ନିଜ ବାଙ୍କେଶ୍ୱରୀଙ୍କ ଦର୍ଶନକୁ ଯିବା ବେଳେ ଓଲଟିଲା ମିନି ବସ୍‌

ସାଲିଆ ସାହିର ୨୨ ଆହତ, ୧୦ ଗୁରୁତର

ଭୁବନେଶ୍ୱର/ଦିଗପହଣ୍ଡି : ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳ ଗୋକର୍ଣ୍ଣପୁର ଗ୍ରାମ ନିକଟସ୍ଥ ଲୁହାଶଙ୍ଖ ନିକଟରେ ‘ହରକାଳୀ’ ନାମକ ଏକ ମିନିବସ୍‌ (ଓଆର୍‌୦୨ ଏଜେ-୨୫୮୩) ଓଲଟି ପଡ଼ିବା ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା ଏବଂ ଗୁରୁତରଙ୍କୁ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ସମେସ୍ତ ଭୁବନେଶ୍ୱର ସାଲିଆ ସାହି ବାସିନ୍ଦା ବୋଲି ଜଣାଯାଇଛି।

ପ୍ରକାଶ ଯେ, ରବିବାର ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ୱର ସାଲିଆ ସାହିର ଏହି ଯାତ୍ରୀଙ୍କୁ ନେଇ ଦିଗପହଣ୍ଡି ବ୍ଲକ୍‌ ବଡ଼ଡୁମ୍ବୁଳା ନିଜ ବାଙ୍କେଶ୍ୱରୀ ପୀଠକୁ ଆସୁଥିଲା। ଗୋକର୍ଣ୍ଣପୁର ଲୁହାଶଙ୍ଖ ନିକଟରେ ଡ୍ରାଇଭର୍‌ର ହଠାତ୍‌ ଆଖି ପଡ଼ିଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ମିନି ବସ୍‌ଟି ଓଲଟି ପଡ଼ିଥିଲା। ଏଥିରେ ଥିବା ୨୨ ଜଣ ଯାତ୍ରୀ ଆହତ ହୋଇଥିଲେ। ଦିଗପହଣ୍ଡି ଦମକଳ ବାହିନୀ ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନେ ହେଲେ ଭୁବନେଶ୍ୱର ଡୁମୁଡୁମାର ସଂଜୁ ପାତ୍ର, ଫୁଲବାଣୀର ପ୍ରମୋଦିନ ମହାରଣା, ପଙ୍କଳବାଡ଼ିର କସ୍ତୁରୀ ପାତ୍ର, ଆମ୍ବପୁଆର ପୂର୍ଣ୍ଣବାସୀ ପାତ୍ର, ବାଲିପଦରର ବୁଢ଼ୀ ମହାରଣା, ଦସିପୁରର ଭଗବତୀ ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, କଳମ୍ବର କାଶି ପାତ୍ର, ରଂଗେଇଲୁଣ୍ଡାର ଜୟ ପାତ୍ର, ପଲିପଦ୍ମନାଭପୁରର ସାରସ ପାତ୍ର ରହିଛନ୍ତି। ଦୁର୍ଘଟଣାସ୍ଥଳରୁ ଡ୍ରାଇଭର୍‌ ଫେରାର୍‌ ହୋଇଯାଇଥିବା ବେଳେ ପୁଲିସ ୫୮/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର