ପଲିଥିନ୍ ପାଇଁ ବିଏମ୍‌ସିର ମଲ୍‌ରେ ଚଢ଼ଉ

୭୧କେଜି ପଲିଥିନ୍ ଜବତ, ୧୫,୨୦୦ଟଙ୍କା ଜରିମାନା

ଭୁବନେଶ୍ବର: ସରକାରଙ୍କ ପକ୍ଷରୁ ଅକ୍ଟୋବର ୨ରୁ ରାଜଧାନୀରେ ପଲିଥିନ୍ ନିଷିଦ୍ଧ ହେବା ପରେ ବି ବହୁ ସପିଂ ମଲ୍‌, ଦୋକାନରେ ପଲିଥିନ୍ ବିକ୍ରି ହେଉଥିବାରୁ ବିଏମ୍‌ସି ପକ୍ଷରୁ ଆଜି ବ୍ୟାପକ ଚଢ଼ଉ ହୋଇଛି। ଆଜି ରାଜଧାନୀର କେତୋଟି ମଲ୍‌, ରେ‌ସ୍ତୋରାଁ, ମାର୍କେଟ୍ କମ୍ପ୍ଲେକ୍ସରେ ଚଢ଼ଉ ହୋଇଥିଲା। ଏଥିରେ ୭୧କେଜି ପଲିଥିନ୍ ଜବତ ହୋଇଥିବା ବେଳେ ୧୫,୨୦୦ଟଙ୍କା ଜରିମାନା ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୨୫୦କେଜି ପଲିଥିନ୍/ପ୍ଲାଷ୍ଟିକ୍ ଜବତ ହୋଇଥିବା ଜଣାପଡ଼ିଛି।

ଆଜି ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ୍‌ର ଯୁଗ୍ମ କମିସନର ବିମଳେନ୍ଦୁ ରାୟଙ୍କ ନେତୃତ୍ବରେ ସତ୍ୟନଗରର ଫୋରମ୍ ମାର୍ଟ, ସହିଦନଗରର ଭବାନୀ ମଲ୍‌ରେ ଚଢ଼ଉ ହୋଇଥିଲା। ଏଥିରେ ଫୋରମ୍‌ ମାର୍ଟର ବିଗ୍‌ ବଜାର ସମେତ ଚାରିଟି ଦୋକାନ ଏବଂ ଭବାନୀ ମଲ୍‌ରେ ଥିବା ୪ଟି ଦୋକାନରେ ଚଢ଼ଉ ସମୟରେ ୬୦ କେଜି ପଲିଥିନ୍ ଜବତ କରାଯାଇଛି। ପଲିଥିନ୍ ଓ ପ୍ଲାଷ୍ଟିକ୍ ବିକ୍ରି କରୁଥିବା ବ୍ୟବସାୟୀଙ୍କଠାରୁ ୬ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହାସହ ଦକ୍ଷିଣ-ପୂର୍ବ ଜୋନ୍‌ରେ ବାପୁଜୀ ନଗରରେ ୯ଟି ଦୋକାନରେ ଚଢ଼ଉ ହୋଇଥିବା ବେଳେ ପ୍ରତ୍ୟେକ ଦୋକାନରୁ ୨୫୦ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଛି। ସେହିପରି ବିଏମ୍‌ସିର ଉତ୍ତର ଜୋନ୍‌ରେ ପଲ୍‌ ହାଇଟ୍‌ସ, ସିଟି ଫାର୍ମାସି, ପଟିଆସ୍ଥିତ ପାଣ୍ଟାଲୁନ୍, ସବ୍‌‌େୱ, ଆଙ୍ଗନ ହେରିଟେଜ୍, ପଟିଆସ୍ଥିତ ବିଗ୍ ବଜାରରେ ଚଢ଼ଉ କରି ୬ କେଜି ପଲିଥିନ୍ ଜବତ କରାଯିବା ସହ ୯,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସିର ଡେପୁଟି କମିସନର୍‌ (ଏନଫୋର୍ସମେଣ୍ଟ) ଶୁଭ୍ରାଶୁଂ ମିଶ୍ର, ଜୋନାଲ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଦକ୍ଷିଣ ‌ପଶ୍ଚିମ ଜୋନ୍‌ ପକ୍ଷରୁ ଜୋନାଲ ଡେପୁଟି କମିସନର ଲଲାଟେନ୍ଦୁ ସାହୁଙ୍କ ନେତୃତ୍ବରେ ଇସ୍କନ୍ ମନ୍ଦିର ନିକଟସ୍ଥ କ୍ରିଷ୍ଣା ପ୍ଲାଜାରେ ଥିବା ବିଗ୍‌ ବଜାର, ଭି୨, ଖଣ୍ଡଗିରି ଏବଂ ଶାସ୍ତ୍ରୀ ନଗରରେ ଥିବା ଦି ୱାର୍ଲଡ, ସିଆର୍‌ପି ଛକରେ ଥିବା ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଚଢ଼ଉ କରି ୫କେଜି ପଲିଥିନ୍ ଜବତ ହୋଇଛି। ଏଠାରେ କାହାଠାରୁ ଜରିମାନା ଆଦାୟ ହୋଇନି।

ସମ୍ବନ୍ଧିତ ଖବର