‘ନୂତନ କାରିଗରୀ କୌଶଳ ଭାଷାକୁ ସମୃଦ୍ଧ କରିବା ସମ୍ଭବ’: କୋଶଲ ଟାଇମ୍‌ ପକ୍ଷରୁ କ୍ୟାଲେଣ୍ଡର-୨୦୧୯ ଉନ୍ମୋଚନ

ଖଣ୍ଡଗିରି: ସମ୍ବଲପୁରୀ, କୋଶଳୀ କିମ୍ବା ସାନ୍ତାଳି ଭାଷା; ଯାହା ବି ହେଉ, ଓଡ଼ିଶାରେ ପ୍ରଚଳିତ ସବୁ ଭାଷାର ଏକ ସ୍ବତନ୍ତ୍ରତା ଓ ମଧୁରତା ରହିଛି। ତେଣୁ ଓଡ଼ିଶାର ସମସ୍ତ ଭାଷାକୁ ସମୃଦ୍ଧ କରିବା ଜରୁରୀ। ଏଥିପାଇଁ ସାରସ୍ବତ ସାଧକମାନେ ଓଡ଼ିଶାର ବିଭିନ୍ନ ଭାଷାରେ ଅଧିକରୁ ଅଧିକ ପୁସ୍ତକ ରଚନା କରିବା ଆବଶ୍ୟକ ଓ ଆଗ୍ରହୀ ନୂତନ ପାଠକ ମଧ୍ୟ ସୃଷ୍ଟି ହେବା ଦରକାର। ଆଜି ମୋବାଇଲ୍‌ ଓ ସଫ୍‌ଟୱେୟାର୍ ଯୁଗରେ ଯେ କୌଣସି ଭାଷାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ସହଜ ହୋଇଛି। ତେଣୁ ନୂତନ କାରିଗରୀ କୌଶଳ ଦ୍ବାରା ଭାଷାକୁ ସମୃଦ୍ଧ କରାଯାଇପାରେ। ଏଥିପାଇଁ ବିଭିନ୍ନ ବର୍ଗର ସାରସ୍ବତ ସାଧକମାନେ ଚେଷ୍ଟିତ ହେବା ଉଚିତ୍। ଆଜି ଭୁବନେଶ୍ବର ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରେକ୍ଷାଳୟରେ ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଲ ଟାଇମ୍’ର କ୍ୟାଲେଣ୍ଡର-୨୦୧୯ ଉନ୍ମୋଚନ ଅବସରରେ ଅତିଥିମାନେ ଏଭଳି ମତ ପୋଷଣ କରିଛନ୍ତି। ପତ୍ରିକା‌ର ସମ୍ପାଦକ ସଂଜୀବ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ କବି ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ କବି ରମାକାନ୍ତ ରଥ, ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ବିଜେବି କଲେଜର ପୂର୍ବତନ ଅଧ୍ୟାପକ ରମେଶ ଦାସ, ଶ୍ରମିକ ନେତା ମାୟାଧର ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଓଡ଼ିଶାର ସମସ୍ତ ଭାଷା ଆମ ସମସ୍ତଙ୍କ ପ୍ରିୟଭାଜନ ହେଉ ଓ ସବୁ ଭାଷାରେ ଅଧିକରୁ ଅଧିକ ପୁସ୍ତକ ରଚନା କରି ସେସବୁକୁ ସାଧାରଣ ଲୋକଙ୍କ ନିକଟତର କରାଇବାକୁ ଉଦ୍ୟମ ହେବା ଉଚିତ୍ ବୋଲି ଅତିଥିମାନେ କହିଥିଲେ। ଭୌ‌େଗାଳିକ ସୀମା ସରହଦକୁ ନେଇ ସୃଷ୍ଟ ବିଚ୍ଛିନ୍ନତାବାଦ ଆମମାନଙ୍କୁ ଭିନ୍ନ ନକରୁ, ବରଂ ସବୁ ଭାଷାକୁ ସମୃଦ୍ଧ କରି ଆମେ ସମସ୍ତେ ଏକ ହୋଇ ରହିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। କୋଶଳୀ ଭାଷାର ରଚନାବଳୀଗୁଡ଼ିକୁ ଇଣ୍ଟରନେଟ୍‌ରେ ଛାଡ଼ି ତାହାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସାଂସଦ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ କୋଶଲ ଟାଇମ୍‌ ପକ୍ଷରୁ ପ୍ରକାଶିତ କ୍ୟାଲେଣ୍ଡରରେ ଓଡ଼ିଶାର ୮ ଜଣ ବିଶିଷ୍ଟ ସାରସ୍ବତ ସାଧକ ଦେବାନନ୍ଦ ସେନାପତି, ଦୟାଲାଲ୍ ଯୋଶୀ, ଡ. ଚନ୍ଦ୍ରଶେଖର ରଥ, ଡ. ଶରତ ପୂଜାରୀ, ପ୍ରଫେସର ନାରାୟଣ ପୃଷେଠ, ଡ. ଗୋପାଳକୃଷ୍ଣ ରଥ, ଡ. ଉମେଶ ପତ୍ରୀ ଓ ଡ. ସଦାନନ୍ଦ ଅଗ୍ରୱାଲଙ୍କ ବିଷୟରେ ଫଟୋ ସହ ସମ୍ୟକ୍ ସୂଚନା ରହିଛି। ଶିକ୍ଷୟିତ୍ରୀ ପ୍ରବାସିନୀ ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଛାତ୍ରୀ ଅର୍ଚ୍ଚିତା ଅପରାଜିତା ସିଂହ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର