିସେମ୍ବର ୨୦୧୩ରେ ପଞ୍ଚମ ଥର ପାଇଁ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ, ଯାହା ମିଜୋରାମ୍‌ରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ଲାଲ୍‌ ଥାନ୍‌ହାୱାଲାଙ୍କୁ ଚଳିତ ନିର୍ବାଚନରେ ଶକ୍ତ ଝଟ୍‌କା ଲାଗିଛି। ସେ ନିର୍ବାଚନ ଲଢ଼ିଥିବା ଦୁଇଟି ଯାକ ଆସନରୁ କୌଣସି ଗୋଟିଏରେ ହେଲେ ଜିତି ପାରିନାହାନ୍ତି। ଲାଲ୍‌ ଥାନ୍‌ହାୱାଲା ଚମ୍ପାଇ ଏବଂ ସରଚିପ୍‌ ଦୁଇଟି ଆସନରେ ନିର୍ବା‌ଚନ ଲଢ଼ିଥି‌ବାବେଳେ ଚମ୍ପାଇରେ ଏମଏନ୍‌ଏଫ୍‌ ପ୍ରାର୍ଥୀ ଟିଜେ ଲାଲ୍‌ନୁନ୍ତଲୁଆଙ୍ଗା ଏବଂ ସରଚିପ୍‌ରେ ଜେପିଏମ୍‌ (ଜୋରାମ୍‌ ପିପୁଲ୍ସ ମୁଭମେଣ୍ଟ୍‌ସ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲ୍‌ଡ଼ୁହୋମା ତାଙ୍କୁ ପରାଜିତ କରିଛନ୍ତି।

ସମ୍ବନ୍ଧିତ ଖବର