ଓଡ଼ିଆ ଯୁବକ ଲସ୍କର ଆତଙ୍କବାଦୀ : ଦିଲ୍ଲୀ ବିମାନବନ୍ଦରରୁ ଏନ୍‌ଆଇଏ ଦ୍ୱାରା ଗିରଫ

ସାଉଦିରୁ ପ୍ରତ୍ୟର୍ପଣ ହୋଇ ଭାରତ ଆସୁଥିଲା, ୧୫ ବର୍ଷ ତଳେ ଗାଁ ଛାଡ଼ିଥିଲା

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର କୁଖ୍ୟାତ ଆତଙ୍କବାଦୀ ହବିବୁର ରେହମାନ୍‌ ଓରଫ୍‌ ହବିବ୍‌କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି। ଯୋଜନା ମୁତାବକ ସାଉଦି ଆରବ ସରକାର ପକ୍ଷରୁ ହବିବ୍‌କୁ ଆଜି ପ୍ରତ୍ୟର୍ପଣ କରାଯାଇଥିଲା। ଏକ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ତାକୁ ଗିରଫ କରାଯାଇଛି। ଏ ନେଇ ଏନ୍‌ଆଇଏ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ତାକୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବ।

ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ହବିବ୍‌ ଲସ୍କର ଆତଙ୍କବାଦୀ ଶୈଖ୍‌ ଅବ୍‌ଦୁଲ୍‌ ନଇମ୍‌ର ସହଯୋଗୀ ଥିଲା। ନଇମ୍‌କୁ ସେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟରେ ସହାୟତା କରୁଥିଲା। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ନଇମ୍‌ ଏକଦା ତା’ର କେତେକ ସାଥୀଙ୍କୁ ଦେଶ ମଧ୍ୟରେ ପ୍ରବେଶ କରିବା ଲାଗି ଉଦ୍ୟମ କରିଥିଲା। କିନ୍ତୁ ତା’ର ଏହି ଉଦ୍ୟମ ସଫଳ ହୋଇନଥିଲା। ବରଂ, ୨୦୦୭ ମସିହାରେ ସେ ଗିରଫ ହୋଇଥିଲା। ଏହାପରେ ୨୦୧୪ ମସିହାରେ ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲା। ଏଥିରେ ନଇମ୍‌କୁ ସହଯୋଗ କରିଥିଲା ହବିବ୍‌।

ଅନ୍ୟ ଏକ ସୂଚନା ଅନୁସାରେ, ପାକିସ୍ତାନରେ ନିୟୋଜିତ ଲସ୍କର କମାଣ୍ଡର ଅମ୍‌ଜାଦ୍‌ୟର ନିର୍ଦ୍ଦେଶକ୍ରମେ ହବିବ୍‌ ଏହି କାର୍ଯ୍ୟ କରୁଥିଲା। ଏମିତି କି ଭାରତରେ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବା ଲାଗି ନଇମ୍‌ ଓ ହବିବ୍‌ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଥିଲେ। ଦେଶ ମଧ୍ୟରେ କେଉଁ ସ୍ଥାନରେ ବିସ୍ଫୋରଣ ଘଟାଗଲେ ଗୁରୁତର କ୍ଷତି ସାଧନ ହେବ, ସେଥିପାଇଁ ନଇମ୍‌ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତିରେ ଲାଗିଥିଲା। ଏଥିରେ ବି ହବିବ୍‌ ତାକୁ ସମସ୍ତ ସହଯୋଗ ଯୋଗାଇ ଦେଇଥିଲା। ହବିବ୍‌ ସହାୟତାରେ ନଇମ୍‌ ନକଲି ପରିଚୟପତ୍ର ହାସଲ କରି ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟ ଯାଇଥିଲା। ଏଭଳି କାର୍ଯ୍ୟକଳାପ ଯୋଗୁ ଏନ୍‌ଆଇଏ ଚାର୍ଜସିଟ୍‌ରେ ହବିବ୍‌ ଓ ନଇମ୍‌ ନାମ ସ୍ଥାନ ପାଇଥିଲା। ତେବେ ହବିବ୍‌ ସୌଦୀ ଆରବ ରାଜଧାନୀ ରିୟାଦରେ ରହୁଥିଲା।

ଶେଷରେ, ହବିବ୍‌କୁ ଏନ୍‌ଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଖୁବ୍‌ଶୀଘ୍ର ତାକୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

୧୫ ବର୍ଷ ତଳେ ଗାଁ ଛାଡ଼ିଥିଲା ହବିବ୍‌

ଗରଦପୁର : ଲସ୍କର-ଏ-ତୋଏବା ଉଗ୍ରବାଦୀ ସଂଗଠନର ସକ୍ରିୟ ସଦସ୍ୟ ଭାବେ ଆଜି ନୂଆଦିଲ୍ଲୀରୁ ଗିରଫ ହୋଇଥିବା ହବିବୁର ରହେମାନ ଓରଫ୍‌ ହବିବ୍‌ର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମୀରମହଲା ମୁସଲିମ୍‌ ବସ୍ତି।

ହବିବ୍‌ ମୀର୍‌ ଅୟେନୁଦ୍ଦିନ୍‌ ଓରଫ ହିଟଲର୍‌ (୭୫)ଙ୍କ ତିନି ପୁଅ ଭିତରେ ବଡ଼। ହିଟଲର ତାଙ୍କ ପତ୍ନୀ ଓ ମଝିଆ ପୁଅ ଗୁଥିଙ୍କ ପରିବାର ସହ ଗାଁରେ ରହୁଥିବା ବେଳେ ସାନପୁଅ ଜିଆ ରହୁଛି ସାଉଦି ଆରବରେ। ୫୦ ବର୍ଷ ବୟସ୍କ ହବିବ୍‌ ବିବାହିତ। ସେ ପନ୍ଦର ବର୍ଷ ପୂର୍ବେ ପରିବାର ଧରି ଗାଁ ଛାଡି ଚାଲିଯାଇଛି। ହବିବ୍‌ ବାପା ହିଟଲର ବସ୍ତିର ସର୍ଦ୍ଦାର ଥିବା ବେଳେ ପାଞ୍ଚ ବର୍ଷ ତଳେ ଏକ ବିବାଦୀୟ ଘଟଣାରେ ତାଙ୍କୁ ସର୍ଦ୍ଦାର ପଦରୁ ହଟାଇ ଦିଆଯାଇଥିଲା। ମଝିଆ ପୁଅ ଗୁଥି ଏକ ସ୍କୁଲ୍‌ ବସ୍‌ ଚଳାଉଛନ୍ତି। କିନ୍ତୁ ବାପ-ପୁଅଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଅନେକ ଅଭିଯୋଗ ରହି ଆସିଛି।

ଆଜି ହବିବ୍‌ ଗିରଫ ହେବା ପରେ ପାଟକୁରା ଥାନା ପୁଲିସର ଦୁଇଟି ଟିମ୍‌ ଆଜି ଗାଁରେ ପହଞ୍ଚି ହିଟଲର୍‌ ଓ ଗୁଥିଙ୍କୁ ପଚରାଉଚରା କରିଛି। ରହେମାନ ଗାଁରୁ ଯିବା ପରଠାରୁ ତା’ସହ କୌଣସି ସଂପର୍କ ନାହିଁ ବୋଲି ହିଟଲର ପୁଲିସକୁ କହିଛନ୍ତି। ଅନ୍ୟପଟେ ପୁଲିସ ସେମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଅଧିକ ଖୋଳତାଡ ଜାରି ରଖିଛି।

ହବିବୁର ସଂପର୍କରେ ପୁଲିସ୍‌ କମିସନର ତଥା ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସତ୍ୟଜିତ ମହାନ୍ତି କହିଛନ୍ତି ଯେ ଘଟଣା ଉପରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ନଜର ରଖିଛି। ଏନ୍‌ଆଇଏ ଯେ କୌଣସି ପ୍ରକାର ସହଯୋଗ ଲୋଡ଼ିବ, ଏସଟିଏଫ୍‌ ତାହା ଯୋଗାଇ ଦେବ।

ସମ୍ବନ୍ଧିତ ଖବର