ପାକିସ୍ତାନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫତଓ୍ୱା : ନିଜ ଭିତରେ ୬ ଇଞ୍ଚର ଦୂରତା ରଖ, ନହେଲେ କଠୋର କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ: ପୁରୁଷ ଓ ମହିଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବୁ ସମୟରେ ୬ ଇଞ୍ଚର ବ୍ୟବଧାନ ବା ଦୂରତ୍ୱ ରଖିବାକୁ ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟ ଜାରି କରିଥିବା ଫତୁଆକୁ ନେଇ ଏବେ ହରଡ଼ଘଣାରେ ପଡ଼ିଯାଇଛି।

ପାକିସ୍ତାନର ଏକ ପ୍ରମୁଖ ସମ୍ବାଦପତ୍ର ‘ଡନ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଅନ୍ୟତମ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭରିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ବିଶ୍ୱଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରେସ୍‌ କୋର୍ଡ ନୋଟିସ୍‌ ସହ ଆଉ ଏକ ଫତୁଆ ଜାରି କରିଛନ୍ତି। ଆଉ ସେଇଟି ହେଉଛି ବିଶ୍ୱବିଦ୍ୟାଳୟର ସବୁ ପୁରୁଷ ଓ ମହିଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବୁ ସମୟରେ ୬ ଇଞ୍ଚର ବ୍ୟବଧାନ ବା ଦୂରତ୍ୱ ରହିବା ବାଧ୍ୟତାମୂଳକ। ନହେଲେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଭରିଆ ବିଶ୍ୱବିଦ୍ୟାଳୟର ପାକିସ୍ତାନରେ ଥିବା ୩ଟି କ୍ୟାମ୍ପସ୍‌ ଯଥା- କରାଚି, ଲାହୋର ଓ ଇସ୍‌ଲାମାବାଦରେ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରି ଦେଇଛନ୍ତି।


ତେବେ, ଭରିଆ ବିଶ୍ୱବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏହି ଫତୁଆକୁ ନେଇ ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ତଥା ପାକିସ୍ତାନର ଅନ୍ୟ ବୁଦ୍ଧିଜୀବୀମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଅଯୌକ୍ତିକ ବୋଲି କହିବା ସହ ଏହି ନିଷ୍ପତ୍ତିର ପାଳନ ପାଇଁ ଆମେମାନେ କ’ଣ ସାଙ୍ଗରେ ସବୁବେଳେ ଏକ ସ୍କେଲ ନେଇ ବୁଲିବୁ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ପାକିସ୍ତାନର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ମଧ୍ୟ ଭରିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପ୍ରକାର ନିଷ୍ପତ୍ତିର ବିରୋଧ କରିବା ଏହା ସେମାନଙ୍କର ରକ୍ଷଣଶୀଳ ମନୋଭାବର ପରିଚୟ ଦେଉଛି ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର