ଭୁବନେଶ୍ବର ଆଇଆଇଟିକୁ ସଫଳତା, ବାର୍ଷିକ ୩୯ ଲକ୍ଷ ଟଙ୍କାରେ ନିଯୁକ୍ତି

କ୍ୟାମ୍ପସ୍‌ ଚୟନରେ ଭାଗନେଲେ ୫୨ କମ୍ପାନି, କୋର ‌‌ସେକ୍ଟରରେ ୫୩% ଛାତ୍ରଛାତ୍ରୀଙ୍କୁ ଚାକିରି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ମଧ୍ୟରେ ଆଗରେ ରହିଛି ଭୁବନେଶ୍ବର ଆଇଆଇଟି। କ୍ୟାମ୍ପସ୍‌ର ଭିତ୍ତିଭୂମି ବିକାଶ ସାଙ୍ଗକୁ ନିଯୁକ୍ତି ‌କ୍ଷେତ୍ରରେ ଗତ ୩ ବର୍ଷ ହେଲା ବେଶ୍‌ ସଫଳତା ହାସଲ କରିଛି। ବହୁ କମ୍‌ ସମୟ ମଧ୍ୟରେ ଏଠାକାର ପିଲାମାନେ ଦେଶର ପୁରାତନ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମକକ୍ଷ ହୋଇ ପାରିଛନ୍ତି।  ଚଳିତବର୍ଷ ଆଇଆଇଟିର ଜଣେ ବି.ଟେକ୍‌ ଛାତ୍ର ବାର୍ଷିକ ୩୯ ଲକ୍ଷ ଟଙ୍କା ଦରମା‌ରେ ଚାକିରି ପାଇଛନ୍ତି। ୮୭ ପ୍ରତିଶତ ପିଲାଙ୍କୁ ଦେଶ ବିଦେଶର ବିଭିନ୍ନ କମ୍ପାନିରେ ନିଯୁକ୍ତି ମିଳିଛି। ସରକାରୀ ଓ ବେସରକାରୀ କମ୍ପାନିମାନେ ମଧ୍ୟ ଭୁବନେଶ୍ବର ଆଇଆଇଟି ପ୍ରତି ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ୨୦୧୮ରେ ୧୩୦ ଜଣ ୟୁଜି ଛାତ୍ରଛାତ୍ରୀ ନିଯୁକ୍ତିପତ୍ର ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ପିଲା ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ଦେଶରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସ୍‌ୟୁ) ଇସ୍ରୋ, ଆଇଓସିଏଲ୍‌, ଏଚ୍‌ପିସିଏଲ୍‌, ଏନ୍‌ସିସିବିଏମ୍‌ ପ୍ରଭୃତି କମ୍ପାନିରେ ଆଇଆଇଟିର ପିଲାମା‌ନେ ନିଯୁକ୍ତି ପାଇଛନ୍ତି। ବହୁ ଦେଶୀୟ କମ୍ପାନି (ଏମ୍‌ଏନ୍‌ସି) ଯେପରିକି ରେନଲ୍ଡ ନିସାନ, ସାମସଙ୍ଗ, ଓରାକେଲ୍‌, ଇନ୍‌ଫୋସିସ୍‌, ଟିସିଏସ୍‌ ପରି କମ୍ପାନି ଏଥର କ୍ୟାମ୍ପସ ଚୟନରେ ସାମିଲ ହୋଇଥିଲେ। ମୋଟ ୫୨ଟି ଦେଶୀୟ ଓ ବହୁ ଦେଶୀୟ କମ୍ପାନି ଏଥର କ୍ୟାମ୍ପସ୍‌ ଚୟନରେ ଭାଗନେଇଥିଲେ। ଜଣେ ଛାତ୍ର ବାର୍ଷିକ ୩୯ ଲକ୍ଷ ଟଙ୍କାରେ ନିଯୁକ୍ତି ପାଇଥିବା ବେଳେ ୩ ଜଣ ବାର୍ଷିକ ୩୦ ଲକ୍ଷରୁ ଅଧିକ ଟଙ୍କାରେ ନିଯୁକ୍ତି ପାଇଛନ୍ତି। ବାର୍ଷିକ ହରାହାରି ୧୧.୧୫ ଲକ୍ଷରେ ଆଇଆଇଟିର ଛାତ୍ରଛାତ୍ରୀ ଚାକିରି ପାଇଥିବା କୁହାଯାଇଛି। ଏବେ ୩ୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିଳ୍ପସଂସ୍ଥାରୁ ନିଯୁକ୍ତି ପାଇଁ ପ୍ରସ୍ତାବ ଆସିଛି। ଏପରିକି କେତେକ ଛାତ୍ରଛାତ୍ରୀ ବିଭିନ୍ନ ସଂସ୍ଥା ଓ ବିଦେଶୀ ବିଶ୍ବବିଦ୍ୟାଳୟରେ ଇଣ୍ଟର୍ଣ୍ଣସିପ୍‌ କରିବାର ସୁଯୋଗ ପାଇଥିବା ଆଇଆଇଟି ପକ୍ଷରୁ କୁହାଯାଇଛି।

ଏମ୍‌.ଟେକ୍‌ରେ ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ଏମ୍‌ ଏସ୍‌ସିର ବେସିକ୍‌ ସାଇନ୍ସ ବିଭାଗରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। କୋର୍‌ ସେକ୍ଟର୍‌ରେ ସର୍ବାଧିକ ୫୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଆଇଟି ସେକ୍ଟର୍‌ରେ ୧୯, ପିଏସ୍‌ୟୁ କ୍ଷେତ୍ରରେ ୮, ଆନାଲେଟିକ୍ସରେ ୪, ଶିକ୍ଷା କ୍ଷେତ୍ରରେ ୧୦, ଇ-କମର୍ସରେ ୫ ଓ ଏନ୍‌ବିଏଫ୍‌ସିରେ ଗୋଟିଏ ପ୍ରତିଶତ ପିଲା ନିଯୁକ୍ତି ପାଇଛନ୍ତି। ଭୁବନେଶ୍ବର ଆଇଆଇଟି ନିର୍ଦେଶକ ଆର‌୍ ଭି ରାଜକୁମାରଙ୍କ କହିବାନୁଯାୟୀ ପୁରା‌ତନ ଆଇଆଇଟି ତୁଳନାରେ ଭୁବନେଶ୍ବରର ପିଲାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲୀ ଓ ବମ୍ବେ ଆଇଆଇଟିର ଛାତ୍ରଛାତ୍ରୀ ବାର୍ଷିକ ୫୦ରୁ ୬୦ ଲକ୍ଷ ଟଙ୍କାରେ ନିଯୁକ୍ତି ପାଇଥାନ୍ତି। ସେହି ତୁଳନାରେ ଭୁବନେଶ୍ବର ଆଇଆଇଟିର ପିଲାମାନେ ୪୦ ଲକ୍ଷ ଟଙ୍କା ପାଇବା ‌ବଡ଼ ସଫଳତା। ଆଗାମୀ ଦିନରେ ଏଠାକାର ପିଲାମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର