ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶ ଉତ୍ତର ପ୍ରଦେଶ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି। ଗତ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ଦୁର୍ଗର ପୁନରୁଦ୍ଧାର ପାଇଁ ସେ ଉଦ୍ୟମ କରିବେ। ତାଙ୍କ ନେତୃତ୍ବରେ କଂଗ୍ରେସକୁ ରାଜ୍ୟରେ ନୂଆ ଜୀବନ ମିଳିବ। କଂଗ୍ରେସକୁ ଛାଡ଼ି ବିଜେପି ବିରୋଧୀ ମେଣ୍ଟ କରିଥିବା ଏସପି ଏବଂ ବିଏସପି ନେତାମାନଙ୍କୁ ପୁଣି ଥରେ ଚିନ୍ତା କରିବାକୁ ପଡ଼ିବ। ନହେଲେ ବିଜେପି ବିରୋଧୀ ଭୋଟ ଭାଗ ଭାଗ େହାଇଯିବ। ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶ ପରେ ଏମିତି ମତ ଦେଉଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ। ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ବ ମିଳିଛି। ଏହି ଅଞ୍ଚଳରେ ୪୦ଟି ଲୋକସଭା ଆସନ ରହିଛି। ଏଥିରେ ମୋଦୀଙ୍କ ବାରଣାସୀ, ଯୋଗୀଙ୍କ ଗୋରଖପୁର, ସୋନିଆଙ୍କ ରାୟବରେଲି ଏବଂ ରାହୁଲଙ୍କ ଆମେଥି ରହିଛି। ଆେମଥି ଓ ରାୟବରେଲିରେ କଂଗ୍ରେସ ସ୍ଥିତିକୁ ମଜବୁତ କରିବା ସହିତ ବିଜେପି ମାଡ଼ି ଯାଇଥିବା ଅଞ୍ଚଳରେ କଂଗ୍ରେସର ପୂର୍ବ ସ୍ଥିତି ଫେରାଇ ଆଣିବା ତାଙ୍କ ପାଇଁ ଚାଲେଞ୍ଜ ହେବ। ଏଥିପାଇଁ ମାୟାବତୀଙ୍କ ବିଏସପି ଏବଂ ଅଖିଳେଶଙ୍କ ଏସପି ସହିତ ସେ ମେଣ୍ଟ କରିପାରନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଆଜି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏସପି-ବିଏସପି ମେଣ୍ଟ ସହିତ ମିଶି କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ବିଜେପିକୁ ପରାଜିତ କରିବା ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ଅଖିଳେଶ ଓ ମାୟାବତୀ ପୁଣି ଚିନ୍ତା କରିପାରନ୍ତି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଏବରେଲିରୁ ଲଢ଼ିପାରନ୍ତି ପ୍ରିୟଙ୍କା
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆଜି ପ୍ରିୟଙ୍କା ଗାନ୍ଧୀଙ୍କୁ ଏଆଇସିସିର ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି। ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ବ ବୁଝିବାକୁ ତାଙ୍କୁ ଦିଆଯାଇଛି। ତେବେ ପ୍ରିୟଙ୍କା ଦଳର ପଦବିରେ ନିଯୁକ୍ତି ପାଇବା ପରେ ନିର୍ବାଚନ ଲଢ଼ିବା ନେଇ କଳ୍ପନାଜଳ୍ପନା ବଢ଼ିଯାଇଛି। ଏପରିକି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ଆସନ୍ତା ନିର୍ବାଚନରେ ପ୍ରିୟଙ୍କା ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି। ରାଏବରେଲିରୁ ଏବେ ପ୍ରିୟଙ୍କାଙ୍କ ମାଆ ସୋନିଆ ଗାନ୍ଧୀ ଏମ୍ପି ଅଛନ୍ତି।