ସିଲଂରେ ହିଂସା ବ୍ୟାପୁଛି: ତଦନ୍ତ କରିବ ସଂଖ୍ୟାଲଘୁ କମିସନ

କେନ୍ଦ୍ର ପଠାଇଲା ଅତିରିକ୍ତ ସୁରକ୍ଷା ବଳ, ଲଗାତାର ୫ମ ଦିନ ପାଇଁ ଜନ ଜୀବନ ଠପ୍‌

ସିଲଂ: ମେଘାଳୟ ରାଜଧାନୀ ସିଲଂରେ ଗତ ୩୧ ତାରିଖ ଦିନ ଖାସୀ ସମ୍ପ୍ରଦାୟର ଯୁବକ ଓ ପଞ୍ଜାବୀ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ହୋଇଥିବା ହିଂସା ଏବେ ସାଂଘାତିକ ରୂପ ନେଇଛି। ଗତକାଲି ରାତିରେ ପୁଣିଥରେ ଏହି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ପୁଲିସ୍‌ ଲାଠିମାଡ଼ କରିବା ସାଙ୍ଗକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସେପଟେ, ସୁରକ୍ଷାବଳଙ୍କ ଏହି କାର୍ଯ୍ୟନୁଷ୍ଠାନକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଉପରକୁ ଢେଲା ମାଡ଼ କରିଥିବା ବେଳେ ଏଥିରେ ଅନ୍ୟୂନ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆଜି ଲଗାତାର ପଞ୍ଚମ ଦିନ ପାଇଁ ସିଲଂରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଏବେ ବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ବିଗତ ୪ ଦିନ ହେବ ଦୁଇଟି ସିଆଇପିଏଫ୍‌ ଏବଂ ୨ଟି ଆଇଟିବିପି କମ୍ପାନିଙ୍କୁ ମୁତୟନ କରାଯାଇଥିଲା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଉ ୧୫ କମ୍ପାନି ଅତିରିକ୍ତ ସୁରକ୍ଷା ବଳ ସିଲଂ ପଠାଇଛନ୍ତି। ସାମ୍ପ୍ରଦାୟିକ ହିଂସା ଯେଭଳି ବ୍ୟାପିବାରେ ଲାଗିଛି ସେଥିରେ ରୋକ୍‌ ଲଗାଇବା ପାଇଁ ମୋବାଇଲ, ଇଣ୍ଟରନେଟ ସେବା ଅଚଳ କରି ଦିଆଯାଇଛି। ସେପଟେ, ଆଜି ସନ୍ଧ୍ୟାରେ ସଚିବାଳୟ ପରିସରକୁ କିଛି ଲୋକ ଗ୍ରେନେଡ ମାଡ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତ ହୋଇ ନଥିବାରୁ ରାଜ୍ୟ ସରକାରଙ୍କଠାରୁ କେନ୍ଦ୍ର ସରକାର କୌଣସି ପ୍ରକାର ରିପୋର୍ଟ ମାଗି ନାହାନ୍ତି। ତେବେ ଜାତୀୟ ସଂଖ୍ୟାଲଘୁ କମିସନ ଆସନ୍ତାକାଲି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଘଟଣାର ସବିଶେଷ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମା ଏହି ହିଂସା କୌଣସି ସାମ୍ପ୍ରଦାୟିକ ନୁହେଁ ବୋଲି ସ୍ପଷ୍ଟ କରିଥିବା ବେଳେ କିଛି ଗୋଷ୍ଠୀ ଜାଣିଶୁଣି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହିଛନ୍ତି। ବିରୋଧ ପ୍ରଦର୍ଶନକାରୀଙ୍କୁ ମଦ ଓ ଟଙ୍କାର ଲୋଭ ଦେଖାଇ ଏଭଳି ପରିସ୍ଥିତି ସୃଷ୍ଟି କରିବାକୁ ଉସୁକାଯାଉଥିବା ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଗୁରୁବାର ଦିନ ସିଲଂର ଥେମ୍‌ ଲ୍ୟୁ ମାଲୋଙ୍ଗ୍‌ ଅଞ୍ଚଳରେ ଜଣେ ବସ୍‌ କଣ୍ଡକ୍ଟରଙ୍କୁ କିଛି ସ୍ଥାନୀୟ ବାସିନ୍ଦା ଆକ୍ରମଣ କରିବା ଫଳରେ ଏହାକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା। ତେବେ, ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ୩୦ ବର୍ଷ ତଳର ଜମି ବିବାଦ ଏହି ହିଂସାର କାରଣ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର