ପ୍ରଚାରରେ ଖରା ବାଧକ: ଦିନ ୧ଟାରୁ ୪ଟା ପ୍ରଚାର ବନ୍ଦ ରହୁଛି,

ସକାଳେ ଶୋଭାଯାତ୍ରା, ସଂଧ୍ୟାରେ ସଭା, ରାତିରେ ସମୀକ୍ଷା କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ବର: ପୂର୍ବାହ୍ନ ୧୦ଟା ବେଳକୁ ତାତି ଦେହ ସିଝେଇ ଦେଉଛି। ମଧ୍ୟାହ୍ନ ୧୨ଟା ବେଳକୁ ଖରାର ପ୍ରକୋପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଉ ଅପରାହ୍‌ଣ ୧ଟା ପରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ପାଦେ ଚାଲିବା ତ କଷ୍ଟକର ହୋଇପଡ଼ୁଛି। ନିର୍ବାଚନ ଜିତିବାକୁ ପ୍ରାର୍ଥୀମାନେ ଜୋରଦାର୍‌ ପ୍ରଚାର କରୁଥିଲେ ହେଁ ତାଙ୍କ ଭିତରେ ଥିବା ଜୋସ୍‌ ସୂର୍ଯ୍ୟଙ୍କ ତାତି ଆଗରେ ହାର୍‌ ମାନି ଯାଉଛି। ବିଭିନ୍ନ ଦଳର ପ୍ରାର୍ଥୀମାନେ ଏବେ ଜୋରଦାର ପ୍ରଚାର କରୁଥିଲେ ହେଁ ଅପରାହ୍‌ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ବାହାରକୁ ବାହାରି ପାରୁନାହାନ୍ତି। ଏହି ତିନି ଘଣ୍ଟାକୁ ଆଡଜଷ୍ଟ କରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ପ୍ରାର୍ଥୀମାନେ ପ୍ରଚାର କରିବାକୁ ପଛାଉନାହାନ୍ତି। ଖରାର ପ୍ର‌େକାପରୁ ବଞ୍ଚିବା ପାଇଁ ପ୍ରାର୍ଥୀମାନେ ପ୍ରଚାରର ରୁଟିନ୍ କରିଛନ୍ତି। ସକାଳ ୮ଟାରୁ ପ୍ରଚାର ଆରମ୍ଭ ହୋଇ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲୁଛି। ଅପରାହ୍‌ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ବିଶ୍ରାମ। ଆଉ ୪ଟା/୪ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ପୁଣି ପ୍ରଚାର କରୁଛନ୍ତି। ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟରେ ବସି କେଉଁଠି କ’ଣ ସମସ୍ୟା ରହିଲା ସେନେଇ ସମୀକ୍ଷା କରୁଛନ୍ତି ଓ ଆସନ୍ତାକାଲି କିପରି ପ୍ରଚାର ହେବ ସେନେଇପ୍ଲାନ୍‌ ପ୍ରସ୍ତୁତ ହେଉଛି। ରାତିରେ ୫ରୁ ୬ଘଣ୍ଟା ବିଶ୍ରାମ ପରେ ପୁଣି ଆରମ୍ଭ ହେଉଛି ପ୍ରଚାର। ଏହା ହେଉଛି ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ପ୍ରା‌ର୍ଥୀଙ୍କ ପ୍ରଚାର ତରିକା।

