ଆତଙ୍କବାଦୀ ସାଜିଲେ ପ୍ରଫେସର୍‌

୪ ହିଜ୍‌ବୁଲ୍‌ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର୍‌ରେ ନିହତ, ଭୁଲ୍‌ ରାସ୍ତା ଧରିଥିବାରୁ ପରିବାରକୁ କ୍ଷମା ମାଗିଲେ

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ୍‌ରେ ଆଜି ସୁରକ୍ଷା ବାହିନୀ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା ଏବଂ ସୋପିଆନ୍‌ର ଏକ ଘରେ ଲୁଚି ରହିଥିବା ସମସ୍ତ ୫ ଆତଙ୍କବାଦୀ ନିପାତ ହୋଇଥିବା ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ କଶ୍ମୀର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଏବଂ ହିଜବୁଲ୍‌ର ଜଣେ ଶୀର୍ଷ କମାଣ୍ଡର ମଧ୍ୟ ରହିଥିବା ଜଣାପଡ଼ିଛି। ପ୍ରଫେସର ଭଟ୍ଟ ଶୁକ୍ରବାର ସନ୍ଧ୍ୟାରେ ହିଁ ହିଜ୍‌ବୁଲ ସଂଗଠନରେ ଯୋଗ ଦେଇଥବା ବେଳେ ମାତ୍ର ୩୬ ଘଣ୍ଟା ଭିତରେ ନିହତ ହୋଇଛନ୍ତି। ସୋପିଆନ୍‌ର ବଡ଼ିଗାମ୍‌ ଗ୍ରାମରେ ଏହି ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହ ଲୁଚି ରହିଥିବା ଆଜି ଭୋର୍‌ରୁ ଖବର ମିଳିଥିଲା। ଏହାପରେ ସେନା ବାହିନୀ, ସ୍ଥାନୀୟ ପୁଲିସ ଏବଂ ସିଆର୍‌୍‌ପିଏଫ୍‌ର ମିଳିତ ଅପରେସନ ଆରମ୍ଭ ହୋଇଥିଲା। ତଲାସୀ ଅଭିଯାନ ବେଳେ ଆତଙ୍କବାଦୀ ଲୁଚି ରହିଥିବା ଘର ଠାବ ହେବାପରେ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ଗୁଳି ବର୍ଷା ଜାରି ରଖିଥିଲେ ଏବଂ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଥିଲେ।

କଶ୍ମୀର ବିଶ୍ୱବିଦ୍ୟାଳୟର ଫ୍ରଫେସର ମହମ୍ମଦ ଭଟ୍ଟ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରୁ ହଠାତ ତାଙ୍କ ବାସଭବନରୁ ନିଖୋଜ ହୋଇଯାଇଥିଲେ । ସେ ଦୀର୍ଘଦିନ ତଳୁ ହିଜ୍‌ବୁଲରେ ଯୋଗଦେବାକୁ ଯୋଜନା କରିଥିବା ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଥିଲା। ୨୦୧୬ରେ ଆତଙ୍କବାଦୀ ବୁରହନ ଓ୍ଵାନିର ମୃତ୍ୟୁ ପରଠାରୁ ଅନେକ ଯୁବକ ଆତଙ୍କର ରାସ୍ତା ବାଛି ନେଇଥିବା ବେଳେ ପ୍ରଫେସର ଭଟ୍ଟ ମଧ୍ୟ ହିଜବୁଲ କମାଣ୍ଡର ହେବାକୁ ଯୋଜନା କରିଥିଲେ। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଗାନ୍ଦରବଲ ଜିଲ୍ଲାର ଚୁଣ୍ଡୁନା ଗ୍ରାମରେ ରଫିଙ୍କ ପରିବାର ରହୁଥିବା ବେଳେ ଭଟ୍ଟ ଅନ୍ୟତ୍ର ରହୁଥିଲେ।
ଆଜି ସର୍ଚ୍ଚ ଅପରେସନରେ ଆତଙ୍କବାଦୀ ଲୁଚିଥିବା ଘର ଠାବ ହେବାମାତ୍ରେ ଆତଙ୍କବାଦୀମାନେ ସ୍ୱୟଂଚାଳିତ ବନ୍ଧୁକର ଗୁଳିବର୍ଷା ଆରମ୍ଭ କରିଦେଇଥିଲେ। ଆତ୍ମସମର୍ପଣ ପାଇଁ ସୁରକ୍ଷା ବାହିନୀ ପ୍ରଫେସର ଭଟ୍ଟଙ୍କୁ ଦୁଇଥର ସୁଯୋଗ ଦେଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଭଟ୍ଟଙ୍କ ପରିବାରକୁ ମଧ୍ୟ ଘଟଣାସ୍ଥଳକୁ ଅଣାଯାଇଥିଲା ଏବଂ ପରିବାର ସଦସ୍ୟଙ୍କ ମାଧ୍ୟମରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ତେବେ ପରିବାର ଲୋକଙ୍କ କଥା ମଧ୍ୟ ସେ ଗ୍ରହଣ କରିନଥିଲେ। ତାଙ୍କ ପିତାଙ୍କ ସହ ଫୋନ୍‌ରେ ଶେଷ କଥାବାର୍ତ୍ତାରେ ପ୍ରଫେସର ଭଟ୍ଟ କହିଥିଲେ ଯେ ସେ ଆତଙ୍କର ରାସ୍ତା ବାଛିନେଇ ପରିବାରକୁ କଷ୍ଟ ଦେଇଥିବାରୁ ଦୁଃଖିତ। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲର ଶୀର୍ଷ କମାଣ୍ଡର ସଦ୍ଦାମ ପାଦେର୍‌ ମଧ୍ୟ ରହିଥିବାରୁ ଏହା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର