ଭୁବନେଶ୍ୱର,: ୨୦୧୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୁବନୀତିରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳକୁ ସାମିଲ କରାଯାଇଛି। ଯୁକ୍ତ ୨ ସମେତ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟର ପିଜି ଛାତ୍ରୀମାନଙ୍କୁ ମଧ୍ୟ ତାଲିମ ଦିଆଯିବାର ନିୟମ ରହିଛି। କିନ୍ତୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ଏହା ବାଟବଣା ହୋଇଛି। ଏହି ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷ ହେଲା ଆତ୍ମରକ୍ଷା କୌଶଳ ତାଲିମ୍ ବନ୍ଦ ହୋଇଛି। ୫ ହଜାର ଛାତ୍ରୀଙ୍କୁ ତାଲିମ ଦିଆଯାଉନାହିଁ। ନା’ ଅଛନ୍ତି କୌଣସି ଟ୍ରେନର୍ ନା ତାଲିମ ନେଉଛନ୍ତି ଛାତ୍ରୀ। ଯୁକ୍ତ ୨ କଲେଜର ଗୋଟିଏ ବ୍ୟାଚ୍ ଛାତ୍ରୀ ବିନା ତାଲିମରେ ବି ଶିକ୍ଷା ଶେଷ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ସବୁ ନିୟମକୁ ପାଦରେ ଦଳି ଦେଇଛନ୍ତି। କାହାକୁ ବି ଖାତିର କରୁନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏକାଧିକଥର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟକୁ ଚିଠି ପଠାଯାଇଥିଲେ ମଧ୍ୟ ତାହାର କିଛି ବି ସୁଫଳ ମିଳିନି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନାମାକୁ ଖାତିର କରୁନାହାନ୍ତି। ମେ’ ମାସଠାରୁ ବାରମ୍ବାର ଚିଠି ଲେଖାଯାଉଥିଲେ ମଧ୍ୟ କୁଳପତି କି କୁଳସଚିବ କେହି ଉତ୍ତର ଦେଉନାହାନ୍ତି। କିଛି ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ଆତ୍ମରକ୍ଷା କୌଶଳ ସେଲ୍ର ଉପଦେଷ୍ଟା ନିବେଦିତା ଜେନା ବିଶ୍ୱବିଦ୍ୟାଳୟରେ ଆତ୍ମରକ୍ଷା କୌଶଳର ସ୍ଥିତି ତଦାରଖ ପାଇଁ ଯାଇଥିଲେ। କିଭଳି ଏହା ଚାଲିଛି ବୋଲି ପଚାରିବାରୁ କର୍ତୃପକ୍ଷ ରୋକଠୋକ୍ ଶୁଣାଇଥିଲେ ଯେ ଦୁଇ ବର୍ଷ ହେଲା ବନ୍ଦ ହୋଇଯାଇଛି। ଘର ଅଭାବରୁ ତାଲିମ ଦିଆଯାଇ ପାରୁନାହିଁ। ଆଗକୁ ବି ଦିଆଯାଇପାରିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ନିବେଦିତା ଜେନା କହିଛନ୍ତି ଯେ ଆତ୍ମରକ୍ଷା କୌଶଳ ତାଲିମ ଯାଞ୍ଚ ସମ୍ପର୍କରେ ଅନୁଧ୍ୟାନ ପାଇଁ ଯିବା ସମୟରେ ଜଣାପଡ଼ିଥିଲା ଯେ ଦୁଇ ବର୍ଷ ହେଲା ବନ୍ଦ ହୋଇଛି। କାରଣ ଜାଣିବାକୁ ଚାହିବାରୁ ସେମାନେ ଘର ନ ଥିବା କହିଥିଲେ। ଆଗରୁ କେମିତି ଚାଲିଥିଲା ବୋଲି ପଚାରିବାରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କଥାକୁ ଏଡ଼ାଇ ଯାଇଥିଲେ। ଯାଞ୍ଚ ପୂର୍ବରୁ ଏକ ଚିଠି ପଠାଯାଇଥିଲେ ମଧ୍ୟ ତାହାର ଉତ୍ତର ମିଳି ନ ଥିଲା। ଉଚ୍ଚଶିକ୍ଷା ବିଭାଗର ଚିଠିର ଉତ୍ତର ବିଶ୍ୱବିଦ୍ୟାଳୟ ଅଧିକାରୀ ଦେଉ ନାହାନ୍ତି। ଏଥର ଯାଞ୍ଚ ସମୟରେ ବି କୁହାଯାଇଥିଲା ଯେତେଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରି ଛାତ୍ରୀଙ୍କ ପାଇଁ ପୁଣିଥରେ ଆତ୍ମରକ୍ଷା କୌଶଳ ଆରମ୍ଭ କର। ହେଲେ କେହି ବି ଖାତିର କରୁନାହାନ୍ତି। ଏପର୍ଯ୍ୟନ୍ତ ବି ରିପୋର୍ଟ ପହଞ୍ଚି ନାହିଁ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିନଥିଲା।