ଠାବ ହେଲା ଆଉ ଏକ ମଦ ଭାଟି, ୧୦ ଗିରଫ

୪ ଲକ୍ଷ ଟଙ୍କାର ପୋଚ, ମଦ ଓ ସରଞ୍ଜାମ ଜବତ

ଖଣ୍ଡଗିରି: ରାଜଧାନୀର ବସ୍ତିମାନଙ୍କରେ ଚାଲିଛି ମାଳମାଳ ମଦ ଭାଟି। ମଙ୍ଗଳବାର ପୁଣି ଏକ ଦେଶୀ ମଦ ଭାଟିକୁ ଠାବ କରିଛି ଅବକାରୀ ବିଭାଗ। ଚୁନୁକୋଳି ବସ୍ତିରୁ ଏହି ଭାଟିକୁ ଠାବ କରାଯାଇଛି। ଏଠାରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପୋଚ, ରନ୍ଧା ମଦ ଓ ଭାଟି ସରଞ୍ଜାମ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୧୦ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଜୁଲାଇ ଶେଷ ସପ୍ତାହରୁ ଏ ପର୍ଯ୍ୟନ୍ତ ଅବକାରୀ ବିଭାଗ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଆଦି ଥାନା ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିରୁ ୩ଟି ବଡ଼ ଭାଟି ଜବତ କରି ସାରିଲେଣି। ଜଙ୍ଗଲ ପାଖକୁ ଲାଗିଥିବା ବସ୍ତି ଅଞ୍ଚଳରେ ଆହୁରି କିଛି ଭାଟି ଥିବା ଅବକାରୀ ବିଭାଗ ଅନୁମାନ କରୁଛି। ତେଣୁ ଏହି ଅଭିଯାନ ମାଧ୍ୟମରେ ବସ୍ତିଗୁଡ଼ିକୁ ପ୍ରଥମେ ଭାଟିମୁକ୍ତ କରାଯିବାକୁ ଉଦ୍ୟମ ଚାଲିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ସକାଳୁ ସକାଳୁ କଟକ ଫ୍ଲାଇଂ ସ୍କ୍ଵାଡ୍‌ ଓ ଭୁବନେଶ୍ୱର ଅବକାରୀ ପୁଲିସ ମିଳିତଭାବେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଚୁନୁକୋଳି ବସ୍ତିରେ ଚଢ଼ଉ କରିଥିଲେ। ପୂର୍ବ ସୂଚନାନୁସାରରେ ସେଠାରେ ଚାଲିଥିବା ଏକ ମଦ ଭାଟି ଠାବ ହୋଇଥିଲା। ଭରତପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ଏହି ବସ୍ତିର ଏକ ନିଛାଟିଆ କୋଠାଘରେ ଏହି ଭାଟି ଚାଲିଥିଲା। ସେଠାରୁ ପୁଲିସ ୧୮ଟି ବଡ଼ ଡେକ୍‌ଚି, ୫ଟି ଜେରିକେନ୍‌ ଡ୍ରମ ଓ ୧୨ଟି ବ୍ୟାରେଲ୍‌ ଜବତ କରିଥିଲା। ସେଗୁଡ଼ିକ ମଦ ରନ୍ଧା ଓ ପୋଚ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା। ଭାଟିରୁ ୮ ହଜାର ୩ ଶହ ଲିଟର ପୋଚ ଓ ୪୬୦ ଲିଟର ରନ୍ଧା ମଦ ମିଳିଥିଲା। ଏସବୁର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଭାଟିରୁ ଚୁଡ଼ାମଣି ହାଂସଦା, ଚନ୍ଦ୍ରମଣି ସାହୁ ଓ ଦିଲ୍ଲୀପ ଟୁଡୁଙ୍କୁ ଅବକାରୀ ପୁଲିସ ଗିରଫ କରିଥିଲା। ପରେ ସେମାନଙ୍କଠାରୁ ସୂଚନା ପାଇ ଏହି ଭାଟି ଚାଲିବାରେ ସମ୍ପୃକ୍ତ ଥିବା ବିଜୟ ମାରାଣ୍ଡି, ଅଜୁ ସିଂହ, କାହ୍ନା ସାମଲ, ବାସୁଦେବ ସୋରେନ୍‌, ସିଧା ସୋରେନ୍‌ ଆଦିଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ସାଲିଆସାହି ଲକ୍ଷ୍ମୀସାଗରବସ୍ତି ଓ ମୁଣ୍ଡାସାହି ଅଞ୍ଚଳରୁ ଗିରଫ କରାଯାଇଥିଲା। ପୂର୍ବରୁ ଠାବ କରାଯାଇଥିବା ଦୁଇଟି ମଦ ଭାଟିଠାରୁ ଏହି ଭାଟିଟି କୌଣସି ଗୁଣରେ କମ୍‌ ନଥିଲା। ମହୁଲ, ଗୁଡ଼ ଓ ପିଡ଼ିଆରୁ ଏହି ମଦ ପ୍ରସ୍ତୁତ ହେଉଥିଲା। ତେଣୁ ସରକାରୀ ଭାଟିରେ କାମ କରିଥିବା କେହି ଅଭିଜ୍ଞ ମିସ୍ତ୍ରି ଏଠାରେ ମଦ ରାନ୍ଧୁଥିବା ଜଣାପଡ଼ିଛି। ଦିନ ସାରା ପୋଚ ପ୍ରସ୍ତୁତି କାମ ଚାଲୁଥିବାବେଳେ ରାତିରେ ମଦ ରନ୍ଧା ଚାଲେ ବୋଲି ଜଣାପଡ଼ିଛି।

ଅବକାରୀ ଅଧୀକ୍ଷକ ଦେବେନ୍ଦ୍ରେ ମହାପାତ୍ରଙ୍କ ନିର୍ଦେଶରେ ଏହି ଚଢ଼ଉରେ ଶାନ୍ତନୁ ଦାଶ, ଶରତଚନ୍ଦ୍ର ଭଂଜ, ଦେବୀପ୍ରସାଦ ଦାସ, ଏସ୍‌ଆଇ ସୁଜିତ୍‌ ମୁଦୁଲି, ଏଚ୍‌ ସାମନ୍ତ, ମଧୁ ସାହୁ ଓ ଅନ୍ୟ କର୍ମଚାରୀମାନେ ସାମିଲ୍‌ ହୋଇଥିଲେ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ ବସ୍ତିମାନଙ୍କରେ ଏମିତି ଚୋରା ମଦ ଭାଟି ଚାଲିବା ପାଇଁ ମାଫିଆମାନେ ସମସ୍ତଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି। ମାଫିଆମାନଙ୍କ ଧମକକୁ ଡରି ନୁହେଁ, ବରଂ ଅର୍ଥ ଲାଳସାରେ କେହି ପ୍ରତିବାଦ କରୁନାହାନ୍ତି କି ପୁଲିସକୁ ମଧ୍ୟ ଜଣାଉନାହାନ୍ତି। ଉପରକୁ ମଦମୁକ୍ତ ରାଜଧାନୀ ପାଇଁ ଆନ୍ଦୋଳନ କରୁଥିବା ଲୋକେ ବି ଏହି ମାଫିଆମାନଙ୍କ ଦ୍ୱାରା ପ୍ରଲୋଭିତ ହେଉଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର