ଆନ୍ଧ୍ରରେ ଭୋଟ ଗୋଟିକ ୨୫୦୦ ଟଙ୍କାରେ ବିକ୍ରି ହେଉଛି : ଟିଡିପି ଏମପି

ହାଇଦ୍ରାବାଦ : ନିର୍ବାଚନ ଆୟୋଗଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ନିର୍ବାଚନରେ ଧନବଳ ଓ ବାହୁବଳର ପ୍ରାଦୁର୍ଭାବ ଦେଖାଦେଇଛି । ଫ୍ଲାଇଙ୍ଗ ସ୍କ୍ଵାଡ ବିଭିନ୍ନ ସ୍ଥାନରୁ ପୁଳା ପୁଳା ଟଙ୍କା ଜବତ କରୁଛି । କିନ୍ତୁ ଏହା ସତ୍ତ୍ୱେ ଭୋଟରମାନଙ୍କୁ ପ୍ରବଳ ଟଙ୍କା ବଣ୍ଟି ଚାଲିଛନ୍ତି ନେତାମାନେ । ଆନ୍ଧ୍ରପ୍ରଦେଶରେ ସବୁଠାରୁ ଅଧିକ ଟଙ୍କା ବଣ୍ଟା ଚାଲିଛି ।

ଶାସକ ଟିଡିପିର ଜଣେ ନେତା ଏହାକୁ ସ୍ୱୀକାର କରିଛନ୍ତି । ଜେ.ସି.ଦିଓ୍ଵାକର ରେଡ୍ଡୀ ନାମକ ଟିଡିପି ଏମପି ଏପରି କଥା କହିଛନ୍ତି ଯାହା ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି । ସେ କହିଛନ୍ତି ଯେ ଆନ୍ଧ୍ରରେ ଏଥର ଭୋଟ ଗୋଟିଏର ମୂଲ୍ୟ ୨୫୦୦ ଟଙ୍କା ରହିଛି । ପ୍ରାୟ ସବୁ ଦଳ ଟଙ୍କା ବାଣ୍ଟିଛନ୍ତି । ଏଥର ନିର୍ବାଚନରେ ପ୍ରାୟ ୧୦ ହଜାର କୋଟି ଟଙ୍କା କେବଳ ଆନ୍ଧ୍ରରେ ବଣ୍ଟା ହୋଇଛି ବୋଲି ସେ କହିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ ପରିସ୍ଥିତି ଏପରି ହୋଇଛି ଯେ ଯେଉଁଆଡେ ପ୍ରଚାର କରିବାକୁ ଗଲେ, ଲୋକେ ଟଙ୍କା ମାଗୁଛନ୍ତି, କହୁଛନ୍ତି ଅମୁକ ଦଳ ୨ ହଜାର ଟଙ୍କା ଦେଇଯାଇଛି, ତୁମେ କେତେ ଦେବ ? ଆନ୍ଧ୍ରରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଗତ ୧୧ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ ହୋଇସାରିଛି ।

ସମ୍ବନ୍ଧିତ ଖବର