ୟୁପିରେ ଝଡ଼ ତୋଫାନ ୧୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣିଥରେ ଝଡ଼ତୋଫାନ ବିପର୍ଯ୍ୟୟ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟାରେ ୟୁପିର ବିଭିନ୍ନ ଅଞ୍ଚଳରେ ଝଡ଼ତୋଫାନ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ବହୁ ସଂଖ୍ୟାରେ ଗୃହପାଳିତ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଶହ ଶହ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ପକ୍କାଘର ମଧ୍ୟ ଏଥିରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟତରେ ସମସ୍ୟା ଉପୁଜିଛି। ଏଟାଓ୍ଵାରେ ୪ ଜଣଙ୍କ ମୃତ୍ୟୁ ଖବର ମିଳିଥିବାବେଳେ ଆଲିଗଡ଼ରେ ୩ ଜଣ ଏବଂ ମଥୁରା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହପିରି ଆଗ୍ରା ଏବଂ ଫିରୋଜାବାଦ୍‌ରେ ୫ ଜଣଙ୍କର ମୃତ୍ୟୁ ଘଟିଛି। କାନପୁର ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଟାଓ୍ଵା ଏବଂ ଆଗ୍ରାରେ ପ୍ରାୟ ୨ ଶହ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। କର୍ଣ୍ଣାଟକ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ଲକ୍ଷ୍ନୌ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ଆସନ୍ତା ମେ’ ୧୨ ତାରିଖରେ ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ପୁଣି ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ସେହିପରି ଜାତୀୟ ପାଣିପାଗ ଆକଳନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ମେ’ ୧୩ ତାରିଖରେ ଉତ୍ତର ଏବଂ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ ପବନର ବେଗ ଘଣ୍ଟାକୁ ୫୦ରୁ ୭୦ କିମି ରହିବା ସହ ଘୂର୍ଣ୍ଣିଝଡ଼ ହେବ। ଗତ ସପ୍ତାହରେ ୟୁପିର ୨୨ ଟି ଜିଲ୍ଲାରେ ଝଡ଼ତୋଫାନ ଏବଂ ବଜ୍ରପାତ ହେତୁ ୭୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଣି ତୋଫାନ ଆଶଙ୍କାରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର