ବିରୋଧୀ ମେଣ୍ଟର ଗତି କୁଆଡ଼େ?

ନାଇଡୁଙ୍କ ଫୋନ୍‌ ପରେ ମମତା-କେଏସ୍‌ଆର ଆଲୋଚନା
ଫେଡେରାଲ୍‌ ଫ୍ରଣ୍ଟର ମୂଳଦୁଆ ପଡ଼ିଲା

ନୂଆଦିଲ୍ଲୀ : ଉପନିର୍ବାଚନରେ ବିଜେପିର ପରାଜୟ ପରେ ଜାତୀୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ଏନ୍‌ଡିଏ ବିରୋଧୀ ଶକ୍ତି ଉତ୍ସାହିତ ହୋଇପଡ଼ିଛନ୍ତି। ପରିସ୍ଥିତିରୁ ଫାଇଦା ଉଠାଇବା ଲାଗି ଯେକୌଣସି ସମୀକରଣ ପାଇଁ ପ୍ରମୁଖ ରାଜନୈତିକ ଦଳ ପାଗ ଭିଡିଲେଣି। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ କି ନାହିଁ, ତାହା ଅଲଗା କଥା, କିନ୍ତୁ ଆସନ୍ତା ନିର୍ବାଚନ ପୂର୍ବରୁ ରାଜନୈତିକ ଧ୍ରୁବୀକରଣ ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି।

ଏହି କ୍ରମରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ମିଳିତ ମୁକାବିଲା କରିବା ଲାଗି କିଛି ରାଜନୈତିକ ଶକ୍ତି ଏକାଠି ହେଉଛନ୍ତି। ସୋନିଆ ଗାନ୍ଧୀ ଏଥିଲାଗି ନୈଶଭୋଜିର ଆୟୋଜନ କରିଥିଲେ। ଯେଉଁଥିରେ ୨୦ଟି ରାଜନୈତିକ ଦଳ ଭାଗ ନେଇ ଏନ୍‌ଡିଏ ବିରୋଧୀ ଆଭିମୁଖ୍ୟକୁ କିଛି ପରିମାଣରେ ତେଜିଛନ୍ତି।

ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏପଟେ ଆଜି କଲିକତାରେ ଭିନ୍ନ ଏକ ସମୀକରଣର ଆଭାସ ମିଳିଛି। ତେଲଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଟେଲିଫୋନ୍‌ ବାର୍ତ୍ତାଳାପର ୨୪ ଘଣ୍ଟା ବିତିନି, ମମତା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହୋଇଛି। ଆଲୋଚନା ପରେ ସେମାନେ ଫେଡେରାଲ ଫ୍ରଣ୍ଟ ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି ଫ୍ରଣ୍ଟ ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମାନ ଦୂରତ୍ୱ ରକ୍ଷା କରିବ ବୋଲି ସ୍ଥିର ହୋଇଛି।

ଚନ୍ଦ୍ରଶେଖର ରାଓ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ କେବଳ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଏହି ଫ୍ରଣ୍ଟରେ ଅନ୍ୟ କେଉଁ ଦଳ ସାମିଲ ହେବେ ତାହା ସେମାନେ ସ୍ଫଷ୍ଟ କରିନଥିଲେ। ମମତା କହିଥିଲେ ଯେ ବିଭିନ୍ନ ସମଭାବାପନ୍ନ ଦଳମାନଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ଏହା ବାସ୍ତବ ରୂପ ନେବ। ମିଳିଥିବା ସୂଚନା ଅନୁଯାୟୀ ଆଞ୍ଚଳିକ ଦଳମାନଙ୍କୁ ନେଇ ଏହି ଫ୍ରଣ୍ଟ ଗଠନ କରିବାକୁ ଯୋଜନା ହୋଇଛି। ସେମାନେ ଆଞ୍ଚଳିକ ଦଳର ନେତାମାନଙ୍କ ସହିତ ଆଲୋଚନା ଚଳାଇଛନ୍ତି।

ରାଓ ଏବଂ ମମତା ଆଲୋଚନା ଜାତୀୟ ରାଜନୀତିରେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। କାରଣ ଗତ ୧୪ ତାରିଖରେ ସୋନିଆଙ୍କ ନୈଶଭୋଜି ସଭାରେ ମମତାଙ୍କ ଟିଏମ୍‌ସିର ପ୍ରତିନିଧି ଉପସ୍ଥିତ ରହି କଂଗ୍ରେସ ନେତୃତ୍ୱରେ ସାମ୍ମୁଖ୍ୟକୁ ସମର୍ଥନ ଜଣାଇଥିଲେ। କେବଳ ସେତିକି ନୁହେଁ ରାଜ୍ୟସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଉଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଠାରୁ ଦୂରେଇ ଯାଇ ଆଉ ଏକ ସାମ୍ମୁଖ୍ୟ ଗଠନକୁ ମମତାଙ୍କ ସମର୍ଥନ ଘୋଷଣା ସହଜରେ ବୁଝାପଡ଼ୁ ନାହିଁ।

ସେହିଭଳି ଲୋକସଭାରେ ମୋଦି ସରକାର ବିରୋଧରେ ଅନାସ୍ଥା ନୋଟିସ ଦେଇଥିବା ଟିଡିପି ଏବଂ ଓ୍ଵାଇଏସଆର କଂଗ୍ରେସକୁ ଅନେକ ବିରୋଧୀ ଦଳ ସମର୍ଥନ କରିଥିବା ବେଳେ ଟିଆରଏସ୍‌ ସମର୍ଥନ କରିବ ନାହିଁ ବୋଲି ଜଣାଇଥିଲା। ସେହି ଦଳ ଏବେ କେମିତି ବିଜେପି ବିରୋଧରେ ମେଣ୍ଟ କରିବାକୁ ଯୋଜନା କରୁଛି? ଏହାପଛରେ କି ରହସ୍ୟ ରହିଛି ତାହାକୁ ନେଇ ବର୍ତମାନ ରାଜନୈତିକ ବିଶେଷଜ୍ଞମାନେ ତର୍ଜମା କରିବା ଆରମ୍ଭ କରିଛନ୍ତି। ପ୍ରଶ୍ନ ଉଠିଛି, ୭ ଦିନ ମଧ୍ୟରେ ଏମିତି କଣ ହୋଇଗଲା ଯେ ଏହି ଦୁଇ ନେତା ଏଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି? ତେବେ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ଲାଗି ଏହା ଏକ ଚକ୍ରାନ୍ତ ବୋଲି ବିରୋଧୀ ସନ୍ଦେହ ପ୍ରକାଶ କରିବା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ମମତା-ରାଓ ଫ୍ରଣ୍ଟ ବିଜେପି ବିରୋଧୀ ମେଣ୍ଟକୁ ଶକ୍ତି ଯୋଗାଇବ ନା ଦୁର୍ବଳ କରିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ସୂଚନାଯୋଗ୍ୟ, ସୋନିଆଙ୍କ ସଭାରେ ୨୦ଟି ଦଳର ପ୍ରତିନିଧି ଯୋଗ ଦେଇଥିଲେ। ସେଥିରେ ଥିଲେ ଅଧିକାଂଶ ଆଞ୍ଚଳିକ ଦଳ। ସେମାନଙ୍କ ମଧ୍ୟରୁ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଡିଏମ୍‌କେ, ଟିଏମ୍‌ସି, ଆରଏଲ୍‌ଡି, ଏଆଇୟୁଡିଏଫ୍‌ ଅନ୍ୟତମ। ତେବେ ଏହି ବୈଠକକୁ ବିଜେଡି, ଆମ ଆଦମୀ ପାର୍ଟି, ଟିଡିପି ଏବଂ ଓ୍ଵାଇଏସଆର କଂଗ୍ରେସ ଭଳି ଆଞ୍ଚଳିକ ଦଳର ପ୍ରତିନିଧିଙ୍କୁ ଡକାଯାଇ ନଥିଲା କିମ୍ବା ଅନୁପସ୍ଥିତ ଥିଲେ।

ସେହିଭଳି ବିଜେପିର କେତେକ ସହଯୋଗୀ ଦଳ ଏ ମଧ୍ୟରେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ସେମାନେ ବିଜେପି ବିରୋଧରେ ବିଷୋଦଗାର ଆରମ୍ଭ କରିଦେଲେଣି। ଏଥିରେ ଅଛନ୍ତି ଶିବ ସେନା ଏବଂ ଟିଡିପି। ମହାରାଷ୍ଟ୍ରରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ‘ମୋଦିମୁକ୍ତ’ ଭାରତ ପାଇଁ ଆହ୍ଵାନ ଦେଇ ଆନ୍ଦୋଳନକୁ ଓହ୍ଲାଇଲାଣି। ସେହିଭଳି ଏନଡିଏକୁ ସମର୍ଥନ ଦେଇଥିବା ମହାରାଷ୍ଟ୍ରର ଜଣେ ସାଂସଦ ରାଜୁ ସେଟ୍ଟି ଆଜି ଦୂରେଇଯାଇଛନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଆଲୋଚନା କରିବା ପରେ ଶ୍ରୀ ସେଟ୍ଟି ଏନ୍‌ଡିଏରୁ ଇସ୍ତଫା ଦେଇଛନ୍ତି। ।

ସମ୍ବନ୍ଧିତ ଖବର