ଖଣ୍ଡଗିରି : ମଙ୍ଗଳବାର ରାତି ପ୍ରାୟ ୯ଟାରେ ବରମୁଣ୍ଡା ରୁଚିକା ମାର୍କେଟ୍ ଭେଣ୍ଡିଂ ଜୋନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୯ଟି ଦୋକାନର ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ୪ଟି ଦୋକାନ ପୂରା ଜଳିଯାଇଛି। ସର୍ଟ ସର୍କିଟ୍ରୁ ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କ୍ଷତିଗ୍ରସ୍ତ ଦୋକାନୀମାନେ ହେଲେ, ପୂଜା ସମାଗ୍ରୀ ଦୋକାନ କରିଥିବା ଭଗବାନ ବେହେରା, ଅର୍ଜୁନ ବେହେରା, ପାନ ସମେତ ଭେରାଇଟ୍ ଷ୍ଟୋର କରିଥିବା ବସନ୍ତ ସାହୁ, କମଳ ସାହୁ, କାଶୀନାଥ ସାହୁ, ବାବୁ ବେହେରା, ପ୍ରମୋଦ ବସ୍ତିଆ, ମୋବାଇଲ୍ ଭାଉଚର୍ ବ୍ୟବସାୟୀ ସତ୍ୟଜିତ୍ ନାୟକ ଓ ଗ୍ୟାରେଜ୍ କରିଥିବା ଚକ୍ରଧର ବାରିକ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଆଜି ଏହି ଭେଣ୍ଡିଂ ଜୋନ୍ ସନ୍ଧ୍ୟାରେ ଖୋଲାଥିଲେ ମଧ୍ୟ ଭଗବାନ ତାଙ୍କ ପୂଜା ସାମଗ୍ରୀ ଦୋକାନ ବନ୍ଦ ରଖିଥିଲେ। ଅନ୍ୟ ସମସ୍ତ ଦୋକାନ କିନ୍ତୁ ଖୋଲାଥିଲା। ହଠାତ୍ ଭଗବାନଙ୍କ ଦୋକାନ ଜଳିବାକୁ ଲାଗିଥିଲା। ବନ୍ଦ ଦୋକାନ ଭିତରୁ ଆରମ୍ଭ ହୋଇଥିବା ନିଅାଁ ପୂରା ଦୋକାନକୁ ବ୍ୟାପିବା ପରେ ବାହାରକୁ ଜଣାପଡ଼ିଥିଲା। ନିକଟରେ ଜଳ ଉତ୍ସ ନଥିବା ବେଳେ ଏତେ ବଡ଼ ନିଅାଁକୁ ଆୟତ୍ତ କରିବା ଅନ୍ୟ ଦୋକାନୀମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଦୋକାନର ପ୍ଲାଇ ଛାତ ଖୁବ୍ ଜୋର୍ରେ ଜଳିବା ସହ ଭିତରେ ଭିତରେ ନିଅାଁ ପାଖ ଦୋକାନକୁ ଡେଇଁଥିଲା। ନିଅାଁ ଦ୍ରୁତ ବେଗରେ ବ୍ୟାପିବାରୁ କେହି ଭୟରେ ପାଖ ମାଡ଼ିବାକୁ ସାହସ କରିପାରିଲେ ନାହିଁ। ତେଣୁ ହାତ ପାଆନ୍ତାରେ ଅଗ୍ନିଶମ କେନ୍ଦ୍ର ଥିଲେ ବି ଦମକଳ ଗାଡ଼ି ସେଠାରେ ପହଞ୍ଚିବା ବେଳକୁ ୪ଟି ଦୋକାନ ସଂପୂର୍ଣ୍ଣ ଜଳି ଯାଇଥିଲା। ଭଗବାନଙ୍କ ପୂଜା ସମାଗ୍ରୀ ଦୋକାନ ପାଉଁଶ ଗଦା ପାଲଟି ଯାଇଥିବା ବେଳେ ବସନ୍ତ ସାହୁଙ୍କ ଭେରାଇଟ୍ ଷ୍ଟୋର ବି କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାୟ ସବୁ ଭେରାଇଟ୍ ଷ୍ଟୋରଗୁଡ଼ିକ ଭିତରେ ଫ୍ୟାନ୍, ଫ୍ରିଜ୍ ଆଦି ବହୁ ବୈଦ୍ୟୁତିକ ଉପକରଣ ଜଳି ଯାଇଥିଲା। ସେହିଭଳି ନିଅାଁ ବ୍ୟାପିବା ଦେଖି କିଛି ଦୋକାନୀ ତରବରରେ ଦୋକାନକୁ ଖାଲି କରିବାକୁ ଉଦ୍ୟମ କଲା ବେଳେ ବହୁ ଜିନିଷ ନଷ୍ଟ ହୋଇଥିଲା। ଦୁଇଟି ଦମକଳ ପ୍ରାୟ ଘଣ୍ଟାଏ ଲାଗିବା ପରେ ନିଅାଁ ଆୟତ୍ତ ହୋଇଥିଲା।