ଏକାମ୍ର କ୍ଷେତ୍ରରେ ୫ ହଜାର କାଉଡ଼ିଆ

ପୁରୁଣା ଭୁବନେଶ୍ୱର: ଆଜି ଥିଲା ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ଏକାମ୍ର କ୍ଷେତ୍ରରେ ୫ହଜାରରୁ ଅଧିକ କାଉଡ଼ିଆ ବିଭିନ୍ନ ଶିବ ମନ୍ଦିରରେ ଜଳଲାଗି କରିଛନ୍ତି। ଗ୍ରହଣ ସପ୍ତାହ ଚାଲିଥିବାରୁ ଆଜି କାଉଡ଼ିଆଙ୍କ ସଂଖ୍ୟା କମ୍‌ ରହିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରରେ ୩ହଜାରରୁ ଉର୍ଧ୍ବ କାଉଡ଼ିଆଙ୍କ ସହ ୫ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କଟକ ଗଡ଼ଗଡ଼ିଆ ଘାଟ ଓ ବାଙ୍କିରୁ ଜଳଭାର ଆଣିଥିବା ଭକ୍ତମାନେ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ଜଳଲାଗି କରିଥିଲେ। ଗତକାଲି ଦିନ ୨ଟାରୁ ମନ୍ଦିର ଦୁଇ କଡ଼ରେ ଥିବା ବ୍ୟାରିକେଡ୍‌ରେ ବାହୁଙ୍ଗି ରଖି କାଉଡ଼ିଆମାନେ ବିଶ୍ରାମ ନେଇଥିଲେ। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ମନ୍ଦିର ନିକଟରେ ଅସ୍ଥାୟୀ ଶିବିର ଖୋଲା ଯାଇଥିବା ବେଳେ ମନ୍ଦିର ସିଂହଦ୍ବାରକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା। ଭକ୍ତମାନେ କିପରି ଶ୍ରୀଲିଙ୍ଗରାଜ ମନ୍ଦିରକୁ ଶୃଙ୍ଖଳିତ ଭାବେ ଯିବେ ସେନେଇ ପୁଲିସ ସଜାଗ ରହିଥିଲା। ମନ୍ଦିରକୁ ଦକ୍ଷିଣ ପାର୍ଶ୍ୱରେ ପ୍ରବେଶ କରୁଥିବା ବୋଲବମ୍ ଭକ୍ତମାନେ ହାଟ ଆଡ଼ୁ ଓ ବାମ ପାର୍ଶ୍ବରେ ଉତ୍ତର ଦ୍ବାର ପର୍ଯ୍ୟନ୍ତ ଧାଡ଼ି ବାନ୍ଧିଥିଲେ। ଭୋର ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆମାନେ ଭିତରକୁ ଶୃଙ୍ଖଳିତ ଭାବେ ପ୍ରବେଶ କରିଥିଲେ। ମନ୍ଦିର ମଧ୍ୟରେ ଥିବା ଏକ ତମ୍ୱା ନଳରେ ପାଣି ଢାଲିଥିଲେ। ତୀର୍ଥ ଜଳ ସିଧା ଯାଇ ଠାକୁରଙ୍କ ଶକ୍ତି ଉପରେ ପଡ଼ିଥିଲା। ମନ୍ଦିର ପରିସରରେ କାଉଡ଼ିଆ ଭକ୍ତଙ୍କ ସମେତ ବହୁ ସାଧାରଣ ଭକ୍ତ ମଧ୍ୟ ଜଳଲାଗି କରିଥିଲେ।

ବିଭିନ୍ନ ଶିବ ମନ୍ଦିରରେ ଭିଡ଼
ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆମାନେ ଜଳ ଲାଗି କରିଥିଲେ। ଏକାମ୍ର କ୍ଷେତ୍ରରେ ଡାକରା ବିଭିଷଣେଶ୍ୱର, ତୀର୍ଥେଶ୍ୱର, କପିଳେଶ୍ୱର, ଗୋସାଗରେଶ୍ୱର, ରାମେଶ୍ୱର, କେଦାରେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର ଆଦି ଶିବ ମନ୍ଦିରରେ କାଉଡ଼ିଆମାନେ ଜଳ ଲାଗି କରିଥିଲେ।

ମୂର୍ଚ୍ଛା ଗଲେ ନାବାଳିକା କାଉଡ଼ିଆ
କଟକ ବକ୍ସି ବଜାର ନିକଟର ଜଣେ ୧୪ବର୍ଷର ନାବାଳିକା କାଉଡ଼ିଆ ବି. ରେଖା ଶ୍ରୀଲିଙ୍ଗରାଜଙ୍କୁ ପାଣି ଲାଗି କରି ମନ୍ଦିରରୁ ବାହାରିବା ବେଳେ ମୂର୍ଚ୍ଛା ହୋଇଯାଇଥିଲେ। ସେ ମନ୍ଦିରର ଉତ୍ତର ଦ୍ବାର ପଟେ ବାହାରିବା ବେଳେ ଭିଡ଼ରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ମନ୍ଦିର ସଫେଇ କରୁଥିବା ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ବିଏମ୍‌ସି ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା।

ମନ୍ଦିର ସଫେଇ
ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଜଳ ଲାଗି ପରେ ମନ୍ଦିରରେ ପଡ଼ିଥିବା ମାଟି କଳସ, ପତ୍ର, ଫୁଲ, ବାହୁଙ୍ଗି, ଶିକା ଓ ବିଭିନ୍ନ ଜିନିଷକୁ ସେଚ୍ଛାସେବୀମାନେ ସଫେଇ କରିଥିଲେ। ଅପରାହ୍‌ଣରେ ସେବା ପ୍ରତିନିଧି ପକ୍ଷରୁ ନୀଳମଣି ମିଶ୍ରଙ୍କ ନେତୃତ୍ବରେ ବହୁ ସେଚ୍ଛାସେବୀ ସଫେଇ କରିଥିବା ବେଳେ ପୂର୍ବାହ୍‌ଣରେ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଋତୁରାଣୀ ସାସମଲଙ୍କ ନେତୃତ୍ବରେ ସେଚ୍ଛାସେବୀମାନେ ସ‌ଫେଇ କରିଥିଲେ। ଏଥିପାଇଁ ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର