ପୁରୁଣା ଭୁବନେଶ୍ୱର: ଫଳ ବଜାରରେ ଏବେ ଆମ୍ବ ପାଇଁ ଭିଡ଼ ଜମୁଛି। ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ ବିକ୍ରି ହେଉଛି। ଆମ୍ବ ସିଜିନ୍ ଚାଲିଥିବାରୁ ଗ୍ରାହକଙ୍କର ଦାମକୁ ଚିନ୍ତା ନାହିଁ। ବଜାରରୁ ଫେରିବା ବେଳକୁ ବ୍ୟାଗ୍ରେ କିଛି ଥାଉକି ନଥାଉ, କିନ୍ତୁ ଆମ୍ବ କିଣି ଘରକୁ ନେଉଛନ୍ତି। ହେଲେ ଘରକୁ ପ୍ରତିଦିନ ବୋହି ଆଣୁଥିବା ଏହି ଆମ୍ବ ଶରୀର ପାଇଁ କ୍ଷତିକାରକ ନୁହେଁ ତ? ବଜାରରୁ ଆମ୍ବ କିଣିବା ବେଳେ ଆପଣମାନେ ଅନ୍ତତଃ ଗୋଟିଏ ଥର ଚିନ୍ତା କରିନିଅନ୍ତୁ। କାରଣ ବଜାରରେ ଉପଲବ୍ଧ ଏହି ପାଚିଲା ଆମ୍ବ କ୍ୟାନସର୍ ଭଳି ଭୟଙ୍କର ରୋଗକୁ ଡାକି ଆଣୁଛି। ଯେଉଁ ଆମ୍ବ ଗଛରେ ପାଚିବା କଥା କିମ୍ବା ବନିଥିବା ଆମ୍ବକୁ ତୋଳି ଆଣିଲେ କିଛି ଦିନ ପରେ ଆପେ ଆପେ ପାଚିବା କଥା, ସେହି ଆମ୍ବକୁ କଞ୍ଚା ଅବସ୍ଥାରେ ତୋଳାଯାଇ କ୍ୟାଲସିୟମ୍ କାରବାଇଡ୍ ଦେଇ ପଚାଯାଉଛି। ଫଳରେ ଉପରକୁ ହଳଦିଆ ଦେଖା ଯାଉଥିବା ଏହି ଆମ୍ବଗୁଡ଼ିକ ପାଟିକୁ ସୁଆଦ ଲାଗୁ ନାହିଁ। ଆଉ ଦେହ ପାଇଁ ମଧ୍ୟ କ୍ଷତିକାରକ ସାଜୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ରପ୍ତାନୀ କରାଯାଉଥିବା କଞ୍ଚା ଆମ୍ବଗୁଡ଼ିକୁ ପ୍ରଥମେ ପ୍ୟାକିଂ କରି ସେଥିରେ କ୍ୟାଲସିୟମ କାରବାଇଡ୍ ଦିଆଯାଉଛି। ଫଳରେ ଏଗୁଡ଼ିକ ବ୍ୟବସାୟୀଙ୍କ ପାଖରେ ପହଞ୍ଚିବା ବେଳକୁ ଦର ପାଚିଲା ହୋଇ ଯାଉଛି। ସାଧାରଣ ଗରାଖଟିଏ ସେଇ ପାଚିଲା ଟହଟହ ଆମ୍ବଗୁଡ଼ିକୁ କିଣି ଖାଉଛି, ଯେଉଁଥିରେ ଥିବା ବିଷ ସିଧାସଳଖ ଶରୀରକୁ ଯାଉଛି। ତେବେ ବର୍ତ୍ତମାନ ବଜାରରେ ମିଳୁଥିବା ପାଚିଲା ଆମ୍ବରେ ବିଷ ଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିଥିଲେ ହେଁ ପଦକ୍ଷେପ ନେଉନାହିଁ। ବଜାରରେ ବିକ୍ରି ହେଉଥିବା କାରବାଇଡ୍ ଆମ୍ବ ସମ୍ବନ୍ଧରେ ଓୟୁଏଟିର ବିଶେଷଜ୍ଞ ପ୍ରଫେସର୍ ଚିନ୍ତାମଣି ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ପ୍ରାକୃତିକ ଉପାୟରେ ପଚା ଯାଇ ଆମ୍ବ ଖାଇଲେ କୌଣସି ସମସ୍ୟା ନାହିଁ। କାରବାଇଡ୍ ଦିଆ ଆମ୍ବ ଖାଇଲେ ରୋଗ ହେବାର ସମ୍ଭାବନା ଅଧିକ। କ୍ୟାଲସିୟମ କାରବାଇଡ୍ରୁ ଏସ୍ଟିଲିନ୍ ଗ୍ୟାସ୍ ବାହାରୁ ଥିବାରୁ ପାଚିବା ପାଇଁ ଯେଉଁ ଫଳରେ ଏହାକୁ ଦିଆଯାଇଥାଏ, ସେଥିରେ ଏହି ଗ୍ୟାସ୍ ରହିଯାଏ। ଫଳରେ ଏହାକୁ ଖାଉଥିବା ଲୋକ ନିକଟରେ ହୃଦ୍ରୋଗ ସହ କ୍ୟାନସର୍, ଥାଇରଏଡ୍, ପାଟି ଭିତରେ ଘା’, ଆଲର୍ଜି ଭଳି ରୋଗ ଦେଖାଯାଏ। ସେହିପରି ବୟସ୍କ ଲୋକଙ୍କ ନିକଟରେ ଆଜ୍ମା ରୋଗ ଦେଖାଯାଇଥାଏ। ତେବେ ପ୍ରାକୃତିକ ଉପାୟରେ ଯେପରିକି ଧୂଆଁ ଦେବା, ପାଳ କୁଟାରେ ଘୋଡ଼ାଇ ରଖିବା, ଝୋଟ ଅଖାରେ ବାନ୍ଧି ରଖିବା ଦ୍ଵାରା ମଧ୍ୟ ଆମ୍ବ ପାଚିଥାଏ। ତେବେ ଲାଭ ଆଶାରେ ଶୀଘ୍ର ପଚାଯାଉଥିବା ଏହି କାରବାଇଡ୍ ଦିଆ ଆମ୍ବ ପାଟିକୁ ସୁଆଦ ଲାଗୁନଥିବା ବେଳେ ଶରୀର ପାଇଁ ମଧ୍ୟ କ୍ଷତିକାରକ। ବଜାରରୁ ୨୦ ଟଙ୍କାର କ୍ୟାଲସିୟମ କାରବାଇଡ୍ ଆଣି ୩୬ରୁ ୪୮ଘଣ୍ଟା ମଧ୍ୟରେ ଗୋଟେ କୁଇଣ୍ଟାଲ ଫଳ ପଚାଯାଉଛି। କେବଳ ଆମ୍ବ ନୁହେଁ କଦଳୀ, ସପୁରୀ, ପଣସ, ଖଜୁରୀ, ଅମୃତଭଣ୍ଡା ଏବଂ ବଜାରରେ ମିଳୁଥିବା ପ୍ରାୟ ସମସ୍ତ ଫଳରେ କ୍ୟାଲସିୟମ୍ କାରବାଇଡ୍ ବ୍ୟବହାର ହେଉଛି। ଯାହା ଏବେ ସାଧାରଣ ଲୋକଙ୍କ ପାଇଁ ବଇରି ସାଜିଛି।