ଭୁବନେଶ୍ୱର : ରାଜ ପରିବାରରେ ଜନ୍ମଗ୍ରହଣ କରି ସଂସାରର ସମସ୍ତ ଦୁଃଖ ଓ କ୍ଲେଶରୁ ଦୂରରେ ଥିବା ସିଦ୍ଧାର୍ଥ ଦିନେ ବାହ୍ୟ ଜଗତର ସତ୍ୟତାକୁ ଦେଖନ୍ତି। ବୃଦ୍ଧ, ରୋଗୀ, ଶବ ଓ ସନ୍ନ୍ୟାସୀଙ୍କୁ ଦେଖି ଆତ୍ମବିଶ୍ଲେଷଣ କରନ୍ତି। ପରେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୁଅନ୍ତି ଓ ବୌଦ୍ଧତ୍ୱ ପ୍ରାପ୍ତ କରନ୍ତି। ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଗୁରୁ ନବକିଶୋର ମିଶ୍ର ନିଜ ଓଡ଼ିଶୀ ନୃତ୍ୟର ଛାନ୍ଦରେ ଏଭଳି ବଖାଣିଥିଲେ ‘ବୁଦ୍ଧଙ୍କ ଆତ୍ମଜୀବନୀ’କୁ। ଏହା ପରେ ନୃତ୍ୟଶିଳ୍ପୀ ବୀଣା ଚିକ୍କାନାହାଲ୍ଲୀ ଶେଷାଦ୍ରି ନିଜ ଭାରତନାଟ୍ୟମ୍ ନୃତ୍ୟରେ ‘ସ୍ୱରଗୁଚ୍ଛ’ ଓ ଅଷ୍ଟପଦୀ ପରିବେଷଣ କରିଥିଲେ। ଏହା ପରେ ସୀତାର ବାଦନ କରିଥିଲେ ସୁବ୍ରତ ଦେ। ନୃତ୍ୟାନୁଷ୍ଠାନ ‘କଳିଙ୍ଗାୟନ ତୋର୍ଯ୍ୟତ୍ରିିିକମ୍’ ପକ୍ଷରୁ ଆୟୋଜିତ ‘ନବମ ଭରତ ମୁନି ସମ୍ମାନ ମହୋତ୍ସବ’ ଉଦ୍ଯାପନୀ ସଂଧ୍ୟାରେ ଏଭଳି ଜମିଥିଲା ନୃତ୍ୟ ଓ ସଂଗୀତର ଆସର।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଆମ ଭୂଖଣ୍ଡ, ବେଶଭୁଷା, ଭାଷା ଓ ଖାଦ୍ୟ ଆଦିରେ ବିଭିନ୍ନତା ଥିଲେ ମଧ୍ୟ ଏହି ସଙ୍ଗୀତ ଓ ନୃତ୍ୟ ଆମକୁ ଏକତାର ବନ୍ଧନରେ ବାନ୍ଧିରଖିଛି। ଏହାରି ମାଧ୍ୟମରେ ହିଁ ବିଭିନ୍ନ ବର୍ଗ ଓ ଜୀବିକାର ଲୋକେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଆନ୍ତି। ତେଣୁ ସଂସ୍କୃତି ୫ ହଜାର ବର୍ଷ ପୁରୁଣା ହେଉ ବା ଗତକାଲିର ଏହା ହିଁ ମଣିଷକୁ ଏକ ସ୍ରୋତରେ ବାନ୍ଧିବାର ଏମ ବଳିଷ୍ଠ ମାଧ୍ୟମ। କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ ଦାମୋଦର ରାଉତ ସମ୍ମାନିତ ଅତିିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପଦ୍ମବିଭୂଷଣ ଆଦୂର ଗୋପାଳକୃଷ୍ଣନ୍ଙ୍କୁ ଚଳିତ ବର୍ଷର ‘ଭରତ ମୁନି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ବାବଦରେ ଅନୁଷ୍ଠାନ ପକ୍ଷରୁ ୨୫ ହଜାର ଟଙ୍କା ଅର୍ଥ ରାଶି ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଅବସର ବେଉରିଆ ଓ ଟ୍ରଷ୍ଟି ପୁଷ୍ପିତା ମିଶ୍ର ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।