ବାଲିଅନ୍ତା : ବାଲତି, ଗରା ରଖି ରାସ୍ତା ଅବରୋଧ କଲେ ମହିଳା

ଷ୍ଟାଣ୍ଡ‌ପୋଷ୍ଟରୁ ବାହାରୁଛି ଲୌହଯୁକ୍ତ ପାଣି, ଦନ୍ତରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ବାଲିଅନ୍ତା : ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ବେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିକଟ‌ରେ ଲୌହ ଦୂରୀକରଣ ପ୍ଲାଣ୍ଟ ସ୍ଥାପନ କରା ନଯିବା ପ୍ରତିବାଦରେ ବାଲିଅନ୍ତା ବ୍ଲକ ଅଧୀନ ପଟୁପଡ଼ା ଗ୍ରାମବାସୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମର କିଛି ମହିଳା ଷ୍ଟାଣ୍ଡପୋଷ୍ଟରୁ ବାଲତି, ଗରା ଓ କୁଣ୍ଡରେ ଲୌହଯୁକ୍ତ ପାଣି ଭର୍ତି କରି ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଦୀର୍ଘ ଦିନରୁ ଲାଗି ରହିଥିବା ଏହି ସମସ୍ୟାର ସମାଧାନ ଦିଗରେ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନନେଲେ, ଏହି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ତାଲା ପକାଇଦେବେ ବୋଲି ଚେତାବନର ଦେଇଥିଲେ।

ସୂଚନାଯୋଗ୍ୟ, ପଟୁପଡ଼ାସ୍ଥିତ ଏହି କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପରୁ ବିଭିନ୍ନ ଷ୍ଟାଣ୍ଡପୋଷ୍ଟକୁ ଯୋଗାଣ ହେଉଥିବା ପାନୀୟ ଜଳ ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ। ପାଇପ ଦ୍ବାରା ଷ୍ଟାଣ୍ଡପୋଷ୍ଟକୁ ଯେଉଁ ପାଣି ଯୋଗାଣ ହେଉଛି, ସେଥିରେ ଅତ୍ୟଧିକ ମାତ୍ରାରେ ଲୌହଅଂଶ ଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହି ପାଣି ବ୍ୟବହାର କରିବା ଦ୍ବାରା ଲୋକମାନେ ଦାନ୍ତ ରୋଗରେ ପୀଡ଼ିତ ହେଉଛନ୍ତି। ପାତ୍ର‌ରେ ଦୀର୍ଘ ସମୟ ଧରି ପାଣି ରହିବା ପରେ ତାହା ହଳଦିଆ ହୋଇଯାଉଛି। ଦାନ୍ତ ବି କଳା ପଡ଼ି ଯାଉଛି। କିନ୍ତୁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ଏହାକୁ ବ୍ୟବହାର କରିବାକୁ ବ‌ାଧ୍ୟ ହେଉଛନ୍ତି। ତେଣୁ ପ୍ରକଳ୍ପ ସ୍ଥାନରେ ଏକ ଲୌହଦୂରୀକରଣ ପ୍ଲାଣ୍ଟ ସ୍ଥାପନ କରି ପାଣି ଯୋଗାଣ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବହୁବାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବଇଁଚୁଆ ସରପଞ୍ଚ ବିଜୟ ସାହୁ ବାଲିଅନ୍ତା ପଞ୍ଚାୟତ ସମିତି ବୈଠକରେ ଏନେଇ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପତ୍ର ନଂ ୧୧୯/୧୯ରେ ମଧ୍ୟ ଚିଠି ଲେଖି ଜଣାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମର ମହିଳାମାନେ ଆଜି ଏପରି ପ୍ରତିବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର