ଭାରତର କଟକଣା ଭୟ, ଆମେରିକା ସରକାରଙ୍କ ସହ ଆଲୋଚନା ଜାରି

ନୂଆଦିଲ୍ଲୀ : ବାରମ୍ବାର ବାରଣ ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଓ ଇରାନରୁ ତେଲ କିଣୁଥିବାରୁ ଆମେରିକା ବିରକ୍ତ ହୋଇଯାଇଛି । ଭାରତ ଉପରେ କଟକଣା ଲଗାଇବାକୁ ଖୋଦ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଧମକ ଦେଇଛି । ତେବେ ଭାରତ ନିଜର ସୁରକ୍ଷା ଓ ତେଲ ଚିନ୍ତା ସଂପର୍କରେ ଆମେରିକାକୁ ଅବଗତ କରାଉଛି ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ବିଭିନ୍ନ ସ୍ତରରେ ଆମେରିକା ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି ଓ ଏ ଦିଗରେ ଆମେରିକା ସରକାରଙ୍କର ଥିବା ସଂଦେହ ଧୀରେ ଧୀରେ ଦୂର ହେଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଆମେରିକାର କଟକଣା ଧମକକୁ ଖାତିର ନକରି ଭାରତ ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିଛି । ଇରାନଠାରୁ ତେଲ ମଧ୍ୟ କିଣିବାକୁ ଅର୍ଡର ଦେଇଛି । କିନ୍ତୁ ଆମେରିକା ଏବେ ଭାରତ ବିରୋଧରେ କଟକଣା ଲଗାଇବାର ସଂକେତ ଦେଇଛି । ଏ ସଂପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନରର ଉତ୍ତରରେ ସେ କହିଛନ୍ତି “ଭାରତର ଏହି ଦୁଃସାହସର କଣ ଜବାବ ଦିଆଯିବ ତାହା ଏବେ ଆମେରିକା ବିଚାର କରୁଛି । ଖୁବଶୀଘ୍ର ଆପଣ ଦେଖିବେ ଆମ କଣ କରୁଛୁ ।”

ସମ୍ବନ୍ଧିତ ଖବର