ଇନ୍‌କାଲ୍‌-୨୦୧୯: ଶିଳ୍ପ-ଶିକ୍ଷାନୁଷ୍ଠାନ ରାଉଣ୍ଡ୍‌ଟେବୁଲ୍ ଆଲୋଚନା

ଭୁବନେଶ୍ବର: ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍ ଓ ଜନତା ମୈଦାନରେ ଚାଲିଥିବା ଆନ୍ତର୍ଜାତିକ ଆଲୁମିନିୟମ୍ ସମ୍ମିଳନୀ ଓ ପ୍ରଦର୍ଶନୀ (ଇନ୍‌କାଲ୍‌) ୨୦୧୯ର ଦ୍ବିତୀୟ ଦିନରେ ଶିଳ୍ପ-ଶିକ୍ଷାନୁଷ୍ଠାନ ରାଉଣ୍ଡ୍‌ ଟେବୁଲ୍ ଆଲୋଚନା ଅନୁଷ୍ଠିତ ହୋଇଛି। କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍‌ଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ଆଲୋଚନାରେ ରାଜ୍ୟର ଅନେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକ ଦରକାର କରୁଥିବା ଦକ୍ଷତା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଦାନ କରୁଥିବା ତାଲିମ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଆଲୋଚନା ହୋଇଛି। ଭାରତୀୟ ଆଲୁମିନିୟମ୍ ସଂଘ(ଏଏଆଇ)ର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ଶିଳ୍ପ ସଂସ୍ଥାଗୁଡ଼ିକ ଶିକ୍ଷାନୁଷ୍ଠାନ ଠାରୁ ଆବଶ୍ୟକ କରୁଥିବା ଦକ୍ଷତା ଉପରେ ଆଲୋଚନା କରିବା ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି। ସେ ପୁଣି କହିଲେ, ଶିଳ୍ପ କ୍ଷେତ୍ର ଅତ୍ୟନ୍ତ ପରିବର୍ତ୍ତନଶୀଳ ଏବଂ ସେହି ଅନୁସାରେ ଦକ୍ଷତା ଆବଶ୍ୟକ ‌ହୋଇଥାଏ। ଦ୍ରୁତ ବିକାଶ ଓ ଆନ୍ତର୍ଜାତିକ ମାନକୁ ବଜାୟ ରଖିବା ପାଇଁ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁ‌ଷ୍ଠାନଗୁଡ଼ିକ ସହଯୋଗୀ ଭା‌ବେ କାମ କରିବାର ଆବଶ୍ୟକତା ରହିଛି।

ଏହି ଅବସରରେ ଆଇଆଇଟି ଭୁବନେଶ୍ୱର, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ସ୍ବୟଂଶାସିତ ମହାବିଦ୍ୟାଳୟ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି, ସିଇଟି, ସିପେଟ୍, ସିଭି ରମଣ କଲେଜ୍ ଅପ୍ ଇଞ୍ଜିନିୟରିଂ, ସିଲିକନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି, ଆଇଏମ୍‌ଆଇ, ଆଇଜିଆଇଟି ଏବଂ ନରୱେର ଏକ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଶିଳ୍ପ ସଂସ୍ଥା ମଧ୍ୟରେ ନାଲ୍‌କୋ, ହିଣ୍ଡାଲ୍‌କୋ, ରିଓ ଟିଣ୍ଟୋ, ଫ୍ରାନ୍ସର ଆଲ୍‌କାନ୍‌, ଜର୍ମାନିର ଅଟୋଟେକ୍ ଓ ଚୀନ୍‌ର ଚିନାଲ୍‌କୋ କଂପାନିର ପ୍ରତିନିଧି ଭାଗ ନେଇଥିଲେ। ଶିଳ୍ପ କ୍ଷେତ୍ରରେ ଉପଯୋଗୀ ତାଲିମ ପ୍ରଦାନ ପାଇଁ ଉଦ୍ୟମ କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧି ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଗବେଷଣାମୂଳକ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର