ପଣା ସଂକ୍ରାନ୍ତିରୁ କଲର୍ସ ଓଡ଼ିଆରେ ୩ ନୂଆ ଧାରାବାହିକ

ଭୁବନେଶ୍ବର: ଆସନ୍ତା ପଣାସଂକ୍ରାନ୍ତିରୁ କଲର୍ସ ଓଡ଼ିଆ ଟିଭି ଚ୍ୟାନେଲରେ ୩ଟି ନୂଆ ଧାରାବାହିକ ଆରମ୍ଭ ହେବ। ସେଗୁଡ଼ିକ ହେଲା, ସତର୍କ ରୁହ, ଆରବ୍ୟ ରଜନୀ ଏବଂ ନୀଳାମ୍ବରୀ। ୧୪ରୁ ପ୍ରତ୍ୟେକ ରବିବାର ରାତି ୯ଟାରେ ‘ସତର୍କ ରୁହ’ର ପ୍ରସାରଣ ଆରମ୍ଭ ହେବ। ୧୫ ତାରିଖରୁ ପ୍ରତି ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ରାତି ୯ଟାରୁ ‘ଆରବ୍ୟ ରଜନୀ’ ଏବଂ ରାତି ୧୦ଟାରୁ ‘ନୀଳାମ୍ବରୀ’ ପ୍ରସାରିତ ହେବ। ନୀଳାମ୍ବରୀ ଏକ ସୁନ୍ଦର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। କାହାଣୀଟି ଏହିଭଳି; ସାହାନା ଏବଂ ଅଭିମନ୍ୟୁ ସେମାନଙ୍କ ନୂଆ ଘରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ନେଇ ଉଲ୍ଲସିତ ଅଛନ୍ତି। ଏହାପରେ ସାହାନା ଗର୍ଭବତୀ ଥିବା ବିଷୟ ଯେତେବେଳେ ଜଣାପଡ଼ିଲା, ସେମାନଙ୍କ ଖୁସି ବହୁଗୁଣିତ ହୋଇଗଲା। କିନ୍ତୁ ସାହାନା ତାଙ୍କ ଗର୍ଭରେ ଯେଉଁ ଶିଶୁଙ୍କୁ ରଖିଛନ୍ତି, ସେ ଜଣେ ଅତ୍ୟନ୍ତ ଖଳ ପ୍ରକୃତିର ବୋଲି ସେମାନେ ଜାଣିପାରିନାହାନ୍ତି। ଏପରିକି ଏହି ଶିଶୁଠାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। କେବଳ ଏକମାତ୍ର ରକ୍ଷାକବଚ ହେଲେ ରହସ୍ୟମୟୀ ମହିଳା ନୀଳାମ୍ବରୀ। ଏହି କାହାଣୀଟି ନୀଳାମ୍ବରୀଙ୍କୁ ନେଇ ଗତିଶୀଳ ହୋଇଛି ଏବଂ ସାହାନାଙ୍କ ଗର୍ଭରେ ଥିବା ଶିଶୁକୁ ସାମ୍ନା କରିବାର କ୍ଷମତା କେବଳ ତାଙ୍କର ହିଁ ରହିଛି। ସେହିଭଳି ‘ଆରବ୍ୟ ରଜନୀ’ ଲୋକପ୍ରିୟ ପାରସ୍ୟ ଗଳ୍ପ ଓ କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ଅନେକ ଲୋକପ୍ରିୟ କାହାଣୀ ଯଥା ଅଲିବାବାଙ୍କ ଚାଲିଶ୍ ଚୋର୍, ଆଲ୍ଲାଦିନସ୍ ୱଣ୍ଡରଫୁଲ୍ ଲ୍ୟାମ୍ପ ଏବଂ ସିନ୍‌ବାଦ୍ ଆଦି ରହିଛି। ‘ସତର୍କ ରୁହ’ ହେଉଛି ଏକ ଅପରାଧଭିତ୍ତିକ କାହାଣୀ। ବାସ୍ତବତା ଉପରେ ଏହି ସିରିଏଲ ନିର୍ମାଣ କରାଯାଇଛି। ସମା‌ଜରେ ଘଟୁଥିବା ଅପରାଧ ସମ୍ପର୍କରେ ଦର୍ଶକମାନଙ୍କୁ ସଚେତନ କରିବା ପାଇଁ ଏହି ସିରିଏଲ ଉଦ୍ଦିଷ୍ଟ। ଅପହରଣ, ନିର୍ଯାତନା ଏବଂ ହତ୍ୟା ଭଳି ଅପରାଧକୁ କାହାଣୀରେ ସ୍ଥାନିତ କରାଯାଇଛି। ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ସୋ’ଗୁଡ଼ିକ ଆରମ୍ଭ କରାଯାଉଛି ବୋଲି କଲର୍ସ ବାଂଲା ଏବଂ କଲର୍ସ ଓଡ଼ିଆର ବିଜନେସ୍ ହେଡ୍ ରାହୁଲ ଚକ୍ରବର୍ତ୍ତୀ କହିଛନ୍ତି। ଏସବୁ ସୋ’ ଓଡ଼ିଆ ଦର୍ଶକଙ୍କ ଲୋକପ୍ରିୟତା‌ ହାସଲ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର