ପୁଲିସ ଭବନରୁ ଡିସିପିଙ୍କ କାର୍ଯ୍ୟାଳୟ

ସ୍ପେସାଲ ସ୍କ୍ବାଡ୍‌ କହିଲେ ଏବେ ବି ଆଲୋକ ଓ ଅନୁପଙ୍କ ନାଁ ଆସେ, ଦୁର୍ଦାନ୍ତ ଅପରାଧୀଙ୍କୁ ହେଉଥିଲା ଏନକାଉଣ୍ଟର, ଏମାନଙ୍କୁ ମଧ୍ୟ ଦିଆଯାଇପାରେ ଦାୟିତ୍ବ

କମିସନରେଟ ପୁଲିସ ବ୍ୟବସ୍ଥା ଲାଗୁ ହେବାର କିଛି ଦିନ ପରେ ଭୁବନେଶ୍ବରରେ ଯୋଗ ଦେଇଥିଲେ ଡିସିପି ହିମାଂଶୁ ଲାଲ। ସେ ଯୋଗ ଦେଉ ଦେଉ କମିସନରେଟ ପୁଲିସରେ ସ୍ପେସାଲ ସ୍କ୍ବାଡ ବ୍ୟବସ୍ଥା ଲାଗୁ କରିଥିଲେ। କିନ୍ତୁ ସେତେବେଳେ ସ୍ପେସାଲ ସ୍କ୍ବାଡ୍‌ର ଘର ନ ଥିଲା। ପୁଲିସ ଭବନରେ ଏକ ଘରୁ ପ୍ରଥମେ ଏହି ସ୍କ୍ବାଡ୍‌ କାମ କରିବା ଆରମ୍ଭ କରିଥିଲା। ନା ଥିଲା ଗାଡ଼ି ନା ଥିଲେ କର୍ମଚାରୀ। ଡିସିପି ହିମାଂଶୁ ଲାଲଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ତାଙ୍କ ଗାଡ଼ିକୁ ନେଇ ସେ ପ୍ରଥମେ ଆରମ୍ଭ କରିଥିଲେ ଏହି ବ୍ୟବସ୍ଥା। ଏବେ ସ୍ପେସାଲ ସ୍କ୍ବାଡରେ ଅନେକ ଉନ୍ନତି ଘଟିଛି। ଡିସିପିଙ୍କ କାର୍ଯ୍ୟାଳୟ ପଛପଟେ ସ୍ପେସାଲ ସ୍କ୍ବାଡର ସ୍ବତନ୍ତ୍ର କର୍ଯ୍ୟାଳୟ। ହାଇସ୍ପିଡ୍‌ ବାଇକ, ଦୁଇ ଦୁଇଟି ବୋଲେରୋ। ୧୫ପାଖାପାଖି କର୍ମଚାରୀ। ଅପରାଧୀଙ୍କୁ ଜେରା କରିବା ପାଇଁ ସ୍ବତନ୍ତ୍ର ରୁମ୍। ଉନ୍ନତମାନର ବୈଷୟିକ ସାମଗ୍ରୀ ଆଦି ମଧ୍ୟ ଖଞ୍ଜା ଯାଇଛି।

ସ୍ପେସାଲ ସ୍କ୍ବାଡ୍‌ କହିଲେ ଏବେ ବି ଆଲୋକ ଓ ଅନୁପଙ୍କ ନାଁ ଆସେ

ସ୍ପେସାଲ ସ୍କ୍ବାଡ୍‌ ମୁଖ୍ୟ ଭାବେ ଏହା ମଧ୍ୟରେ ୫ ଜଣ ଇନ୍ସପେକ୍ଟର ଦାୟିତ୍ବ ନେଇଛନ୍ତି। ପ୍ରଥମେ ଆଲୋକ ଜେନା, ଏହା ପରେ ଇନ୍ସପେକ୍ଟର ସୁଜିତ ପଣ୍ଡା, ଇନ୍ସପେକ୍ଟର ବିଦ୍ୟୁତ ପଣ୍ଡା, ଇନ୍ସପେକ୍ଟର ସତ୍ୟଜିତ ମିଶ୍ର, ଇନ୍ସପେକ୍ଟର ଅନୁପ କାନୁନ୍‌ଗୋ ଓ ଶେଷରେ ସଂଜୀବ ଶତପଥୀ। କିନ୍ତୁ ଅପରାଧୀଙ୍କ ମନରେ ଦୁଇଜଣ ଇନ୍ସପେକ୍ଟର ଛାପ ଏବେ ବି ରହିଛି। ସେମାନେ ହେଲେ ଆଲୋକ ଜେନା ଓ ଅନୁପ କାନୁନଗୋ। ଏହି ଦୁଇ ଅଧିକାରୀ ଅପରାଧୀ ମହଲରେ ଛାନିଆ ସୃଷ୍ଟି କରିପାରିଥିଲେ।

