ଯୁବକଙ୍କ ବେକରେ ଛୁରି ଲଗାଇ ଲୁଟ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରୁ ଜେଣ ଯୁବକଙ୍କ ବେକରେ ଛୁରି ଲଗାଇ ୩ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟ୍‌ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ କେଦାରପଲ୍ଲୀ ଅଞ୍ଚଳର ବିଜୁ ନାଏକ(୧୯) ଓ ଟୁବୁଲା ନାଏକ(୨୦)।

ପୁଲିସ ସୂଚନା ମୁତାବକ, ଗତ ଜୁଲାଇ ୧୭ ତାରିଖ ଭୋର ୪ଟା ସମୟରେ ସୁଶାନ୍ତ ନାଏକ ନାମକ ଜଣେ ଯୁବକ ମାଷ୍ଟରକ୍ୟାଣ୍ଟିନ୍‌ରୁ ଭୀମପୁର ସ୍ଥିତ ଘରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ବିଜୁ, ଟୁବୁଲା ଓ ଦୀପନ ତିନି ଜଣ ଏକ ବାଇକ୍‌ରେ ଆସି ସୁଶାନ୍ତଙ୍କ ବେକରେ ଏକ ଛୁରି ଲଗାଇ ଧମକାଇଥିଲେ। ଏହାପରେ ସୁଶାନ୍ତଙ୍କ ପକେଟ୍‌ରୁ ୩ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ନେଇଯାଇଥିଲେ। ଏନେଇ ସୁଶାନ୍ତ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ମୋବାଇଲ୍‌ ଟ୍ରାକିଂରୁ ପୁଲିସ ଗତ ୧୫ ଦିନ ତଳେ ଦୀପନ ନାଏକର ଠିକଣା ଠାବ କରି ତାକୁ ଗିରଫ କରିଥିଲା। ଥାନାରେ ପଚରାଉଚରା ପରେ ଲୁଟ୍‌ ଘଟଣାରେ ବିଜୁ ଓ ଟୁବୁଲା ସାମିଲ୍‌ ଥିବା କହିଥିଲା। ତେବେ ରବିବାର ରାତିରେ ପୁଲିସ ଉଭୟ ଟୁବୁଲା ଓ ବିଜୁକୁ କେଦାରପଲ୍ଲୀରୁ ଗିରଫ କରିଥିଲା। ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଲୁଟ୍‌ ବିଷୟରେ ମାନିଥିଲେ। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର