ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ: ସୁପ୍ରିମ୍‌ କୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ

ନୂଆଦିଲ୍ଲୀ: ଶାବରୀମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିଥିବା ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ସୋମବାର ଦିନ ଏକ ରିଭ୍ୟୁ ପିଟିସନ୍‌ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି।

ନ୍ୟାସ୍‌ନାଲ୍‌ ଆୟାପ୍ପା ଭକ୍ତ ଆସୋସିଏସନ୍‌ ଏହି ପିଟିସନ୍‌ ଫାଇଲ୍‌ କରିଛି।

ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ରିଭ୍ୟୁ ପିଟିସନ୍‌ କରିବ ନାହିଁ ବୋଲି ଲେଫ୍‌ଟ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ସରକାର ସ୍ପଷ୍ଟ କରିବା ପରେ ଶବରୀମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ବିରୋଧରେ ପ୍ରତିବାଦ ଦୃଢ଼ ହୋଇଥିଲା।

ପୂର୍ବରୁ, ସୁପ୍ରିମ୍‌ କୋର୍ଟଙ୍କ ରାୟ ସଂକ୍ରାନ୍ତରେ ଆଲୋଚନା କରିବାକୁ ସୋମବାର ଦିନ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଡକାଇଥିବା ସଭାରେ ଯୋଗ ଦେବାକୁ ପାଣ୍ଡଲମ୍‌ ପାଲେସ୍‌ ଏବଂ ଶାବରୀମାଳା ମନ୍ଦିର ପୂଜକମାନଙ୍କ ପ୍ରତିନିଧିମାନେ ଅଗ୍ରାହ୍ୟ କରିଦେଥିଲେ।

ରବିବାର ଦିନ ଚେନ୍ନାଇରେ ଭଗବାନ ଆୟପ୍ପାଙ୍କର ଭକ୍ତମାନେ ପାର୍ବତ୍ୟ ଧର୍ମପୀଠର ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଦାବି କରି ପ୍ରତିବାଦ କରିଥିଲେ। ଭକ୍ତମାନେ କୋଡ଼ାମ୍ବକମ୍‌ ହାଇ ରୋଡ୍‌ରୁ ମହାଲିଙ୍ଗପୁରମ୍‌ ଶ୍ରୀ ଆୟପ୍ପା ମନ୍ଦିର ଯାଏଁ ରାଲି ନେଇ ସୁପ୍ରିମ୍‌ କୋର୍ଟଙ୍କ ରାୟ ବିରୋଧରେ ସରକାର ରିଭ୍ୟୁ ପିଟିସନ୍‌ ଦାଏର୍‌ କରନ୍ତୁ ବୋଲି ଦାବି କରିଥିଲେ।

ଶୀର୍ଷ ଅଦାଲତଙ୍କ ରାୟ ବିରୋଧରେ ରବିବାର ଦିନ ଦିଲ୍ଲୀର ଜନ୍ତର ମନ୍ତର ଠାରେ ମଧ୍ୟ ଭଗବାନ ଆୟପ୍ପାଙ୍କ ଭକ୍ତମାନେ ‘ଆୟପ୍ପା ନାମ ଜପ ଯାତ୍ରା’ ନାମରେ ରାଲି ବାହାର କରିଥିଲେ।

ସେପ୍ଟେମ୍ବର ୨୮ ତାରିଖ ଦିନ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଏକ ୫ ଜଣିଆ ଖଣ୍ଡପୀଠ ଋତୁମତୀ ବୟସରେ ପହଞ୍ଚିଥିବା ମହିଳାମାନଙ୍କ ପ୍ରତି ମନ୍ଦିର ପ୍ରବେଶ ଲାଗି ଥିବା ନିଷେଧାଜ୍ଞାକୁ ଉଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର