ପ୍ଲାଷ୍ଟିକ୍‌ ବର୍ଜନ କର, ପରିବେଶ ଧର୍ମୀ ହୁଅ

ଭୁବନେଶ୍ୱର : ଦିନେ ପ୍ଲାଷ୍ଟିକ୍‌ର ଉଦ୍ଭାବକଙ୍କୁ ନୋବେଲ୍‌ ପୁରସ୍କାର ମିଳିଥିବା ବେଳେ ଆଜି ସେଇ ପ୍ଲାଷ୍ଟିକ୍‌ ଅଭିଶାପରେ ପରିଣତ ହୋଇଛି। ପ୍ରତ୍ୟେକ ବର୍ଷ ବିଶ୍ୱରେ ୩୦୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ଉତ୍ପାଦିତ ହେଉଛି। ଅଥଚ ଏହାର ମାତ୍ର ୧୦ ପ୍ରତିଶତ ପୁନଃଚକ୍ରଣ ମାଧ୍ୟମରେ ପୁନଃ ବ୍ୟବହାର ହେଉଛି। ଅବଶିଷ୍ଟ ବର୍ଜ୍ୟବସ୍ତୁ ଭାବେ ପରିବେଶ ପାଇଁ ସମସ୍ୟା ସୃଷ୍ଟି କରୁଛି। ଓଡ଼ିଶା ପରିବେଶ ସମିତି ଆନୁକୂଲ୍ୟରେ ସମିତି ପରିସରରେ ଆୟୋଜିତ ‘ପରିବେଶ ଧର୍ମୀ ହୁଅ, ପ୍ଲାଷ୍ଟିକ୍‌ ବର୍ଜନ କର’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିବୃନ୍ଦ ଏପରି ମତ ପୋଷଣ କରିଛନ୍ତି।

ସମିତିର ସଭାପତି ଡ.ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶ ଶିକ୍ଷା କେନ୍ଦ୍ରର ନିର୍ଦେଶକ ଡ.ଆଶୁତୋଷ ଦେବତା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ୨୦୫୦ ମସିହା ବେଳକୁ ସମୁଦ୍ରରେ ମାଛର ପରିମାଣ ଯେତିକି ହୋଇଥିବ ତା’ଠୁ ପ୍ଲାଷ୍ଟିକର ପରିମାଣ ଅଧିକ ହୋଇଯାଇଥିବ। ସେହିପରି ୨୦୫୦ ମସିହା ବେଳକୁ ୧୨ଶହ ଟନ୍‌ ପ୍ଲାଷ୍ଟିକ୍‌ ମୃତ୍ତିକା ମଧ୍ୟରେ ପୋତି ହୋଇ ରହିଥିବ। ଏହି ପରିପ୍ରେକ୍ଷୀରେ ଏକ ଭୁବନେଶ୍ୱରର ଏକ ଷଣ୍ଢର ପାକସ୍ଥଳୀରୁ ୪୦କେଜିରୁ ଊର୍ଧ୍ୱ ପ୍ଲାଷ୍ଟିକ୍‌ ବର୍ଜ୍ୟ ବାହାରିବା ପ୍ରସଙ୍ଗ ଉଠାଇବା ସହ କହିଲେ, ଏଥିପାଇଁ ଜନ ସଚେତନତା ଏବଂ ଇକୋ କ୍ଲବ୍‌ ମାଧ୍ୟମରେ ଏ ଦିଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନର ଆବଶ୍ୟକତା ରହିଛି ବୋଲି କହିଥିଲେ। ପ୍ରାରମ୍ଭରେ ସମିତିର ସମ୍ପାଦକ ଡ.ଜୟକୃଷ୍ଣ ପାଣିଗ୍ରାହୀ ଆଲୋଚ୍ୟ ବିଷୟ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖିଥିବା ବେଳେ ଶେଷରେ ଉପସଭାପତି ଡ.ଲାଲା ଏକେ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର