ବ୍ୟଭିଚାର ମାମଲାରେ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ : ଖାଲି ପୁରୁଷ ଦୋଷୀ କାହିଁକି?

ବ୍ୟଭିଚାର ଆଇନ୍‌ ବ୍ୟବସ୍ଥା ବିରୋଧୀ, ସମାନତାର ଅଧିକାରକୁ ଉଲ୍ଲଂଘନ କରୁଛି

0 352

ନୂଆଦିଲ୍ଲୀ : ଆଇପିସିର ଧାରା-୪୯୭ର ବୈଧତାକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଆଜିଠାରୁ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ କହିଛନ୍ତି ଯେ ବ୍ୟଭିଚାର ମାମଲାରେ ଉଭୟ ପକ୍ଷ ସମାନ ଭାବେ ଦାୟୀ ରହିଥିବାରୁ କେବଳ ପୁରୁଷ ଏଥିପାଇଁ କାହିଁକି ଦୋଷୀ ହେବେ? ବ୍ୟଭିଚାର ଅପରାଧ ଆଇନ ଯେଉଁଭଳି କାର୍ଯ୍ୟକାରୀ ହେଉଛି ତାହା ବ୍ୟବସ୍ଥା ବିରୋଧୀ ଏବଂ ସ୍ୱେଚ୍ଛାଚାରୀ ନୀତିକୁ ପ୍ରତିପାଦିତ କରୁଛି। ଏହା ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ ଉଲ୍ଲଂଘନ କରୁଛି।

ଏହି ପୀଠରେ ପ୍ରଧାନ ବିଚାରପତିଙ୍କ ସହିତ ଥିବା ଅନ୍ୟ ୪ ବରିଷ୍ଠ ବିଚାରପତି ହେଲେ ଜଷ୍ଟିସ୍‌ ଆର୍‌ ଏଫ୍‌୍‌ ନରିମାନ, ଏ ଏମ୍‌୍‌ ଖାନ୍‌ଓ୍ଵିଲକର, ଡି.ଓ୍ଵାଇ. ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲହୋତ୍ରା। ବ୍ୟଭିଚାର ଆଇନର ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ ଯଦି ଅବିବାହିତ ପୁରୁଷ କୌଣସି ବିବାହିତ ମହିଳାଙ୍କ ସହିତ ଯୌନ ସଂପର୍କ ରଖିଲେ ତାହା ବ୍ୟଭିଚାର ହେବନାହିଁ, ତା’ହେଲେ ବିବାହିତଙ୍କ କ୍ଷେତ୍ରରେ ଏ ବାବଦ ଆଇନ ଓ ଦଣ୍ଡବିଧାନ ଭିନ୍ନ ହେବ କାହିଁକି? କୋର୍ଟ କହିଛନ୍ତି ବିବାହର ପବିତ୍ରତା କାଏମ ରଖିବା ଉଭୟ ପତି-ପତ୍ନୀଙ୍କ ଦାୟିତ୍ୱ। ବିିବାହିତା ମହିଳା ଯଦି କୌଣସି ବିବାହିତ ପୁରୁଷ ସହିତ ଶାରୀରିକ ସଂପର୍କ ରଖନ୍ତି ତା’ହେଲେ ଏ କ୍ଷେତ୍ରରେ କେବଳ ପୁରୁଷଙ୍କୁ କିଭଳି ଭାବେ ଦୋଷୀ ଗ୍ରହଣ କରାଯିବ? କୋର୍ଟ କହିଛନ୍ତି ଯେ ଧାରା ୪୯୭ରେ କେବଳ ପୁରୁଷଙ୍କୁ ହିଁ ଦୋଷୀ ଭାବେ ଗ୍ରହଣ କରାଯିବା ଆଇପିସିର ଏକ ଆସ୍ୱାଭାବିକ ବ୍ୟବସ୍ଥା। କେବଳ ଗୋଟିଏ ପକ୍ଷକୁ ଦୋଷୀ ଗ୍ରହଣ କରାଯିବା ଦ୍ୱାରା ଏ ବାବଦ ଅସଙ୍ଗତି ଓ ଅସମାନତା ସାମ୍ନାକୁ ଆସୁଛି। କୋର୍ଟ ବିସ୍ମୟ ପ୍ରକଟ କହି କହିଛନ୍ତି ଯେ ଯଦି ବିବାହିତା ମହିଳା ସ୍ୱାମୀଙ୍କ ସହମତିରେ କୌଣସି ବିବାହିତ ପୁରୁଷ ସମ୍ବନ୍ଧ ରଖିବେ ତା’ହେଲେ ଏହା ଅପରାଧ ହେବନାହିଁ। ମହିଳାଙ୍କୁ ଏଭଳି ଭାବେ ନିଜ ଇଛା ମୁତାବକ ବ୍ୟବହାର ସେମାନଙ୍କ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି।

ସମ୍ବିଧାନ ପୀଠ କହିଛନ୍ତି ଯେ ଏହି ଆଇନରେ ମହିଳାଙ୍କ ଅପରାଧିକ ଦିଗକୁ ନେଇ ରହିଥିବା ମାମଲାକୁ କୋର୍ଟ ଛୁଇଁବେ ନାହିଁ। ତେବେ ଧାରା ୪୯୭ ଅପରାଧ ଶ୍ରେଣୀରେ ରହିବ କି ନାହିଁ ସେ ବାବଦରେ ବିଚାର ହେବ ଏବଂ ଏ ବାବଦରେ ଶୁଣାଣି ଜାରି ରହିବ। ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଆଇପିସିର ଧାରା ୪୯୭ ଅନ୍ତର୍ଗତ ବ୍ୟଭିଚାର ମାମଲାରେ ପୁରୁଷମାନଙ୍କୁ ଦୋଷୀ ଭାବେ ଗ୍ରହଣ କରି ଦଣ୍ଡ ବିଧାନ କରାଯାଉଛି। ଅନ୍ୟପକ୍ଷରେ ବ୍ୟଭିଚାର ମାମଲାରେ ମହିଳାମାନଙ୍କୁ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଏଭଳି ଭେଦଭାବ ସୃଷ୍ଟିକାରୀ ଆଇନ ଅସାମ୍ବିଧାନିକ ହୋଇଥିବାରୁ ଏହାକୁ ତୁରନ୍ତ ରଦ୍ଧ କରିବାକୁ ଆବେଦନାକାରୀ ଯୁକ୍ତି ବାଢ଼ିଛନ୍ତି। ଏହି ମାମଲାରେ ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଜବାବ ରଖି କହିଥିଲେ ଯେ ଧାରା ୪୯୭ ବିବାହ ଭଳି ଅନୁଷ୍ଠାନକୁ ସୁରକ୍ଷିତ ରଖୁଥିବାରୁ ଏହାକୁ ଚ୍ୟାଲେଂଜ କରିବା ଗ୍ରହଣୀୟ ନୁହେଁ । ଏ ବାବଦରେ ପରମ୍ପରା ଓ ପ୍ରଚଳିତ ଧାରାର ମଧ୍ୟ ଉଦାହରଣ ସରକାର ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.