ବିଜେଇଏମ୍‌ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ କୁମାର ପରିଡ଼ା ଯୋଗଦେଇ ପିଲାମାନଙ୍କର ଦକ୍ଷତାର ବିକାଶରେ ବିଦ୍ୟାଳୟର ଭୂମିକା ରହିବା ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ମାଇଁ ସିଟି ଲିଙ୍କ୍‌ସର ନିର୍ଦ୍ଦେଶକ ସତ୍ୟବ୍ରତ ରଥ ଯୋଗଦେଇ ପିଲାମାନେ ପାଠ ପଢ଼ା ସହ ଅନ୍ୟ ଭଲ ଗୁଣର ଅଧିକାରୀ ହେବା ଦରକାର ବୋଲି କହିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅତିରିକ୍ତ ମ୍ୟାନେଜର ଚିତ୍ତରଞ୍ଜନ ବୈରିଶାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର୍‌ ପ୍ରତାପ କୁମାର ଜେନା ପିଲାମାନଙ୍କର ବୌଦ୍ଧିକ, ସାଂସ୍କୃତିକ ଓ ବାହ୍ୟଜ୍ଞାନ ଅର୍ଜନ ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ରଘୁନାଥ ମିଶ୍ର ପିଲାମାନଙ୍କର ସର୍ବାଙ୍ଗୀନ ଗୁଣର ବିକାଶରେ ବିଦ୍ୟାଳୟର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କୃତୀ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୨୦୧୭-୧୮ ବର୍ଷ ପାଇଁ ଶ୍ୱେତାଲୀନା ମହାନ୍ତି (ନବମ ଶ୍ରେଣୀ) ବିଜେଇଏମ ବ୍ଲୁ, ୨୦୧୬-୧୭ ବର୍ଷ ପାଇଁ ଆରାଧନା ମନସ୍ୱିନୀ ଶ୍ରେଷ୍ଠ ଶିକ୍ଷାର୍ଥୀ ଏବଂ ଚିନ୍ମୟ ରଥଙ୍କୁ ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ର ଭାବେ ପୁରସ୍କୃତ କରାଯାଇଥିଲା। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତକାଲି ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମୁଖ୍ୟଅତିଥି ଓ ଖୋର୍ଦ୍ଧା ଉପଜିଲ୍ଲାପାଳ ମାନସ ରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର