ବିଜେଡିକୁ ଉତ୍ତର, ବିଜେପିକୁ ଏକାମ୍ର ଚିନ୍ତା

ବିଜୟ, ପ୍ରିୟଦର୍ଶୀ, ଅମୀୟ ଏବେ ବି ଅଭିମାନରେ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଛି। ସୋମବାର ଚୂଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ହେଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର୍ ପ୍ରଚାର ଆରମ୍ଭ କରିଦେଲେଣି। ଭୋଟରଙ୍କୁ ମନାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ବି ଦେଉଛନ୍ତି। ସମସ୍ତଙ୍କ ଟାର୍ଗେଟ୍‌ ବିଜୟ। ହେଲେ ପ୍ରାର୍ଥୀଙ୍କ ଏହି ବିଜୟ ରାସ୍ତାରେ ନିଜ ନିଜ ଦଳର କିଛି ନେତା ଏବେ ବି ପ୍ରତିବନ୍ଧକ ଅଛନ୍ତି। ଯାହାଙ୍କୁ ମନଇବାକୁ ଦଳ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ହୋଇଥିଲେ ବି ସେମାନଙ୍କ ମାନଭଞ୍ଜନ ହେଉନି।

ଭୁବନେଶ୍ବର ଏକାମ୍ରରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦୁଇ ଥର ବିଧାୟକ ହୋଇଥିବା ଅଶୋକ ଚନ୍ଦ୍ର ପଣ୍ଡା। ସେ ଗତଥର ୬୬,୩୭୬ ଖଣ୍ଡ ଭୋଟ୍‌ ପାଇଥିଲେ। ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିଥିବା ବିଜେପିର ଅମୀୟ ଦାଶ ୨୯,୯୦୦ ଖଣ୍ଡ ଭୋଟ୍‌ ପାଇଥିଲେ। ହେଲେ ଏଥର ମଇଦାନରେ ଅମୀୟ ନାହାନ୍ତି। ଅମୀୟଙ୍କ ସ୍ଥାନରେ ଅଶୋକଙ୍କୁ ମୁକାବିଲା କରୁଛନ୍ତି ନିଜ ଦଳର ପୁରୁଣା‌ ସହଯୋଗୀ ବାବୁ ସିଂହ। ବାବୁ ବିଜେପି ଟିକେଟ୍‌ରୁ ଲଢ଼ୁଥିଲେ ହେଁ ଅମୀୟଙ୍କ ସହଯୋଗ ତାଙ୍କୁ ଏ ପର୍ଯ୍ୟନ୍ତ ମିଳୁନି। କାରଣ ଅମୀୟ ଭୁବନେଶ୍ବର ଏକାମ୍ରରେ ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଥିବା ‌େ‌ବଳେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍‌ କାଟି ଦିଆଗଲା। ଟିକେଟ୍‌ କଟିବା ପରେ ଅମୀୟ ଓ ତାଙ୍କ ସମର୍ଥକମାନେ କେତେ ଅସନ୍ତୁଷ୍ଟ ଥିଲେ, ତାହା ପୂରା ରାଜଧାନୀବାସୀ ଦେଖିଲେ। ଅମୀୟ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବାକୁ ମନସ୍ଥ କରିବା ବେଳେ ଦଳ ତାଙ୍କୁ ରାଜ୍ୟ ଉପସଭାପତି ପଦ ଦେଇ କିଛି ମାତ୍ରାରେ ଆଶ୍ବାସନା ଦେବାକୁ ଦଳ ପକ୍ଷରୁ ଚେଷ୍ଟା କରାଗଲା। ହେଲେ ନିଜ ପାଇଁ ଭୋଟ୍‌ ମାଗୁଥିବା ଅମୀୟ ଅନ୍ୟ ପାଇଁ ଭୋଟ୍‌ ଦେବାକୁ କହିବାକୁ ସାହାସ କରିପାରୁନାହାନ୍ତି। ଏପଟେ ଅମୀୟଙ୍କ ସମର୍ଥକ ବି ବାବୁ ସିଂହଙ୍କ ଆଡ଼କୁ ଢଳୁନାହାନ୍ତି। ଏପରି ସ୍ଥଳେ ଅମୀୟ ଯଦି ବାବୁଙ୍କ ପାଇଁ ଖୋଲାଖୋଲି ପ୍ରଚାର ନ କରନ୍ତି ତେବେ ସେ ଚଳିତ ନିର୍ବାଚନରେ ଅମୀୟଙ୍କଠାରୁ ଅଧିକ ଭୋଟ୍‌ ପାଇବା ସମ୍ଭାବନା କ୍ଷୀଣ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡିର ଏହି ଦଶା। ଏଠାରେ ଯଦିଓ ବିଜେଡି ହେଭିୱେଟ୍‌ ଅନନ୍ତଙ୍କୁ ପ୍ରାର୍ଥୀ କରିଛି କିନ୍ତୁ ଏଠାରେ ବର୍ତ୍ତମାନର ବିଧାୟକ ବିଜୟ ମହାନ୍ତିଙ୍କ ଖୋଲା ସମର୍ଥନ ତାଙ୍କୁ ମିଳିନି। ଅନନ୍ତଙ୍କ ପ୍ରଚାରରେ ବିଜୟ ସାମିଲ୍‌ ହୋଇନାହାନ୍ତି। ବିଜୟଙ୍କର ନିର୍ବାଚନମଣ୍ଡଳୀରେ ଭଲ ପତିଆରା ଥିବା ବେଳେ ତାଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଯୋଗୁଁ ସେ ଆଉ ଥରେ ଟିକେଟ୍‌ ପାଇବା ଏକରକମ ନିଶ୍ଚିତ ଥିଲା। କିନ୍ତୁ ଦଳ ପ୍ରାର୍ଥୀ କଲା ଅନନ୍ତଙ୍କୁ। ଅନନ୍ତଙ୍କୁ ଯେପରି ବିରୋଧ ନ ହେବ, ‌େସଥିପାଇଁ ଦଳ ମଧ୍ୟ ନିର୍ବାଚନମଣ୍ଡଳୀର ଅନ୍ୟତମ ପ୍ରଭାବଶାଳୀ ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ବର ଜିଲ୍ଲା ସଭାପତି ବି କଲା। ଏବେ କିଛି ପୂର୍ବତନ କର୍ପୋରେଟର ଅନନ୍ତଙ୍କ ପାଇଁ ପ୍ରଚାର କରିବା ଆରମ୍ଭ କଲେଣି। କିନ୍ତୁ ବିଜୟଙ୍କ ମାନଭଞ୍ଜନ କରିପାରୁନାହାନ୍ତି। ଅନନ୍ତ ବି ବିଜୟଙ୍କ ସହ ଯୋଗା‌େଯାଗରେ ଅଛନ୍ତି। ହେଲେ ଟିକେଟ୍‌ ନ ପାଇବା ଧକ୍କାରୁ ବିଜୟ ବାହାରି ପାରିନଥିବାରୁ ସେ ଏପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ଗତ ନିର୍ବାଚନରେ ବିଜୟ ୫୦,୧୦୭ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଗତଥର ୨୭,୭୧୮ଖଣ୍ଡ ଭୋଟ୍‌ ପାଇଥିଲେ। ଜଗନ୍ନାଥ ବିଜେପି ପ୍ରାର୍ଥୀ ହେବେ ବୋଲି ବହୁ ପୂର୍ବରୁ ଏକରକମ ନିଶ୍ଚିତ ହୋଇଥିବାରୁ ସେ ସେହି ଅନୁଯାୟୀ ପ୍ରଚାର ଆ‌ରମ୍ଭ କରିଦେଇଥିଲେ। ଏଠାରେ ବି ଜଗନ୍ନାଥଙ୍କ ପାଇଁ ଦଳ ଭିତରର ବିରୋଧ ନାହିଁ। ତେଣୁ ଅନନ୍ତଙ୍କୁ ଜିତିବାକୁ ହେଲେ ବିଜୟଙ୍କ ସମର୍ଥନ ନିତାନ୍ତ ଆବଶ୍ୟକ ବୋଲି କୁହାଯାଉଛି।

ଅପରପକ୍ଷେ ବିଜେଡି ଭୁବନେଶ୍ବର ଉତ୍ତରରେ ନୂଆ ମୁହଁ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଛି। ସୁଶାନ୍ତ ଯଦିଓ ଦଳର ପୁରୁଣା ସଦସ୍ୟ କିନ୍ତୁ ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ସେ ନୂଆ। ଉତ୍ତରରେ ଯେତିକି ଆଶାୟୀଙ୍କ ନାମ ଚର୍ଚ୍ଚା‌‌‌ରେ ଥିଲା, ସେଥିରେ ସୁଶାନ୍ତଙ୍କ ନାମ ନ ଥିଲା। ସେ ବି ସଂଗଠନରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ନ ଥିଲେ। ଏଠାରେ ପ୍ରିୟଦର୍ଶୀ ଓ ଅନନ୍ତଙ୍କ ସଂଗଠନ ଭଲ ଥିବାରୁ ‌ତାଙ୍କ ମଧ୍ୟରୁ କେହି ଜଣେ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ହେଲେ ଅନନ୍ତଙ୍କୁ ମଧ୍ୟ ନିର୍ବାଚନମଣ୍ଡଳୀ ଟିକେଟ୍‌ ମିଳିଥିବା ବେଳେ ପ୍ରିୟଦର୍ଶୀଙ୍କ ଟିକେଟ୍‌ କଟିଲା। ଗତ ନିର୍ବାଚନରେ ୭୩,୭୨୮ଖଣ୍ଡ ଭୋଟ୍‌ ପାଇଥିବା ପ୍ରିୟଦର୍ଶୀ ଯେପରି ସୁଶାନ୍ତଙ୍କ ବିରୋଧରେ ନ ଯାଆନ୍ତି ସେଥିପାଇଁ ଦଳ ପ୍ରିୟଦର୍ଶୀଙ୍କୁ ସନ୍ତୁଷ୍ଟ କରିଛି। ପ୍ରିୟଦର୍ଶୀଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ବ ବି ମିଳିଛି। ହେଲେ ପ୍ରିୟଦର୍ଶୀ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇନାହାନ୍ତି। ପ୍ରିୟଦର୍ଶୀ ଓ ତା‌ଙ୍କ ସମର୍ଥକଙ୍କୁ ମନାଇବାକୁ ଜିଲ୍ଲା ସଭାପତି ଅମ‌େରଶ ଜେନା ଦାୟିତ୍ବ ନେଇଥିଲେ ବି ତାହା ସହଜ ହେଉନି। ଏହି ନିର୍ବାଚନ ମଣ୍ଡଳୀରେ ଯଦିଓ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଛନ୍ତି, କିନ୍ତୁ ସେମାନେ ଗତଥର ପାଇଥିବା ଭୋଟ୍‌ ଦେଖିଲେ ତାହା ନୂଆ ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଇବାର ସମ୍ଭାବନା କମ୍‌। କିନ୍ତୁ ସୁଶାନ୍ତଙ୍କ ବିଜୟ ପାଇଁ ପ୍ରିୟଦର୍ଶୀ ମଇଦାନକୁ ଓହ୍ଲାଇବା ଆବଶ୍ୟକ ପଡ଼ୁଛି। ହେଲେ ହଠାତ୍ ଟିକେଟ୍‌ କଟିବା ଝଟ୍‌କାରୁ ମୁକୁଳିନଥିବା ପ୍ରିୟଦର୍ଶୀ କେବେ ପ୍ରଚାର ମଙ୍ଗ ଧରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ସୂଚନା ଅନୁଯାୟୀ, ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ଏବେ ଅମୀୟଙ୍କୁ ବୁଝାଇବା ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ପକ୍ଷରୁ କୁହାଯାଇଛି। ‌େସହିପରି ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା ଏବଂ ବିଜେଡି ସାଧାରଣ ସମ୍ପାଦକ ରବି ସାମଲଙ୍କୁ ଭୁବନେଶ୍ବର ମଧ୍ୟରେ ବିଜୟଙ୍କୁ ଓ ଭୁବନେଶ୍ବର ଉତ୍ତରରେ ପ୍ରିୟଦର୍ଶୀଙ୍କୁ ମନାଇବାକୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର