ଗଙ୍ଗୁଆ ନାଳରୁ ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ : ଭୋଜି ଖାଇବାକୁ ଡାକି ମାରିଦେଲେ!

ଭୁବନେଶ୍ବର : ଆଜି ସକାଳେ ମଞ୍ଚେଶ୍ବର ଥାନା ଅଧୀନ ଗଙ୍ଗୁଆ ନାଳରୁ ପୁଲିସ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ନାଁ ରାଜେଶ ଭଦ୍ରା। ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ପହଣାରେ। ଏଠାରେ ସେ ସତ୍ୟବିହାରରେ ଭଡ଼ାରେ ରହୁଥିଲେ। ପଳାସୁଣୀ ନିକଟରେ ଥିବା ତାଙ୍କ ବାପାଙ୍କ ପରିବା ଦୋକାନରେ ସେ ସହଯୋଗ କରୁଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତେବେ ରାଜେଶଙ୍କ ଏଭଳି ମୃତ୍ୟୁକୁ ସହଜରରେ ଗ୍ରହଣ କରି ପାରି ନାହାନ୍ତି ତାଙ୍କ ପରିବାର ଲୋକ। କହିଛନ୍ତି ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି। କିନ୍ତୁ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ମୃତ୍ୟୁର କାରଣ ନେଇ ସ୍ପଷ୍ଟ ହେବ ବୋଲି ମଞ୍ଚେଶ୍ବର ଥାନା ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ମଧ୍ୟ ହତ୍ୟା ଦିଗରେ ଅନୁସନ୍ଧାନ କରାଯାଉଛି ବୋଲି ଇନ୍ସପେକ୍ଟର ଶ୍ରୀ ମିଶ୍ର କହିଛନ୍ତି। ୩ ଦିନ ତଳୁ ରାଜେଶ ଘରୁ ନିଖୋଜ ଥିଲେ। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ମୃତ ରାଜେଶଙ୍କ ସମ୍ପର୍କୀୟ ଭାଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ରାଜେଶ ଘରେ କହିଥିଲେ, ଚକେଇସିଆଣୀ ଅଞ୍ଚଳରେ ଭୋଜି ଅଛି ସେ ଖାଇବାକୁ ଯିବେ। ଏହା ପରେ ବିକ୍ରମ ମଲ୍ଲିକ ଓରଫ ରାଜୁ ନାମକ ଜଣେ ଯୁବକ ତାଙ୍କୁ ଏକ ବାଇକ୍‌ରେ ଭୋଜି ଖାଇବାକୁ ନେଇ ଯାଇଥିଲେ। ସଂଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ରାଜେଶ ଘର ଲୋକଙ୍କ ସହିତ କଥା ହୋଇଥିଲେ। କିନ୍ତୁ ରାତି ୧୨ଟାବେଳେ ରାଜେଶଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇ ଯାଇଥିଲା। ପରଦିନ ମଧ୍ୟ ରାଜେଶ ଘରକୁ ଆସି ନ ଥିଲେ। ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ରବିବାର ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରି ଏକ ମିସିଂ କେସ କରିଥିଲା। କିନ୍ତୁ ଆଜି ସକାଳୁ ଗଙ୍ଗୁଆ ନାଳରେ ଏକ ମୃତଦେହ ଭାସୁଥିବା ଦେଖି ଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ମୃତଦେହକୁ ଜବତ କରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ରାଜେଶଙ୍କ ବାପା ପୁଅକୁ ଚିହ୍ନଟ କରି ପାରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ମୃତ ରାଜେଶଙ୍କ ପରିବାର ଲୋକ କହିଛନ୍ତି କି ପରଦିନ ସେମାନେ ଚକେଇସିଆଣୀ ଯାଇ ବିକ୍ରମକୁ ଖୋଜାଖୋଜି କରିଥିଲେ। କିନ୍ତୁ ବିକ୍ରମ ସେଠାରେ ନ ଥିଲା। ତାର ମୋବାଇଲ୍ ଫୋନ ମଧ୍ୟ ବନ୍ଦ ଥିଲା। ଏହା ଛଡ଼ା ସପ୍ତାହକ ତଳେ ବିକ୍ରମ ସହିତ ରାଜେଶର ଝଗଡ଼ା ହୋଇଥିଲା। ପୁରୁଣା ଭୁବନେଶ୍ବର ଅଞ୍ଚଳର କିଛି ଯୁବକ ରାଜେଶଙ୍କୁ ଆକ୍ରମଣ କରିଥିଲେ। ବିକ୍ରମ ଓ ତାର ସହଯୋଗୀମାନେ ମିଳିମିଶି ରାଜେଶଙ୍କୁ ହତ୍ୟା କରି ଥାଇ ପାରନ୍ତି ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି। କାରଣ ଗତକାଲି ରାଜେଶଙ୍କ ପରିବାର ଲୋକ ଚକେଇସିଆଣୀ ଅଞ୍ଚଳରେ ପଚରାଉଚରା କରିବାବେଳେ ବିଳମ୍ବିତ ରାତିରେ ବିକ୍ରମ ଏକ ଅଟୋରେ ରାଜେଶଙ୍କୁ ବସାଇ କେଉଁଆଡ଼େ ନେଉଥିଲା। ପଚରାଉଚରା ବେଳେ କହିଲେ, ପୁତୁରା ଦେହ ଖରାପ ଅଛି, ସେ ଚେତା ହରାଇଛି ତେଣୁ ତାକୁ ହାଇଟେକ ହସ୍ପିଟାଲ ନେଉଛୁ। ଏହି ସବୁ କଥା ମୃତ ରାଜେଙ୍କ ପରିବାର ଲୋକଙ୍କୁ ସନ୍ଦେହରେ ପକାଇଛି।

ଏ ନେଇ ମଞ୍ଚେଶ୍ବର ଥାନା ଇନ୍ସ‌େପେକ୍ଟର ଶ୍ରୀ ମିଶ୍ର କହିଛନ୍ତି, ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ପୁଲିସ ଚକେଇସିଆଣୀ ଯାଇ ବିକ୍ରମକୁ ଖୋଜାଖୋଜି କରିଥିଲା। କିନ୍ତୁ ତାର ପତ୍ତା ମିଳୁନାହିଁ। ତାର ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ରହିଛି। ବିକ୍ରମ ଧରା ହେଲେ ଘଟଣା ଉପରୁ ରହସ୍ୟ ଉଠି ପାରିବ ବୋଲି ଇନ୍ସପେକ୍ଟର ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ରାଉନ୍‌ସୁଗାର ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର