ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ସମାରୋହ ଆଜି ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଧିକ ସାମାଜିକ ସଂଗଠନ ପକ୍ଷରୁ ଅାୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ସେ କହିଲେ, ମହାତ୍ମା ଗାନ୍ଧୀଙ୍କ ବିଚାର, ଚିନ୍ତାଧାରା ଓ କାର୍ଯ୍ୟଧାରା ଭାରତକୁ ଏକାଠି କରିପାରିଥିଲା। କିନ୍ତୁ ତାଙ୍କର ଏହି କାର୍ଯ୍ୟଧାରାଠାରୁ ଆମେମାନେ ବହୁ ଦୂରରେ। ଆଜିକାଲିର ଯୁବସମାଜ ଗାନ୍ଧୀଙ୍କ ନାମକୁ ଏକ ବ୍ରାଣ୍ଡ୍ ଭାବରେ ଉଚ୍ଚାରଣ କରି ସାରିଲେଣି। ସମାଜରେ ଦୁର୍ନୀତି ଏକ ନୀତି ହୋଇ ଗଲାଣି। ଯାହା ଦ୍ବାରା ଆମ ଗଣତନ୍ତ୍ର ବିପଦ ଆଡ଼କୁ ମୁହାଁଉଛି। ଯେଉଁମାନେ ଗାନ୍ଧୀଜୀଙ୍କ ଆଦର୍ଶରେ ଚାଲୁଛନ୍ତି ସମାଜରେ ସେମାନଙ୍କର ଅସ୍ତିତ୍ବ ନାହିଁ। ସେଥିପାଇଁ ଦେଶରେ ପ୍ରଗତି ଆଣିବା ସହିତ ଦେଶର ସ୍ବାର୍ଥକୁ ରକ୍ଷା କରିବାକୁ ହେଲେ ତାଙ୍କର ନୀତିକୁ ଅନୁପ୍ରାଣିତ କରିବାକୁ ପଡ଼ିବ। ତେବେ ଯାଇ ଦେଶରେ ଗାନ୍ଧୀବାଦ ସହ ଭାତୃଭାବ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରଦେଶ ମହିଳା କଂଗ୍ରେସର ଅଧ୍ୟକ୍ଷା ସୁମିତ୍ରା ଜେନା ଯୋଗଦେଇ କହିଲେ, ସଫଳ ଭାରତ ଗଢ଼ିବାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଯେଉଁ ସ୍ବପ୍ନ ସବୁ ଦେଖିଥିଲେ ତାକୁ ପୂରଣ କରିବା ପାଇଁ ଏବେ ଭଲ ସୁଯୋଗ ଅଛି। ସେଥିପାଇଁ ସମସ୍ତ ଜନସାଧାରଣ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଗାନ୍ଧୀଜୀଙ୍କ ଜନ୍ମ ସ୍ଥାନରୁ ଅଣାଯାଇଥିବା ମାଟିକୁ ରାଜ୍ୟର ଯେଉଁ ଯେଉଁ ସ୍ଥାନକୁ ଗାନ୍ଧୀଜୀ ଯାଇଥିଲେ େସ ସ୍ଥାନକୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପରିଭ୍ରମଣ କରିବ। କଟକ ସ୍ବରାଜ ଆଶ୍ରମରେ ଏହା ଶେଷ ହେବ ବୋଲି ସମାଜସେବୀ ରୀନା ରାଉତରାୟ କହିଥିଲେ। ଏହି ଅବସରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଟ୍ରାଇସାଇକେଲ ତିଆରି କରିଥିବା ରାକେଶ କୁମାର ନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅକ୍ଷର, ଗଣତନ୍ତ୍ର ସୁରକ୍ଷା ପ୍ରତିଷ୍ଠାନ, ଇନ୍ସାଫ୍, ସ୍ପର୍ଶ ଓ ଜନମଙ୍ଗଳ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂଜ୍ୟପୂଜା ପରିଷଦର ଅଧ୍ୟକ୍ଷ ପଦ୍ମାକର ଗୁରୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ୍ର ମନୋଜ ଜେନା ଧନ୍ୟବାଦ ଦେଇଥିଲେ।