ଆଖି ବୁଜିଲା ଶୁଭ୍ରାଂଶୁ ; ରକ୍ତ ସଂକ୍ରମଣ ମୃତ୍ୟୁର କାରଣ

ବାରଙ୍ଗ: ନନ୍ଦନକାନନର ବିରଳ କଳା ଓ ଧଳା ରଙ୍ଗ ମିଶ୍ରିତ ମହାବଳ ବାଘ ଶୁଭ୍ରାଂଶୁ (୫) ଆଜି ସକାଳ ପ୍ରାୟ ୧୦ଟା ୧୫‌ରେ ସବୁ ଦିନ ପାଇଁ ଆଖି ବୁଜିଛି। ଗତ ରବିବାରଠାରୁ ସେ ପ୍ରାଣୀ ଉଦ୍ୟାନର ଭେଟେରିନାରି ପରିସର କ୍ବାରେଣ୍ଟାଇନ୍‌‌‌ ଆଇସିୟୁ‌‌ରେ ଚିକିତ୍ସାଧୀନ ଥିଲା। ଓୟୁଏଟି ନିଦାନ ବିଭାଗର ମୁଖ୍ୟ ପ୍ରଫେସର୍‌ ଡ. ସୁଶେନ ପଣ୍ଡା ବ୍ୟବଚ୍ଛେଦ କରିବା ପରେ ଶୁଭ୍ରାଂଶୁର ଶବକୁ ପୋତି ଦିଆଯାଇଛି। ଅପରପକ୍ଷେ ହର୍ପିସ୍‌ ସଂକ୍ରମଣରେ ଲଗାତାର ୪ ଛୁଆ ହାତୀଙ୍କ ମୃତ୍ୟୁ ଘଟଣାକୁ ମାସେ ନ ବିତୁଣୁ ଆଜି ମହାବଳ ଶୁଭ୍ରାଂଶୁର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି।

ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ ଶୁଭ୍ରାଂଶୁ ରକ୍ତ ପ୍ରୋଟୋଜୋନ୍‌, ଜଣ୍ଡିସ୍‌, ହେପାଟାଇଟିସ୍‌ ଦ୍ବାରା ପୀଡ଼ିତ ଥିଲା। ରକ୍ତ ପ୍ରୋଟୋଜୋନ୍‌ (ଏକକୋଷୀ ବା ସୂକ୍ଷ୍ମ ଜୀବ ଏମିବା) ଦ୍ବାରା ଶୁଭ୍ରାଂଶୁ ସଂକ୍ରମିତ ଥିବା ପୂର୍ବରୁ ତା’ ରକ୍ତନମୁନା ପରୀକ୍ଷାରୁ ଜଣା ପଡ଼ିଯାଇଥିଲା। ମାଛି, ଡାଆଁସ, ଟିଙ୍କ ଏହି ରୋଗର ବାହକ ହୋଇଥିବାରୁ ନନ୍ଦନକାନନରେ ରହୁଥିବା ଅନ୍ୟ ବାଘମାନଙ୍କ ପ୍ରତି ମଧ୍ୟ ବିପଦ ରହିଛି। ତେଣୁ ଘଟଣାର ଗୁରୁତ୍ବକୁ ଉପଲବ୍‌ଧି କରି ବରିଷ୍ଠ ଚିକିତ୍ସକ ଆଲୋକ କୁମାର ଦାସଙ୍କ ସମେତ ଚିକିତ୍ସକ, ଜନ୍ତୁବିଭାଗ ରେଞ୍ଜର ସୁଦୀପ୍ତ କୁମାର ପଣ୍ତା, ଓୟୁଏଟିର ବିଶେଷଜ୍ଞ ପ୍ରଫେସରଙ୍କ ସହ ବୈଠକ କରି ଉପନିର୍ଦ୍ଦେଶକ ଜୟନ୍ତ ଦାସ ଶୁଭ୍ରାଂଶୁ ମୃତ୍ୟୁର ତର୍ଜମା କରିଛନ୍ତି। ଅନ୍ୟ ବାଘମାନେ କିଭଳି ସଂକ୍ରମିତ ନହେବେ, ସେଥିଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି। ଅପରପକ୍ଷେ ଶୁଭ୍ରାଂଶୁର ଶରୀରର ଆବଶ୍ୟକ ନମୁନା ସଂଗ୍ରହ କରାଯାଇ ବରେଲି ଓ ଚେନ୍ନାଇସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା କେନ୍ଦ୍ରକୁ ପଠାଯାଇଛି।

