ରାଜଧାନୀରେ କର୍ପୋରେଟରଙ୍କ ୨୦ରୁ ଅଧିକ ଘର

ଭୁବନେଶ୍ୱର: ରାଜଧାନୀରେ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ମିଳୁନି। କିନ୍ତୁ ଲୋକ ପ୍ରତିନିଧିଙ୍କର ୨୦ରୁ ଅଧିକ ଘର। ଶାସକ ଦଳର ଲୋକ ପ୍ରତିନିଧି ହୋଇଥିବାରୁ ଯିଏ ବିରୋଧ କଲେ ବି ସ୍ୱର ଚପାଇ ଦେବାକୁ ବିଭିନ୍ନ ପ୍ରକାର କୌଶଳ କରାଯାଉଛି। ଏହିଭଳି ଜଣେ ଲୋକ ପ୍ରତିନିଧି ହେଉଛନ୍ତି ବିଏମ୍‌ସିର ପୂର୍ବତନ ଡେପୁଟି ମେୟର ତଥା ଓ୍ଵାର୍ଡ ୧୬ର କର୍ପୋରେଟର ଭାରତୀ ସିଂହ। ସାଲିଆ ସାହିରେ ରହୁଥିବା ଏହି ନାରୀନେତ୍ରୀଜଣଙ୍କର ସାହିର ଯେଉଁ ଦିଗକୁ ଯିବ ସେଠାରେ ତାଙ୍କ ଘର। ସବୁ ଘରେ ନିଜେ ରହୁନାହାନ୍ତି। ଗୋଟିଏ ଘରେ ରହୁଛନ୍ତି। ଆଉ ସବୁ ଭଡ଼ାରେ ଲାଗିଛି। ଭଡ଼ା ବାବଦକୁ ମାସକୁ ହଜାର ହଜାର ଟଙ୍କା ଆସୁଛି। କର୍ପୋରେଟରଙ୍କ ଘରେ ଭଡ଼ା ରହୁଥିବାରୁ ଲୋକଙ୍କୁ ଉଚ୍ଛେଦର ଭୟ ନାହିଁ କି ପାଣି ଓ ବିଦ୍ୟୁତ୍‌ ସଂଯୋଗ ପାଇବାରେ କୌଣସି ଅସୁବିଧା ନାହିଁ। ଏପରିକି ଘରେ ପାଇଖାନା ବ୍ୟବସ୍ଥା ବି ଅଛି। ତେଣୁ କର୍ପୋରେଟରଙ୍କ ଘର ଭଡ଼ାରେ ନେବାକୁ ସାଲିଆ ସାହିରେ ପ୍ରତିଯୋଗିତା ଲାଗୁଛି। କିଛି ଦିନ ତଳେ କିପରି ନୂଆପଲ୍ଲୀର ଭିଆଇପି ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗର ଜମିକୁ ଜମି ମାଫିଆ ମାଡ଼ି ବସିଛନ୍ତି, ତା’ର ଅନୁସନ୍ଧାନ କରି ଜଣାଇଥିଲୁ। ଏଥର ବସ୍ତିରେ ବି ମାଫିଆରାଜ୍‌ କିପରି ଚାଲିଛି ତା’ର ଅନୁସନ୍ଧାନମୂଳକ ରିପୋର୍ଟ। ସାଲିଆ ସାହିର ଓ୍ଵାର୍ଡ ୨୦ରେ ରହିଛି ଆଦିବାସୀ ଗାଁ। ଏହା ଗତ ବିଏମ୍‌ସି ନିର୍ବାଚନ ସମୟରେ ଓ୍ଵାର୍ଡ ୧୬ରେ ଥିଲା। ଏଠାରେ ଭାରତୀ ସିଂହ କର୍ପୋରେଟର ଥିଲେ। ସେ ସିନା ଦୁଇଟି ଘରେ ରହୁଥିଲେ କିନ୍ତୁ ଏହାକୁ ଲାଗି ଆଉ ୮ରୁ ୧୦ଟି ଘର ନିର୍ମାଣ କରି ଭଡ଼ାରେ ଲଗାଇ ଦେଇଥିଲେ। ଘରକୁ ବିଦ୍ୟୁତ ଓ ପାଣି ସଂଯୋଗ ଦିଆଯାଇଛି। ଏହାବାଦ୍‌ ଘର ସାମ୍ନାରେ ଷ୍ଟ୍ରିଟ୍‌ ଲାଇଟ୍‌ ବି ଲଗାଇ ଦିଆଯାଇଛି। ଯେମିତି ଭଡ଼ାଟିଆଙ୍କୁ କୌଣସି ଅସୁବିଧା ନହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏହାପରେ ଯାଇଥିଲୁ ବୀର ବିର୍ସା ସାହି। ସେଠାରେ ବି ଶ୍ରୀମତୀ ସିଂହଙ୍କ କବ୍‌ଜାରେ ପ୍ରାୟ ଅଧ ଏକର ଜମି ଅଛି। ଗୋଟିଏ ପାର୍ଶ୍ୱରେ ଅଙ୍ଗନଓ୍ଵାଡିକୁ ଭଡ଼ାରେ ଦିଆଯାଇଥିବା ବେଳେ ଆଉ ଏକ ପାର୍ଶ୍ୱରେ ବ୍ୟବସାୟିକ ସଂସ୍ଥାକୁ ଭଡ଼ାରେ ଦିଆଯାଇଛି। ଯିଏ ଆଗରେ ବାଲି, ଇଟା, ଚିପ୍ସ ଗଦାଇ ବେପାର କରୁଛନ୍ତି। ଆଉ ଘରେ ଦୋକାନ କରିଛନ୍ତି। ଏଠି ବି ସବୁ ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ଓ ଷ୍ଟ୍ରିଟ ଲାଇଟ୍‌ ଲାଗିଛି।

