୧୮ରେ ଉଦ୍‌ଘାଟିତ ହେବ ଭୁବନେଶ୍ବର ଆର୍ଟ ଟ୍ରେଲ୍, ୨୪ ଶିଳ୍ପୀଙ୍କ ଦ୍ବାରା ୨୪ ସ୍ଥାନରେ ୨୪ କଳାକୃତି

ଭୁବନେଶ୍ବର: ଆସନ୍ତା ୧୮ତାରିଖରେ ଉଦ୍‌ଘାଟିତ ହେବ ଭୁବନେଶ୍ବର ଆର୍ଟ ଟ୍ରେଲ୍ ବା ବିଏଟି। ଉତ୍ସ ଫାଉଣ୍ଡେସନ୍ ଅଫ କଣ୍ଟେମ୍ପରାରି ଆର୍ଟ, ରାଜ୍ୟ ପର୍ଯ୍ୟଟନ, ବିଡିଏ, ବିଏମ୍‌ସି ଓ ବିଏମ୍‌ସିଏଲର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେଉଛି। ପୁରୁଣା ଭୁବନେଶ୍ବରରେ ୧.୩ କି.ମି ପରିସରରେ ଏହି କଳାକୃତି ପ୍ରଦର୍ଶିତ ହେବ। ୨୪ଜଣ ଶିଳ୍ପୀଙ୍କ ଦ୍ବାରା ୨୪ଟି ସ୍ଥାନରେ ୨୪ଟି କଳାକୃତି ପ୍ରସ୍ତୁତ କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଲୋକମାନେ ଏହି କଳାକୃତି ଦେଖିବାର ସୁଯୋଗ ପାଇପାରିବେ। ଆଜି ପ୍ରେସ୍ କ୍ଲବ୍ ଅଫ ଓଡ଼ିଶାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଏଟିର ପ୍ରକଳ୍ପ ନିର୍ଦେଶିକା ସୁକନ୍ୟା ରଥ କହିଲେ, ମନ୍ଦିର ମାଳିନୀ ଭୁବନେଶ୍ବରର ଇତିହାସ ବହୁତ ପୁରୁଣା। ଏହି କଳାକୃତିକୁ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଦେଶ ତଥା ଦେଶ ବାହାରର ଶିଳ୍ପୀମାନେ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି। ଏହାର ବିଷୟବସ୍ତୁ ରହିଛି ‘ନାଭିଗେସନ୍ ଇଜ୍ ଅଫ୍‌ଲାଇନ୍’। ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା ଜିନିଷ ଉପରେ ଗୁରୁତ୍ବ ଦିଆଯାଇଛି। ପଥର, ମହାପ୍ରସାଦ କୁଡ଼ୁଆ, ମନ୍ଦିରରେ ବ୍ୟବହୃତ ଦୀପ, ପୂଜା ପରେ କାଢ଼ି ନିଆଯାଉଥିବା ଫୁଲକୁ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି। ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ କର୍ମଶାଳା, ଚଳଚ୍ଚିତ୍ର ସ୍କ୍ରିନିଂ ଓ ଲୋକନୃତ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ୧କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ଶ୍ରୀମତୀ ରଥ କହିଥିଲେ। ବ୍ୟାଟ୍ ଭିଜନ୍‌ର ଜଗନ୍ନାଥ ପଣ୍ଡା କହିଲେ, ରାଜଧାନୀର କେଉଁ ସ୍ଥାନରେ ଏହାକୁ ପ୍ରସ୍ତୁତ କରାଯିବ ତାହାକୁ ନେଇ ପୂର୍ବରୁ ଏକ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ପୁରୁଣା ଭୁବନେଶ୍ବରରେ ଏହି କଳାକୃତିକୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପୁରୁଣା ଭୁବନେଶ୍ବରର ଏକ ନିଜସ୍ବ ଇତିହାସ ରହିଛି। ଏଠାରେ ଷଷ୍ଠ ଶତାବ୍ଦୀରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ମନ୍ଦିରରେ କଳାକୃତି ରହିଛି। ତେଣୁ କଳାକୃତିକୁ ପାରମ୍ପରିକ ଢଙ୍ଗରେ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ‌କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏଟିର କ୍ୟୁରେଟର ପ୍ରେମଜିଷ ଆଚାରୀ, ପର୍ଯ୍ୟଟନ ବିଭାଗର ଉପ-ନିର୍ଦେଶକ ଉତ୍ପଳ ପତି, ଚାରୁଦତ୍ତ ପାଣିଗ୍ରାହୀ, ସିଦ୍ଧାର୍ଥ ମହାନ୍ତି, ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର