କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡ କେଳେଙ୍କାରୀ: ସନ୍ଦେହରେ ପୂର୍ବତନ କର୍ମଚାରୀ

ହସ୍ପିଟାଲ କର୍ତୃପକ୍ଷଙ୍କ ବିନା ଅନୁମତିରେ ପ୍ରତିନିଧିଙ୍କୁ ୱାର୍ଡ ବୁଲାଇଲେ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ଇନ୍‌ଫୋସିସ୍ ଶିଶୁୱାର୍ଡ କେଳେଙ୍କାରୀ ଘଟଣାରେ ହସ୍ପିଟାଲର ଜଣେ ପୂର୍ବତନ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ହସ୍ପିଟାଲ ଛାଡ଼ି ସାରିଥିବା ଏହି କର୍ମଚାରୀଜଣକ ଇନ୍‌ଫୋସିସ୍ ପକ୍ଷରୁ ଆସିଥିବା ପ୍ରତିନିଧିଙ୍କୁ ହସ୍ପିଟାଲ କର୍ତୃପକ୍ଷଙ୍କ ବିନା ଅନୁମତିରେ ଶିଶୁ ୱାର୍ଡ ବୁଲାଇ ଦେଖାଇଥିଲେ। ଏହି ଘଟଣାକୁ ନେଇ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ‌କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁନଥିଲେ ହେଁ ସଂପୃକ୍ତ କର୍ମଚାରୀଜଣକ କିଭଳି ଇନ୍‌ଫୋସିସ୍‌ର ପ୍ରତିନିଧିଙ୍କ ଆସିବା ସଂପର୍କରେ ଜାଣିଲେ ଓ ସେମାନଙ୍କୁ ୱାର୍ଡ ବୁଲାଇବାରେ ସକ୍ଷମ ହେଲେ, ତାହା କେଳେଙ୍କାରୀ ଘଟଣାକୁ ଆଉଥରେ ପୁନର୍ଜୀବିତ କିରଛି। ଲକ୍ଷାଧିକ ଟଙ୍କାର ହୋଇଥିବା ଏହି କେଳେଙ୍କାରୀରେ ହସ୍ପିଟାଲର ଏକାଧିକ କର୍ମଚାରୀଙ୍କ ହାତ ରହିଥିବାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି।

ଦୁଇବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ଇନ୍‌ଫୋସିସ୍ ପକ୍ଷରୁ ନବୀକରଣ ପାଇଁ ୧କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା। ମାତ୍ର ନବୀକରଣ ନାଁରେ ୱାର୍ଡରେ ସମସ୍ତଙ୍କ ନଜର ହଟାଇବା ଲାଗି ସିଲିଂ, ଝରକାରେ ଜାଲି ଓ କାନ୍ଥରେ ରଂଗ ମାରି ଲକ୍ଷାଧିକ ଟଙ୍କା ଲୁଟି ନିଆଗଲା। ନବୀକରଣ ନାଁରେ ଲୁଟ୍ ହୋଇଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହାସ‌‌ତ୍ତ୍ବେ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେଲେ ନାହିଁ କି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଗଲା ନାହିଁ। ଘଟଣାକୁ ଜାଣିଶୁଣି ଚାପି ଦେବାକୁ ଉଦ୍ୟମ କରାଗଲା। ତେବେ ଘଟଣାକୁ ୨ବର୍ଷ ବିତି ଯାଇଥିବା ବେଳେ ପୁଣିଥରେ ଏହା ଚର୍ଚାର ପରିସରକୁ ଆସିଛି। ଇନେ୍‌ଫୋସିସ୍ ପକ୍ଷରୁ ଯେଉଁ ଯେଉଁ ସରକାରୀ ଡାକ୍ତରଖାନାରେ ଯେଉଁ ୱାର୍ଡ ପରିଚାଳିତ ହେଉଛି, ତାହାର ଯାଞ୍ଚ ପାଇଁ ଏକ ଏନ୍‌ଜିଓକୁ ଦାୟିତ୍ବ ଦିଆଯାଇଛି। ‌ସେହି ଏନ୍‌ଜିଓ ଏସବୁ ୱାର୍ଡର ଯାଞ୍ଚ କରିବା ସହ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିଥାଏ। ୨ଦିନ ତଳେ ସଂପୃକ୍ତ ଏନ୍‌ଜିଓର ଦୁଇ ଜଣ ପ୍ରତିନିଧି କ୍ୟାପିଟାଲ ହସ୍ପିଟାଲର ଇନ୍‌ଫୋସିସ୍ ୱାର୍ଡ ପରିଦର୍ଶନରେ ଆସିଥିଲେ। ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କରେ ଜାଣିବା ପୂର୍ବରୁ ହସ୍ପିଟାଲରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀ ଜଣକ ହସ୍ପିଟାଲରେ ପହଞ୍ଚି ଯାଇଥିଲେ। ହସ୍ପିଟାଲର କାର୍ଯ୍ୟରତ କର୍ମଚାରୀ ଭଳି ପ୍ରତିନିଧିଙ୍କୁ ଶିଶୁ ୱାର୍ଡ ବୁଲାଇ ଦେଖାଇଥିଲେ। ଶେଷରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ଯାହାକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କାହା ଅନୁମତିରେ ସେ ଏଭଳି କାର୍ଯ୍ୟ କଲେ, ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଥିଲା। ସଂପୃକ୍ତ ପୂର୍ବତନ କର୍ମଚାରୀଜଣକ ଏବେ ରାଜ୍ୟ ବାହାରେ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ତେବେ ଏନ୍‌ଜିଓର ପ୍ରତିନିଧି କେବେ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି, ତାହାର କିଭଳି ଖବର ପାଇଲେ ଓ ସେମାନେ ଆସିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିବା ଘଟଣା କେଳେଙ୍କାରୀ ଘଟଣାକୁ ଆଉଥରେ ଆଲୋଚନାର ଖୋରାକ୍‌ ଯୋଗାଇଛି। ପୂର୍ବତନ କର୍ମଚାରୀଜଣକ ଏନ୍‌ଜିଓର ପ୍ରତିନିଧିଙ୍କୁ କ’ଣ କହି ଶିଶୁ ୱାର୍ଡରେ ହୋଇଥିବା କେଳେଙ୍କାରୀ ସଂପର୍କରେ ତଥ୍ୟ ଲୁଚାଇବାରେ ସକ୍ଷମ ହେଲେ ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଅଶୋକ ପଟ୍ଟନାୟକ କହିଛନ୍ତି, ଏନ୍‌ଫୋସିସ୍ ପକ୍ଷରୁ ଯେଉଁ ଏନ୍‌ଜିଓକୁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚାଲୁଥିବା ୱାର୍ଡର ତଦାରଖ ଦାୟିତ୍ବ ଦିଆଯାଇଛି, ତାହାର ୨ଜଣିଆ ପ୍ରତିନିଧି ହସ୍ପିଟାଲ ପରିଦର୍ଶନରେ ଆସିଥିଲେ। ମାତ୍ର ସେମାନଙ୍କୁ ହସ୍ପିଟାଲର ଜଣେ ପୂର୍ବତନ କର୍ମଚାରୀ ଶିଶୁ ୱାର୍ଡ ବୁଲାଇବା ଘଟଣା ନଜରକୁ ଆସିଥିଲା। ଏ ସଂପର୍କରେ କର୍ମଚାରୀଙ୍କୁ ତାଗିଦ୍ କରାଯିବା ସହ କେଉଁ ପରିସ୍ଥିତିରେ ସେ ଏଭଳି କରିବାକୁ ସାହସ କଲେ, ତାହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ସେ ଠିକ୍‌ ଭାବେ ଜବାବ ରଖିପାରି ନ ଥିଲେ। ମାତ୍ର ହସ୍ପିଟାଲ ପରିଦର୍ଶନରେ ଆସିଥିବା ପ୍ରତିନିଧି ୱାର୍ଡ ସଂପର୍କରେ କ’ଣ ମୂଲ୍ୟାୟନ କରିଛନ୍ତି, ସେ ସଂପର୍କରେ କୌଣସି ସୂଚନା ଦେଇ ନ ଥିବା ଡା. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର