୧୦ ଦିନ ହେଲା, ଯାନ୍ତ୍ରିକ ସଫେଇ ବନ୍ଦ

ଅଧା ରାଜଧାନୀରେ ରାସ୍ତା ଉପରେ କୁଢ଼କୁଢ଼ ଆବର୍ଜନା, ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଘା ନାହିଁ, ଥରଟିଏ ବି ‌ସମୀକ୍ଷା କଲେନି

ଭୁବନେଶ୍ବର: ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀରେ ତରବରିଆ ଭାବେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଆରମ୍ଭ ହେଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏହି ତରବରିଆ ନିଷ୍ପତ୍ତି ଏବେ ରାଜଧାନୀ ପାଇଁ କଳା ଦାଗ ପାଲଟିଛି। ୧୦ଦିନ ହେଲା ଅଧା ରାଜଧାନୀରେ ଯାନ୍ତ୍ରିକ ସଫେଇ ବନ୍ଦ ହୋଇଥିବାବେଳେ କର୍ତ୍ତୃପକ୍ଷ ଏହାର ସମାଧାନ କରିପାରୁନାହାନ୍ତି। ଫଳରେ ରାଜଧାନୀର ପ୍ରମୁଖ ରାସ୍ତା କଡ଼ରେ ଏବେ କୁଢ଼କୁଢ଼ ଆବର୍ଜନା ଗଦା ହେବାରେ ଲାଗିଛି। କିନ୍ତୁ ବେପରୁଆ ମନୋବୃତ୍ତି ନେଇ କାମ କରୁଥିବା ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏଥିପ୍ରତି ଟିକେ ବି ନିଘା ନାହିଁ। ପୂର୍ବତନ ଅଧିକାରୀଙ୍କ ତରବରିଆ ଏବଂ ଭୁଲ୍‌ ନିଷ୍ପତ୍ତି ପାଇଁ ଏବେ ରାଜଧାନୀ ଅସ୍ବଚ୍ଛ ପାଲଟିଯାଇଥିଲେ ହେଁ ଏବେକାର ଅଧିକାରୀମାନେ ଏହାର ସମାଧାନ କରିବା ବଦଳରେ ଏହାକୁ ଅଧିକ ସଙ୍ଗିନ କରିବାକୁ କୌଣସି ପ୍ରକାରର ଉଦ୍ୟମ ଛାଡ଼ୁନାହାନ୍ତି। ଯେମିତି କିଛି ଜାଣିନାହାନ୍ତି, କିଛି ପାରିବେନି ସେହିଭଳି ବ୍ୟବହାର କରି ରାଜଧାନୀର ଏତେବଡ଼ ସମସ୍ୟା ଉପରୁ ନଜର ହଟାଇ ଦେଇଛନ୍ତି।

ଚନ୍ଦ୍ରଶେଖରପୁର ଅଞ୍ଚଳ ସମତେ ରାଜଭବନ, ଓୟୁଏଟି, ସିଆରପି, ଖଣ୍ଡଗିରିରୁ ରସୁଲଗଡ଼ ଆଦି ଅଞ୍ଚଳରେ ପ୍ରାୟ ୩୭କିମି ରାସ୍ତାରେ ଗତ ୧୦ଦିନ ହେଲା ଯାନ୍ତ୍ରିକ ସଫେଇ ହେଉନି। ରାସ୍ତାକଡ଼ରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଗଲାଣି। ଏପରିକି ଗତ ରବିବାର ହୋଇଥିବା କାଳବୈଶାଖୀ ବର୍ଷାରେ ଆବର୍ଜନାଗୁଡ଼ିକ ଧୋଇ ହୋଇ ରାସ୍ତା କଡ଼ରେ ଗଦା ହୋଇଛି। ଯାହା ଗନ୍ଧରେ ରାସ୍ତାରେ ଲୋକ ଚାଲିକି ଯିବା ଦୂରର କଥା ଗାଡ଼ି ଚଲାଇକି ଯାଇପାରୁନାହାନ୍ତି। କେବଳ ଗାଡ଼ି ରାସ୍ତା କଡ଼ର ଦୁର୍ଗନ୍ଧ ନୁହେଁ। ଏଠାରେ ବାଲି ପରସ୍ତ ପରସ୍ତ ହୋଇ ଜମା ହୋଇଥିବାରୁ ଗାଡ଼ିଗୁଡ଼ିକ ସ୍ଲିପ୍‌ କରି ଦୁର୍ଘଟଣାର ଶିକାର ହେଉଛନ୍ତି। କେବଳ ୧୦ଦିନ ସଫେଇ ବନ୍ଦ ହେବା ଯୋଗୁଁ ରାଜଧାନୀବାସୀ ଆବର୍ଜନାଜନିତ ସମସ୍ୟାରେ ଧନ୍ଦି ହେଉନାହାନ୍ତି। ଏହି ୧୦ଦିନ ସଫେଇ ବନ୍ଦ ହେବା ପରେ ଶହଶହ ସଫେଇ କର୍ମଚାରୀ ଜୀବନଜୀବିକା ହରାଇଛନ୍ତି। ସେମାନଙ୍କର ୫ମାସର ଦରମା ମିଳୁନି। ଆଉ ଦରମା ମାଗିବାକୁ ରାସ୍ତାକୁ ଓହ୍ଲାଇବାରୁ ବିଏମ୍‌ସି କର୍ତ୍ତୃପକ୍ଷ ପୁଲିସ ଲଗାଇ ରାସ୍ତାରୁ ହଟାଇବା ସହ ଗୁଳି ଚଳାଇବାର ଧମକ ଦେଲେ। ସଫେଇ ବ୍ୟବସ୍ଥା ସଜାଡ଼ିବା ବଦଳରେ ବିଏମ୍‌ସି କର୍ତ୍ତୃପକ୍ଷ ଡରାଇ ଧମକାଇ ବିରୋଧରେ ଉଠୁଥିବା ସ୍ବର ଚପାଇବାକୁ ଠିକ୍‌ ମଣିଛନ୍ତି। ବିଏମ୍‌ସି ପକ୍ଷରୁ ପ୍ୟାକେଜ୍‌ ୧ରେ ୩୭କିମି ଏବ˚ ପ୍ୟାକେଜ୍‌-୨ରେ ୪୩.୫କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ତାରିଖରେ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିପାଇଁ ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ଏବ˚ ଝାଡ଼ଖଣ୍ତର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍ ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ପ୍ୟାକେଜ୍‌-୧ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଫେଇ କରିଥିବାବେଳେ ପ୍ୟାକେଜ୍‌-୨ରେ ଝାଡ଼ଖଣ୍ତର ମେସର୍ସ ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍‌ ସଫେଇ କରୁଥିଲା। ମେସର୍ସ ୟୁନାଇଟେଡ୍ ‌ସଫେଇ ଠିକ୍‌ ଭାବେ କରିନପାରିବାରୁ ଜାଗୃତିକୁ ଏହି ଦାୟିତ୍ବ ଦିଆଯାଇଛି। ଦୁଇଟି ଯାକ ପ୍ୟାକେଜ୍‌ରେ ଘରୋଇ ସଂସ୍ଥା ନିୟମ ଅନୁଯାୟୀ ସଫେଇ କରୁଛନ୍ତି। କିନ୍ତୁ ୫ମାସ ହେଲା ବିଏମ୍‌ସି ସେମାନଙ୍କ ପ୍ରାପ୍ୟ ଦେଉନି। ଯାନ୍ତ୍ରିକ ସଫେଇ ପାଇଁ ବିଏମ୍‌ସି ପ୍ରଶାସନିକ ଅନୁମତି ଆଣିନଥିବାରୁ ସଫେଇ ସଂସ୍ଥାଙ୍କୁ ପ୍ରାପ୍ୟ ଦିଆଯାଇପାରୁନି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି। ଏପଟେ ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ଏବ˚ ଝାଡ଼ଖଣ୍ତର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍ ସଂସ୍ଥା ୧୦ଦିନ ହେଲା ସଫେଇ ବନ୍ଦ କରିଦେଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ ଥରଟେ ବି ଆଲୋଚନା କରିନାହାନ୍ତି।

ଯଦି ବିଏମ୍‌ସି ପ୍ରାଶାସନିକ ଅନୁମତି ଆଣି ନଥିଲା ତେବେ ଏହି ଯାନ୍ତ୍ରିକ ସଫେଇ କାହିଁକି ଆରମ୍ଭ କରୁଥିଲା? ଟେଣ୍ଡର ପୂର୍ବରୁ ଯଦି ଅନୁମତି ମିଳି ନଥିଲା ତେବେ ହକି ବିଶ୍ବକପ୍‌ ପରେ ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ତୁରନ୍ତ ଅନୁମତି ଆଣିଲେନି ବୋଲି ପ୍ରଶ୍ନ ଉଠିଛି। କେବଳ ଏତିକି ନୁହେଁ ଏହା ମଧ୍ୟରେ ଦୁଇ ଜଣ କମିସନର, ଜଣେ ପ୍ରଶାସକ ବଦଳିଥିବାବେଳେ କେହି କାହିଁକି ଏନେଇ ତତ୍ପରତା ଦେଖାଉନାହାନ୍ତି ସେନେଇ ଏବେ ସବୁଠି ଚର୍ଚ୍ଚା। ଏପରିକି ନିର୍ବାଚନ ଡ୍ୟୁଟିରେ ଅଧିକାରୀମାନେ ଯାଇଥିବାରୁ ନିର୍ବାଚନ ସରିଲେ ଏନେଇ ପଦକ୍ଷେପ ନିଆଯିବ ବୋଲି କହୁଥିଲେ। ହେଲେ ନିର୍ବାଚନ ସରିବାର ଦୁଇ ଦିନ ପରେ ବି ଏନେଇ ଗୋଟିଏ ବୈଠକ ବସିଲାନି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହକି ବିଶ୍ବକପ୍‌ ସମୟରେ ଯାନ୍ତ୍ରିକ ସଫେଇ ଆରମ୍ଭ ହେବା ପୂର୍ବରୁ ଏନେଇ ପ୍ରଶାସନିକ ଅନୁମତି ନିଆଯାଇପାରିନଥିଲା। ତେଣୁ ନଗର ଉନ୍ନୟନ ବିଭାଗରୁ ଅନୁମତି ଆଣି ଟେଣ୍ଡର ପ୍ରକ୍ରିୟା ଶେଷ କରି କାମ ‌ଆରମ୍ଭ ହୋଇଥିଲା। ଏହାପରେ ବିଏମ୍‌ସି କାଉନସିଲ୍‌ ବୈଠକରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାକୁ ଅନୁମୋଦନ ମିଳିବା ପରେ ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି। ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଏହାକୁ ଅନୁମତି ମିଳିନି।

ସମ୍ବନ୍ଧିତ ଖବର