କାଶ୍ମୀରର ସୁରକ୍ଷା ସମ୍ଭାଳିବେ ଓଡ଼ିଆ ଆଇପିଏସ୍‌ ଅଫିସର

ଶ୍ରୀନଗର : ଯୁବ ଓଡ଼ିଆ ଆଇପିଏସ ଅଫିସର ସ୍ୱୟଂ ପ୍ରକାଶ ପାଣି ଜାମ୍ମୁ ଓ କାଶ୍ମୀରର ନୂଆ ପୁଲିସ ଆଇଜି ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାଜ୍ୟର ଆଇଜିପି ହେବାରେ ସେ ସବୁଠାରୁ  କମ ବୟସ୍କ ପୁଲିସ ଅଫିସର । ସେ ପୂର୍ବ ଆଇଜିପି ମୁନୀର ଖାଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

କିଛିଦିନ ତଳେ ଶ୍ରୀନଗରର ଏକ ହସପିଟାଲରେ ଆତଙ୍କବାଦୀ ଆକ୍ରମଣ ହୋଇ ଜଣେ ଆତଙ୍କବାଦୀ ଫେରାର ହୋଇଯିବା ଘଟଣା ପରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ ଅଦଳବଦଳ କରି ୧୧ ଜଣ ଆଇପିଏସ୍‌ଙ୍କୁ ବଦଳି କରିଥିଲେ।

୨୦୦୦ ମସିହା ବ୍ୟାଚ୍‌ର ଆଇପିଏସ ଅଫିସର ୪୧ ବର୍ଷୀୟ ପାଣିଙ୍କୁ ନିଯୁକ୍ତିକୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଂଜୁରୀ ଦେଇଥିଲେ । ଶ୍ରୀ ପାଣି ଏହା ପୂର୍ବରୁ ଦକ୍ଷିଣ କାଶ୍ମୀର ରେଞ୍ଜର ଡେପୁଟୀ ଆଇଜି, କୁଲଗାମ ଓ କାଠୁଆର ଏସପି ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ଗୁଇନ୍ଦା ବ୍ୟୁରୋ, ଏନଆଇଏରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଶ୍ରୀ ପାଣି ଏପରି ସମୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଯେତେବେଳେ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ସ୍ଥିତି ବେଶ ଚିନ୍ତା ଜନକ ରହିଛି । ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଫଳରେ ସେନା, ପୁଲିସ ଉପରେ ଚାପ ବଢିଯାଇଛି।

ସମ୍ବନ୍ଧିତ ଖବର