ବିଜେଡିର ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବି ଖରା‌ ଯେପରି ପ୍ରଚାରକୁ ଅଧିକ ପ୍ରଭାବିତ ନକରିବ ସେଥିପାଇଁ ଯୋଜନା କରିଛନ୍ତି। ସୁଶାନ୍ତ କହିଛନ୍ତି ଯେ, ଖରା ଯୋଗୁଁ ଦିନ ବେଳା ଅଧିକ ପ୍ରଚାର କରିବା କଷ୍ଟକର ହେଉଥିବାରୁ ସଂଧ୍ୟା ପରେ ଅଧିକ ପ୍ରଚାର ହେଉଛି। ସକାଳ ବେଳା ଶୋଭାଯାତ୍ରା କରୁଛୁ। ଅପରାହ୍‌ଣରେ ସଭା କରୁଛୁ। ବସ୍ତିବାସିନ୍ଦା ସକାଳ ବେଳା କାମ କରିବାକୁ ଚାଲି ଯାଉଥିବାରୁ ସଂଧ୍ୟାରେ ସେମାନଙ୍କୁ ଏକାଠି କରୁଛୁ। ସଂଧ୍ୟାରେ ଅଧିକ ଲୋକ ଏକାଠି ହୋଇପାରୁଛନ୍ତି ତେଣୁ ସେହି ଅନୁଯାୟୀ ଆମେ ସମୟ କାଢ଼ୁଛୁ। ସୁଶାନ୍ତ କହିଛନ୍ତି ଯେ, କର୍ମୀମାନେ ଯେପରି କ୍ଳାନ୍ତ ନହେବେ ସେଥିପାଇଁ ପ୍ରଚାର ଗାଡ଼ିରେ ପ୍ରଚୁର ପାଣି ବୋତଲ, ଗ୍ଲୁକୋଜ୍‌ ପାଣି, କୋଲ୍ଡଡ୍ରିଙ୍କସ ଦେଉଛୁ।
ଅନନ୍ତ କହିଛନ୍ତି ଯେ, ସକାଳ ୮ଟାରୁ ପ୍ରଚାର ଆରମ୍ଭ ହେଉଛି। ଚାଲି ଚାଲି ପ୍ରଚାର କରିବାକୁ ପଡ଼ୁଥିବାରୁ କର୍ମୀମାନେ ଯେପରି କ୍ଳାନ୍ତ ନହେବେ ସେଥିପାଇଁ ସମସ୍ତଙ୍କୁ ପ୍ରଚୁର ପାଣି ପିଇବାକୁ ଦେଉଛୁ। ଯେଉଁଠିକୁ ପ୍ରଚାର କରିବାକୁ ଯାଉଛୁ ସେମାନେ ବି ଦହି ଓ ଲେମ୍ବୁ ସରବତ୍‌ ଦେଉଛନ୍ତି। ହେଲେଅପରାହ୍‌ଣ ୧ଟା ପରେ ପ୍ରଚାର କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ଅପରାହ୍‌ଣ ୪ଟା ଯାଏ ପ୍ରଚାର ବନ୍ଦ ରହୁଛି। ଏହାପରେ ପୁଣି ରାତି ୧୦ଟା ଯାଏଁ ପ୍ରଚାର ହେଉଛି। ମାଇକ୍ ଯୋଗେ ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିବାକୁ ନିୟମ ଥିବାରୁ ୮ଟା ପରେ ପୁଣି ଲୋକଙ୍କ ଘରକୁ ଘର ବୁଲି , ବିଭିନ୍ନ କ୍ଲବକୁ ଯାଇ ପ୍ରଚାର କରୁଛୁ। ରାତି ୧୦ଟା ପରେ ଆମ କାର୍ଯ୍ୟାଳୟରେ ବସି ପରଦିନ ପାଇଁ ପ୍ଲାନିଂ କରୁଛୁ। ବିଜେପିର ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ବ୍ୟବସ୍ଥିତ ଢଙ୍ଗରେ ଯେପରି ପ୍ରଚାର ହେବ ଏବଂ ଅଧିକ ଲୋକଙ୍କ ପାଖରେ ଆମେ ପହଞ୍ଚିପାରିବୁ ସେଥିପାଇଁ ଆମ‌ର ସମୟ ସାରଣୀ ପ୍ରସ୍ତୁତ ହୋଇଛି। ସକାଳ ୮ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଶୋଭାଯାତ୍ରା କରୁଛୁ। ଲୋକଙ୍କ ଘରକୁ ଘର ବୁଲୁଛୁ। ଏହି ସମୟରେ ବାଇକ୍ ଶୋଭାଯାତ୍ରା, ପଦଯାତ୍ରା ବି କରୁଛୁ। ଅପରାହ୍‌ଣରେ ‌ପଦଯାତ୍ରା ସହ ସାଧାରଣ ସଭା ବି କରୁଛୁ। ଆମ ପ୍ରଚାରରେ ଯେଉଁମାନେ ସାମିଲ୍‌ ହେଉଛନ୍ତି ସମସ୍ତଙ୍କୁ ପାଣି, ଗ୍ଲୁକୋଜ୍‌ ଦେଉଛୁ। ଖରାରେ ଯେପରି ଅଂଶୁଘାତ ନହେବ ସେଥିପାଇଁ ଆଶୁ ଚିକିତ୍ସା ବ୍ୟବସ୍ଥା‌ ବି ହୋଇଛି। କର୍ମୀମାନଙ୍କୁ ଥଣ୍ଡା ଟାଉଲ୍‌ ଦେଉଛୁ। ରାତି ୧୦ଟା ପରେ ପ୍ରଚାର ସରିଲେ କାର୍ଯ୍ୟାଳୟରେ ବସି ସାମାଜିକ ଗଣମାଧ୍ୟମରେ କିପରି ପ୍ରଚାର ହେବ, ଆଜିର ପ୍ରଚାରରେ କ’ଣ ସମସ୍ୟା ରହିଲା, କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚି ହେବ, କେଉଁ ଅଞ୍ଚଳରେ କ’ଣ ସମସ୍ୟା ରହିଛି, କିପରି ଲୋକଙ୍କୁ ଏକଜୁଟ୍‌ କରାଯିବ ସେନେଇ ରାତି ୧ଟା ପର୍ଯ୍ୟନ୍ତ ପ୍ଲାନିଂ ହେଉଛି।

ସମ୍ବନ୍ଧିତ ଖବର