ପୂର୍ବତଟ ରେଳପଥକୁ ସଫଳତା, ୫ ବର୍ଷରେ ହଟିଲା ୫୨୫ଟି ମାନବବିହୀନ ଲେ‌ଭଲ କ୍ରସିଂ

ଭୁବନେଶ୍ବର: ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପୂର୍ବରୁ ମାନବବିହୀନ ରେଳବାଇ ଲେଭଲ କ୍ରସିଂକୁ ଅପସାରଣ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥକୁ ପୁରସ୍କାର ମିଳିଛି। ହରିୟାଣାର ଆମ୍ବାଲାଠାରେ ଅନୁଷ୍ଠିତ ୬୪ତମ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ଗତ ରବିବାର କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ଓ ହରିୟାଣା ମୁଖ୍ୟମନ୍ତ୍ରୀ ଏମ.ଏଲ. ଖଟ୍ଟର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ପୁରସ୍କୃତ କରିଛନ୍ତି। ୨୦୧୮ ଏପ୍ରିଲ ପହିଲା ପର୍ଯ୍ୟନ୍ତ ପୂର୍ବତଟ ରେଳପଥରେ ୧୧୭ଟି ମାନବବିହୀନ ଲେଭଲ କ୍ରସିଂ ଥିଲା। ୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ବିଭିନ୍ନ ଉପାୟରେ ଯଥା ରୋଡ୍‌ ଅଣ୍ଡର୍‌ବ୍ରିଜ ବା ଉପମାର୍ଗ ନିର୍ମାଣ ମାଧ୍ୟମରେ ୧୩ଟି, ମାର୍ଗ ପରିବର୍ତ୍ତନ ମାଧ୍ୟମରେ ୭ଟି ଓ ଜଗୁଆଳି ସୁବିଧା ପ୍ରଦାନ ମାଧ୍ୟମରେ ୯୭ଟି ମାନବବିହୀନ ରେଳବାଇ ଲେବଲ କ୍ରସିଂକୁ ଅପସାରଣ କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରୁ ୫୨୫ଟି ମାନବବିହୀନ ରେଳବାଇ ଲେବଲ କ୍ରସିଂକୁ ଅପସାରଣ କରିପାରିଛି। ରେଳବାଇ ପାଇଁ ମାନବବିହୀନ ରେଳବାଇ ଲେଭଲ କ୍ରସିଂକୁ ଅପସାରଣ କରିବା ଏକ ମିସନ୍‌ ଭା‌ବେ ନିଆଯାଇଛି। ଦେଶରେ ମାନବ ବିହୀନ ରେଳବାଇ ଲେବଲ କ୍ରସିଂଗୁଡ଼ିକରେ ରାସ୍ତା ବ୍ୟବହାରକାରୀଙ୍କୁ ନେଇ ବହୁ ଦୁର୍ଘଟଣା ଘଟୁଥିଲା। ଏବେ ମାନବବିହୀନ ରେଳବାଇ ଲେଭଲ୍‌ କ୍ରସିଂକୁ ଅପସାରଣ କରିବା ଦ୍ୱାରା ରେଳବାଇରେ ଦୁର୍ଘଟଣା ହ୍ରାସ ପାଇବା ସହ ଟ୍ରେନ୍‌ ଚଳାଚଳ ଦୃଷ୍ଟିକୋଣ କ୍ଷେତ୍ରରେ ନିରାପଦ ହୋଇପାରିଛି।

ସମ୍ବନ୍ଧିତ ଖବର