ଶ୍ରୀମତୀ ସିଂହ ଏବେ ଓ୍ଵାର୍ଡ ୧୬ରେ କର୍ପୋରେଟର ଥିବାରୁ ଏବେ ସେହି ଅଞ୍ଚଳରେ ରହୁଛନ୍ତି। ହାତିଆସୁଣିରେ ଆଜବେଷ୍ଟସ୍‌ ଘର ନିର୍ମାଣ ହୋଇଛି। ପ୍ରାୟ ୧୦ରୁ ଅଧିକ ଘର। ସମ୍ମୁଖ ଭାଗରେ ନିଜେ କର୍ପୋରେଟର ରହୁଥିବାବେଳେ ପଛ ପାର୍ଶ୍ୱରେ ଭଡ଼ା ଲାଗିଛି। ଏପରିକି ସମ୍ମୁଖ ଭାଗରେ କେତେକ ଦୋକାନ ଭଡ଼ା ଲାଗିଛି। କେବଳ ସାଲିଆ ସାହିରେ କର୍ପୋରେଟରଙ୍କର ଦବ୍‌ଦବା ନାହିଁ। ମେ ଫେୟାର କନଭେନସନ୍‌ ପଛପାର୍ଶ୍ୱରେ ବି ଘର କରି ଭଡ଼ା ଲଗାଇ ଦେଇଛନ୍ତି। କିଛି ମାସ ତଳେ ଏହି ଘର ନିର୍ମାଣ ହୋଇଥିବା ବେଳେ ସେଠାରେ ଷ୍ଟ୍ରିଟଲାଇଟ୍‌, ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏଠାରେ କର୍ପୋରେଟର ନିଜ ପାଇଁ ଗୋଟେ ଘର ରଖିଥିବା ବେଳେ ବାକି ଘର ଭଡ଼ାରେ ଲାଗିଛି। ଏହି ଘରକୁ ନେଇ ଗତ ସପ୍ତାହରେ କେତେକ ବ୍ୟକ୍ତି ଓ କର୍ପୋରେଟରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏନେଇ ସାଲିଆ ସାହିର କେତେକ ବାସିନ୍ଦା କହନ୍ତି, ଶ୍ରୀମତୀ ସିଂହ ଯେଉଁଠି କର୍ପୋରେଟର ହୋଇଛନ୍ତି ସେଠାରେ ଘର କରିଛନ୍ତି। କାଳେ କେତେବେଳେ ସିଟ୍‌ ସଂରକ୍ଷଣ ବଦଳିଯିବ ସେଥିପାଇଁ ତିନିଟି ଓ୍ଵାର୍ଡରେ ଘର ନିର୍ମାଣ କରିଛନ୍ତି। ସବୁଠି ଯେପରି ନିଜ ପାଇଁ ସୁଯୋଗ ରହିବ ତାହାର ବ୍ୟବସ୍ଥା କରିଛନ୍ତି। ବସ୍ତି ବାସିନ୍ଦାଙ୍କ କହିବାନୁଯାୟୀ, କର୍ପୋରେଟର ଯେତେବେଳେ କୌଣସି ଜମିରେ ଘର କରିବାକୁ ଉଦ୍ୟମ ଆରମ୍ଭ କରନ୍ତି ସେଠାରେ ଆଗ ବିଜେଡି ପତାକା ପୋତି ଦିଆଯାଏ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଯାଏ। ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ପତାକା ଲାଗିଥିବାରୁ ଅଧା ବିରୋଧ ଆରମ୍ଭ ହେବା ପୂର୍ବରୁ ଦବି ଯାଏ। ଯିଏ ବିରୋଧ କରନ୍ତି, ତାଙ୍କୁ କୁହାଯାଏ ଦଳୀୟ କାର୍ଯ୍ୟାଳୟ ହେବ, ଏଠାରେ ବିଜେଡି ବୈଠକ ହେବ। ଏମିତିି ଲୋକଙ୍କୁ ବୁଝାଯାଏ ଯେ ବିରୋଧ କରୁଥିବା ଲୋକ ପୁଲିସ ଓ ଶାସକ ଦଳର ଭୟରେ ଚୁପ୍‌ ରହିଯା’ନ୍ତି। ଏହାପରେ କର୍ପୋରେଟର କ୍ଷେତ୍ର ବିସ୍ତାର କରନ୍ତି।

ଏନେଇ ଓ୍ଵାର୍ଡ ୧୬ର କର୍ପୋରେଟର ଭାରତୀ ସିଂହଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ମୁଁ କୌଣସି ଅଞ୍ଚଳରେ ଜାଗା ମାଡ଼ି ବସିନି। ଆଦିବାସୀ ଗାଁରେ ଆଗରୁ ରହୁଥିଲି। ସେଠାରେ ଯିବା ଆସିବା ସୁବିଧା ହେଲାନି ବୋଲି ଉଠି ଆସିଲି। ସେଠାରେ ଏବେ ମୋ ପୁତୁରାମାନେ ରହୁଛନ୍ତି। ଘର ଭଡ଼ାରେ ଲାଗିନି। ହାତିଆସୁଣିରେ ମୁଁ ନିଜେ ରହୁଛି। କିନ୍ତୁ ଯେତିକି ଅଞ୍ଚଳରେ ରହୁଛି ସେତିକି ମୋର ଘର। ବାକି ଅନ୍ୟମାନଙ୍କର। ବୀରବିର୍ସା ସାହିରେ ସାହି ଲୋକମାନେ ମିଶି ଆଦିବାସୀ ମହାସଂଘ ଅଫିସ୍‌ କରିଛୁ। ଆଗରେ ଜଣେ ବାଲି, ଇଟା ଗଦାଉଛନ୍ତି। ଏଠାରେ ମୋର କିଛି ଘର ଭଡ଼ାରେ ଲାଗିନି।

ମୁଁ କୌଣସି ଅଞ୍ଚଳରେ ଜାଗା ମାଡ଼ିବସିନି କି ଭଡ଼ାରେ ଲଗାଇନି। ଯେତିକି ଅଞ୍ଚଳରେ ରହୁଛି, ସେତିକି ମୋର ଘର। ଆଦିବାସୀ ଗାଁରେ ଆଗରୁ ରହୁଥିଲି। ସେଠାରେ ଯିବା ଆସିବା ସୁବିଧା ହେଲାନି ବୋଲି ଉଠି ଆସିଲି।
ଭାରତୀ ସିଂହ,

କର୍ପୋରେଟର୍‌, ଓ୍ଵାର୍ଡ ୧୬
କୌଣସି ଜମିରେ ଘର କରିବାକୁ ଉଦ୍ୟମ ଆରମ୍ଭ କଲେ ସେଠାରେ ଆଗ ବିଜେଡି ପତାକା ପୋତି ଦିଆଯାଏ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଯାଏ। ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ପତାକା ଲାଗିଥିବାରୁ ଅଧା ବିରୋଧ ଆରମ୍ଭ ହେବା ପୂର୍ବରୁ ଦବି ଯାଏ।
ସାଲିଆସାହିବାସୀ

ସମ୍ବନ୍ଧିତ ଖବର