ଖୁବ୍‌ଶୀଘ୍ର ସ୍କ୍ରାପିଂ ନୀତି : ୧୫ ବର୍ଷର ପୁରୁଣା ଗାଡ଼ି ରାସ୍ତାରୁ ହଟିବ!

ନୂଆଦିଲ୍ଲୀ : ଦେଶରେ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଖୁବ୍‌ଶୀଘ୍ର ଏକ ସ୍କ୍ରାପିଂ ନୀତି ଆସିବ। ଏଥିପାଇଁ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ଚିଠା ପ୍ରସ୍ତାବକୁ ମଞ୍ଜୁରି ଦେଇ ସାରିଛନ୍ତି। ଅର୍ଥମନ୍ତ୍ରୀ ମଧ୍ୟ ଉକ୍ତ ପ୍ରସ୍ତାବରେ ଦସ୍ତଖତ କରିସାରିଛନ୍ତି। ଏବେ ଉକ୍ତ ଚିଠା ପ୍ରସ୍ତାବକୁ ଏହି ନୀତି ସହ ଜଡ଼ିତ ଅନ୍ୟାନ୍ୟ ମନ୍ତ୍ରାଳୟ ନିକଟକୁ ପଠାଯିବ। ଏହାପରେ କ୍ୟାବିନେଟ୍ ଏହି ପ୍ରସ୍ତାବ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ଗଡ଼କରୀ ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଇଛନ୍ତି। ପ୍ରସ୍ତାବକୁ ମଞ୍ଜୁରି ମିଳିଗଲେ ଦୁଇ ଚକିଆ ଏବଂ ତିନି ଚକିଆଠାରୁ ଆରମ୍ଭ କରି ସମସ୍ତ ଯାନ ପାଇଁ ଏହି ନୀତି ଲାଗୁ ହେବ।

ପୂର୍ବରୁ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ ଭାରତରେ ଏହି ନୀତି କାର୍ଯ୍ୟକାରୀ ହେଲେ ବିଶ୍ବରେ ଭାରତ ଗାଡ଼ି ନିର୍ମାଣର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ। କାରଣ ପୁରୁଣା ଗାଡ଼ି ଗୁଡ଼ିକ ନଷ୍ଟ କରି ଦିଆଯିବା ଫଳରେ ଏସବୁରୁ ମିଳିବାକୁ ଥିବା ଇସ୍ପାତ, ଆଲୁମିନିୟମ ଏବଂ ପ୍ଲାଷ୍ଟିକ୍ ରିସାଇକ୍ଲ ହେବ। ଏଥିଯୋଗୁ ନୂଆ ଗାଡ଼ି ଦାମ୍ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ।

oneindia.com

ସେହିଭଳି ଦେଶରେ ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ସ୍କ୍ରାପ ନୀତି ଘୋ‌ଷଣା ହେବ ବୋଲି ଗତମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଗ୍ରାହକ ପରିତ୍ୟାଗ କରିଲେ ସରକାର ଟିକସ ପ୍ରୋତ୍ସାହନ ଦେବେ ବୋଲି ଆଶା କରାଯାଉଛି। ଏତଦବ୍ୟତୀତ ୧୫ ବର୍ଷରୁ ପୁରୁଣା ଗାଡ଼ିଗୁଡ଼ିକ ଯେଭଳି ରାସ୍ତାରେ ନଗଡ଼ିବ ସେଥିପାଇଁ ମଧ୍ୟ ସରକାର ଲୋକଙ୍କୁ ନିରୁତ୍ସାହିତ କରିବା ଭଳି ଅନେକ ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି। ୧୫ ବର୍ଷରୁ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍‌ନେସ୍ ନବୀକରଣ ଏବେ ବର୍ଷକୁ ଥରେ ହେଉଥିବାବେଳେ ଏହାକୁ ପ୍ରତି ୬ ମାସରେ ଥରେ କରାଯିବା ନେଇ ମଧ୍ୟ ଯୋଜନା ରହିଛି। ୧୫ ବର୍ଷ ପୁରୁଣା ଏବଂ ପ୍ରଦୂଷଣଯୁକ୍ତ ଯାନକୁ ରାସ୍ତାରୁ ହଟାଇବା ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦିଆଯାଉ ବୋଲି ପୂର୍ବରୁ ଅଟୋମୋବାଇଲ ଶିଳ୍ପ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଅନ୍ୟପକ୍ଷରେ ଅଟୋମୋବାଇଲ ଶିଳ୍ପକୁ ସରକାର ପରାମର୍ଶ ଦେଇଥିଲେ ଯେ, ୧୫ ବର୍ଷର ପୁରୁଣା ଗାଡ଼ିକୁ ବିକି ନୂଆ ଗାଡ଼ି କିଣୁଥିବା ଗ୍ରାହକମାନଙ୍କୁ କମ୍ପାନି ଗୁଡ଼ିକ ରିହାତି ଦେବା ଆବଶ୍ୟକ। ଏହା ହେଲେ ଦେଶରେ ନୂଆ ଗାଡ଼ିର ବିକ୍ରି ବୃଦ୍ଧି ପାଇବ ଏବଂ ପୁରୁଣା ଗାଡ଼ିରୁ ସୃଷ୍ଟି ହେଉଥିବା ପ୍ରଦୂଷଣ କମିବ।

ସମ୍ବନ୍ଧିତ ଖବର