ଗତ ମାସ ୨୫ ତାରିଖରେ ଶୁଭ୍ରାଂଶୁ ଝାଡ଼ା ଓ ବାନ୍ତି‌ରେ ପୀଡ଼ିତ ହୋଇଥିଲା। ରକ୍ତ ନମୁନା ପରୀକ୍ଷା ରିପୋର୍ଟରେ ରକ୍ତ ପ୍ରୋଟୋଜୋନ୍‌ (ଏକକୋଷି ବା ସୂକ୍ଷ୍ମ ଜୀବ ଏମିବା) ଦ୍ବାର ସଂକ୍ରମିତ ଥିବା ଜଣାପଡ଼ିବା ପରେ ସେ ରହୁଥିବା ବାଘ ସଫାରୀ ପରିସର ୧୮ ନମ୍ବର କେଜ୍‌ରେ ରଖି ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଇଥିଲା। ତେବ‌େ ଗତ ଶନିବାର ସେ ଗୁରୁତର ହୋଇପଡ଼ିଥିଲା। ସ୍ବାସ୍ଥ୍ୟ କମିଟିର ବିଶେଷଜ୍ଞ ଓୟୁଏଟି ପ୍ରାଣୀ ଚିକିତ୍ସା ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ ପଣ୍ତା ଓ ଔଷଧ ବିଭାଗର ମୁଖ୍ୟ ପ୍ରଫେସର ନିରଞ୍ଜନ ସାହୁଙ୍କ ପରାମର୍ଶକ୍ରମେ ରବିବାର ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସିୟୁକୁ ଅଣାଯାଇଥିଲା। ସେଠାରେ ସାଲାଇନ୍ ଓ ପ୍ରତିଷେଧକ ଦେଇ ଚିକିତ୍ସା ଚାଲୁ ରଖାଯାଇଥିଲା। ହେଲେ ସବୁ ଚିକିତ୍ସା ବିଫଳ ହେଲା।

ଶୁଭ୍ରାଂଶୁ ୨୦୧୪ ମସିହା ଜୁଲାଇ ୨୮ ତାରିଖରେ ଧଳା ବାଘୁଣୀ ସ୍ନେହା ଓ ସାଧାରଣ ମହାବଳ ବାଘ ମନୀଷର ମିଳନରୁ ଜନ୍ମିତ ୪ଟି ମଧ୍ୟରୁ ଗୋଟିଏ ଥିଲା। ବିରଳ କଳା ରଙ୍ଗର କ୍ରିଷ୍ଣା ସହ ବିରଳ ଧଳା ରଙ୍ଗର ଜନ୍ମଲାଭ କରି ବିଶ୍ବରେ ଇତିହାସ ରିଚିଥିଲା। ଆଜି ସେ ଆଖି ବୁଜିବା ପରେ ନନ୍ଦନକାନନର ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ୧୩ଟି ସାଧାରଣ ନାଲି ରଙ୍ଗର(୮ଟି ବାଘୁଣୀ, ୫ ମହାବଳ) ଥିବା ବେଳେ ୮ଟି ଧଳାବାଘ (୫ଟି ବାଘୁଣୀ, ୩ଟି ମହାବଳ) ଓ ୪ଟି ଲିଙ୍ଗ ଚିହ୍ନଟ ହୋଇ ନଥିବା ମଧ୍ୟରେ ୨ଟି ବିରଳ କଳା ରଙ୍ଗର ଅଛନ୍ତି।

ସମ୍ବନ୍ଧିତ ଖବର