ଦୁର୍ଦାନ୍ତ ଅପରାଧୀଙ୍କୁ ହେଉଥିଲା ଏନକାଉଣ୍ଟର

କେବଳ ସ୍ପେସାଲ ସ୍କ୍ବାଡ୍‌ର ଅଧିକାରୀମାନେ ଯେ ତଦନ୍ତରେ ସହଯୋଗ କରୁଥିଲେ, ତାହା ନୁହେଁ, ବରଂ ସହରରେ ଆଡ଼ା ଜମାଇଥିବା ଦୁର୍ଦାନ୍ତ ଅପରାଧୀମାନଙ୍କୁ ମଧ୍ୟ ଏନ୍‌କାଉଣ୍ଟର କରାଯାଉଥିଲା। ଫଳରେ ଅପରାଧୀମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଥିଲା। ବିଗତ ବର୍ଷରେ କମିସନରେଟ ପୁଲିସ ଧଳ ସାମନ୍ତ ବ୍ରଦର୍ସ, ୟନିସ ଖାନ, ସାନା ରାଜା, ପପୁ ବିହାରୀ ଭଳି ରାଜ୍ୟ ବାହାରର ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ୨୦୦୮ରୁ ୨୦୧୨ ମସିହା ମଧ୍ୟରେ କମିସନରେଟ ପୁଲିସ ପକ୍ଷରୁ ୧୨ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଥିଲା। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି, ୩ବର୍ଷ ହେବ କମିସନରେଟ ପୁଲିସ ଏନ୍‌କାଉଣ୍ଟର କ’ଣ ଏକପ୍ରକାର ଭୁଲି ଯାଇଛି। ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ପୁଲିସ ଦୁର୍ଦାନ୍ତ ଅପରାଧୀମାନଙ୍କୁ ଏନ୍‌କାଉଣ୍ଟର ଜାରି ରଖିଛନ୍ତି। ଫଳରେ ଅପରାଧୀମାନେ ଏବେ ରାଜଧାନୀମୁହାଁ ହୋଇଛନ୍ତି।

ଏମାନଙ୍କୁ ମଧ୍ୟ ଦିଆଯାଇପାରେ ଦାୟିତ୍ବ

ନିର୍ବାଚନ ପୂର୍ବରୁ ପୁଲିସ ବିଭାଗରେ ହୋଇଥିବା ଅଦଳବଦଳ ପରେ ରାଜଧାନୀରେ ‌‌ସ୍ପେସାଲ ସ୍କ୍ବାଡ ଅଧିକାରୀ ପଦ ଖାଲି ପଡ଼ିଥିଲା। ତେବେ ଗଞ୍ଜାମରୁ ଆସିଥିବା ଇନ୍ସପେକ୍ଟର ଆଲୋକ ଜେନା କମିସନରେଟ ପୁଲିସରେ ଯୋଗ ଦେଇଥିଲେ। ଆଶା କରାଯାଉଥିଲା, ତାଙ୍କୁ ସ୍ପେସାଲ ସ୍କ୍ବାଡ ଅଧିକାରୀ ଭାବେ ନିଯୁକ୍ତ ମିଳିବ। କିନ୍ତୁ ତାଙ୍କୁ ଟ୍ରାଫିକ ଥାନା ପ୍ରଦାନ କରାଯାଇଥିଲା। ଏଥିରେ ସେ ଅସନ୍ତୋଷ ବ୍ୟକ୍ତ କରିବାରୁ ପରଦିନ ତାଙ୍କର ବଦଳି କ୍ରାଇମ ବ୍ରାଞ୍ଚର ଏସଟିଏଫକୁ ହୋଇଥିଲା। ଫଳରେ ପୁଣିଥରେ କିଏ ସ୍ପେସାଲ ସ୍କ୍ବାଡ ଦାୟିତ୍ବ ନେବେ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କାରଣ ଏବେ ବି କେତେକ ଟାଣୁଆ ପୁଲିସ ଅଧିକାରୀ ଅଛନ୍ତି, ଯେଉଁମାନଙ୍କର ସ୍ପେସାଲ ସ୍କ୍ବାଡ ଭଳି ଗୁରୁତ୍ବପୂର୍ଣ୍ଣ ସଂସ୍ଥାରେ କାମ କରିବାର ଅଭିଜ୍ଞତା ରହିଛି। କମିସନରେଟ ମୁଖ୍ୟାଳୟରେ ଥିବା ଏସିପି ସତ୍ୟଜିତ ମିଶ୍ର, କ୍ୟାପିଟାଲ ଥାନା ଇନ୍ସପେକ୍ଟର ଗିରିଜା ଚକ୍ରବର୍ତ୍ତୀ, ଖାରବେଳନଗର ଥାନା ଇନ୍ସପେକ୍ଟର ବିଶ୍ବରଂଜନ ସେନାପତି ଓ ନଖରା ଟ୍ରାଫିକ ଥାନା ଇନ୍ସପେକ୍ଟର ଆକାଶ ରଣା ପ୍ରମୁଖ ସ୍ପେସାଲ ସ୍କ୍ବାଡ ଦାୟିତ୍ବ ଦେଇ ସୁଚାରୁରୂ‌ପେ ସମ୍ପାଦନ କରିପାରିବେ ବୋଲି କମିସନେରଟ ପୁଲିସର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର