ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୯ ମୃତ, ୫ ଗୁରୁତର

ଗୋରୁ ଚରାଉଥିବା ବେଳେ ୨, ବିଲରେ ୨ ଓ ଭୋଜିସ୍ଥଳରେ ୨ ମୃତ 

0 265

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରପାତ ହେବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଗୋବରଘାଟା ଗାଁରେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୋଚିଆଖାଲ ଆଦିବାସୀ ସାହିର ଚାଷୀ ଦିଲୀପ ସାମନ୍ତରାୟ ନିଜ କାଜୁ ବଗିଚାରେ କାମ କରୁଥିଲେ। ପୂର୍ବାହ୍ନ ୧୦ଟା ୩୦ରେ ବଜ୍ରାଘାତ ହେବାରୁ ଦିଲୀପ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଦିଲୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଯାଜପୁର ସଦର ଥାନା ଅନ୍ତର୍ଗତ ଜମାଧର ଗ୍ରାମରେ ବଜ୍ରପାତ ହେବାରୁ ରବି ମହାକୁଡ(୫୦) ଓ ଭରତ ଦାସ(୨୬)ଙ୍କ ମୃତ୍ୟୁ ହୋଇଛି। ସେମାନେ ବିଲରେ ଗୋରୁ ଚରାଉଥିବା ବେଳେ ବଜ୍ରପାତର ସମ୍ମୁଖୀନ ହୋଇଥିଲେ।

କେନ୍ଦ୍ରାପଡ଼ା ତନାର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଦୁଇଜଣ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକଙ୍କ ନାମ ସୁଧାଂଶୁ ଗାହାଣ, ହିମାଂଶୁ ଗାହାଣ ବୋଲି ଜଣାପଡ଼ିଛି। ସୁଧାଂଶୁ ଓ ହିମାଂଶୁ କେନ୍ଦ୍ରାପଡ଼ା ତନାର ଗ୍ରାମରେ ବସବାସ କରନ୍ତି। ଆଜି ସୁଧାଂଶୁ ଓ ହିମାଂଶୁଙ୍କ ସହିତ ଅନ୍ୟ ଦୁଇଜଣ ସାଙ୍ଗ ଭୋଜିଭାତ କରୁଥିଲେ। ଏହି ସମୟରେ ହଠାତ୍‌ ବିଜୁଳି ମାରିଥିଲା। ଫଳରେ ସୁଧାଂଶୁ ଓ ହିମାଂଶୁ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ଦୁହିଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ସେହିଭଳି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦଣ୍ଡବସ୍ତ ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କରଞ୍ଜିଆ ଅଞ୍ଚଳର ଚଢ଼େଇଭୋଲା ଗାାଁରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଧୀନ ଗୋବରଘାଟା ଗାଁରେ ବଜ୍ରପାତ ଯୋଗୁଁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ପୁରୀ ଜିଲ୍ଲା ନିମାପଡ଼ାର ଶୂନଗୁରୁଡି ଗାଁରେ ବଜ୍ରପାତ ହେବାରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.