ଏମ୍‌ସ ହେଲିପ୍ୟାଡ୍‌ ସ୍ଥାନାନ୍ତର ପ୍ରସଙ୍ଗ : ନର୍ସିଂ କଲେଜ ବିଲ୍‌ଡିଂ ନିକଟରେ ଜମି ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସର ହେଲିପ୍ୟାଡ୍‌ ପାଇଁ ଜମି ଚିହ୍ନଟ ହୋଇଛି। ନର୍ସିଂ କଲେଜ ବିଲ୍ଡିଂ ନିକଟ ଏକ ପାର୍କିଂ ସ୍ଥାନରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ ବୋଲି ପରିଚାଳନା କମିଟି ସ୍ଥିର କରିଛି। ଏହି ସ୍ଥାନଟି ଟ୍ରମା ସେଣ୍ଟର୍‌ଠାରୁ ଖୁବ୍‌ କମ୍‌ ଦୂର ହୋଇଥିବାରୁ ଉପଯୁକ୍ତ ବୋଲି ଦର୍ଶାଯାଇଛି। ପୂର୍ବ ପ୍ରସ୍ତାବିତ ସ୍ଥାନ ଓ ନୂତନଭାବେ ଚିହ୍ନଟ ହୋଇଥିବା ସ୍ଥାନ ଟ୍ରମା ସେଣ୍ଟର୍‌ଠାରୁ ପ୍ରାୟ ସମାନ ଦୂର। ଫଳରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରୁ ଚିକିତ୍ସା ଲାଗି ଅଣାଯିବାକୁ ଥିବା ଗୁରୁତର ଆହତ ସୁରକ୍ଷାକର୍ମୀଙ୍କ ପାଇଁ ଜରୁରୀ ହେଲିପ୍ୟାଡ୍‌ ଏହି ଉପଯୁକ୍ତ ସ୍ଥାନରେ ନିର୍ମାଣ କରାଯିବ। ତେଣୁ ଟ୍ରମା ସେଣ୍ଟର୍‌ଠାରୁ ଅଧିକ ଦୂରକୁ ହେଲିପ୍ୟାଡ୍‌ ସ୍ଥାନାନ୍ତର ହେବା ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହାର ଅବସାନ ଘଟିଛି ବୋଲି କୁହାଯାଉଛି।

ଏମ୍‌ସ କର୍ତୃପକ୍ଷଙ୍କ ସୂଚନାନୁସାରେ ନର୍ସିଂ କଲେଜ ନିକଟରେ ଏକ ପାର୍କିଂ ସ୍ଥାନ ରହିଛି। ଏଠାରେ ଅଳ୍ପ କିଛି ଏମ୍‌ସ କର୍ମଚାରୀମାନେ ଗାଡ଼ି ପାର୍କିଂ କରନ୍ତି। ଏବେ ଗାଡ଼ି ପାର୍କିଂ ପାଇଁ ଆନାଟୋମି ବିଭାଗ ନିକଟକୁ ଏକ ସ୍ଥାନ ଚିହ୍ନଟ କରାଯାଇଛି। ଫଳରେ ପାର୍କିଂ ସମସ୍ୟା ରହିବ ନାହିଁ। ତେଣୁ ଏହି ପାର୍କିଂ ସ୍ଥାନରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ ବୋଲି ଏମ୍‌ସ ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଆଜି ଏ ନେଇ ଭୁବନେଶ୍ୱର ଏମ୍‌ସ କର୍ତୃପକ୍ଷ ଏକ ପ୍ରେସ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି। ପୂର୍ବରୁ ହେଲିପ୍ୟାଡ୍‌ ପାଇଁ ଟ୍ରମା ସେଣ୍ଟର୍‌ ନିକଟରେ ଏକ ସ୍ଥାନ ଚିହ୍ନଟ କରାଯାଇଥିଲା। କିନ୍ତୁ ପରେ ଏହି ସ୍ଥାନରେ ତରଳ ଅମ୍ଳଜାନ ପ୍ଲାଣ୍ଟ ଓ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବ୍ୟବସ୍ଥା ନିର୍ମାଣ କରାଯିବା ଯୋଗୁଁ ଏହାକୁ ସ୍ଥାନାନ୍ତର କରାଯିବ ବୋଲି ସ୍ଥିର କରାଯାଇଥିଲା। ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ୍‌(ପିଇଏସ୍‌ଓ)ର ପରାମର୍ଶ ଅନୁସାରେ ତରଳ ଅମ୍ଳଜାନ ପ୍ଲାଣ୍ଟ ନିକଟରେ ହେଲିପ୍ୟାଡ୍‌ ରହି ପାରିବ ନାହିଁ। ଏମିତିକି ହେଲିପ୍ୟାଡ୍‌ ନିକଟରେ ଏହି ପ୍ଲାଣ୍ଟକୁ ଲାଇସେନ୍‌ସ ପ୍ରଦାନ କରିବ ନାହିଁ ବୋଲି ପିଇିଏସ୍‌ଓ ରୋକ୍‌ଠୋକ ମନା କରିଥିଲା। ତେଣୁ ଟ୍ରମା ସେଣ୍ଟର ନିକଟରେ ତରଳ ଅମ୍ଳଜାନ ପ୍ଲାଣ୍ଟ ଓ ମେଡିକାଲ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବ୍ୟବସ୍ଥା ଜରୁରୀ ହୋଇଥିବାରୁ ହେଲିପ୍ୟାଡ୍‌କୁ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ପ୍ରସ୍ତାବିତ ହେଲିପ୍ୟାଡ୍‌ ଜମିର ବଳକା ଅଂଶରେ ୨୬ କୋଟି ଟଙ୍କା ବ୍ୟୟରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ଧର୍ମଶାଳା(ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମାଗାର) ନିର୍ମାଣ କରିବା ପାଇଁ ନାଲ୍‌କୋ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର