ଭୁବନେଶ୍ୱର : ଟ୍ରାଫିକ୍ ଜାମ୍ରେ ଆମ୍ବୁଲାନ୍ସ ଫସି ଜଣେ ୫ବର୍ଷର ଶିଶୁର ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମୁ ନଥିଲା ବେଳେ ଆଜି ପୁଣି ସମାନ ଧରଣର ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥରେ। ଟ୍ରାଫିକ୍ ଜାମ୍ ଯୋଗୁଁ ପିତାପଲ୍ଲୀ ଛକଠାରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଫସି ରହିଥିଲା। ଆମ୍ବୁଲାନ୍ସଟି ଏମରଜେନ୍ସି ଲାଇଟ୍ ଜଳାଇବା ସହ ଦୀର୍ଘ ୧୫ରୁ ୨୦ ମିନିଟ୍ ଧରି ସାଇରନ୍ ବଜାଇଥିଲେ ମଧ୍ୟ ଆଗରେ ରାସ୍ତା ଜାମ କରି ରଖିଥିବା ଗାଡ଼ି ତାକୁ ବାଟ ଛାଡ଼ି ନ ଥିଲା। ଶେଷରେ ଖଣ୍ଡେ ଦୂରରେ ଥିବା ପିସିଆର୍ ଭ୍ୟାନ୍ ଆସି ଆମ୍ବୁଲାନ୍ସକୁ ବାଟ କଢ଼ାଇ ନେବା ପରେ ଆମ୍ବୁଲାନ୍ସରେ ଥିବା ସଂକଟାପନ୍ନ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଏବେ ଖଣ୍ଡଗିରି ଯାତ୍ରା ଚାଲି ଥିବାରୁ ଭିଡ଼ ଏଡ଼ାଇବା ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନଗୁଡ଼ିକୁ ପିତାପଲ୍ଲୀ ଛକରୁ ବାରଙ୍ଗ ଦେଇ ଛଡ଼ା ଯାଉଛି। ଅନ୍ୟପଟେ ରାସ୍ତା କାମ ଚାଲିଥିବାରୁ ଗୋଟିଏ ପାର୍ଶ୍ୱର କିଛି ଅଂଶ ବନ୍ଦ ରଖାଯାଇ କାମ କରାଯାଉଛି। ଫଳରେ ଏହି ଛକରେ ପ୍ରବଳ ଟ୍ରାଫିକ୍ ଜାମ ହେଉଛି। ଆଜି ରବିବାର ତଥା ଖଣ୍ଡଗିରି ଯାତ୍ରାର ଶେଷ ଦିନ ଥିବାରୁ ରାତି ପ୍ରାୟ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ଛକରେ ପ୍ରବଳ ଭିଡ଼ ହୋଇଥିଲା। ସେହି ସମୟରେ ଖୋର୍ଧାରୁ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ୧୦୮ଆମ୍ବୁଲାନ୍ସଟି ଭିଡ଼ ଭିତରେ ଫସି ଯାଇଥିଲା। ତେବେ ସଂପୃକ୍ତ ଛକରେ ବିଫଳ ଟ୍ରାଫିକ୍ ପରିଚାଳନା ଯୋଗୁଁ ଆଜି ଏପରି ପରିସ୍ଥିତି ଦେଖାଦେଲା ବୋଲି ଲୋକେ କହିଛନ୍ତି।