ପୂଜା ଆଡ଼ମ୍ବରରେ କଣ୍ଟା ହେଉଛି ଆର୍ଥିକ ମାନ୍ଦାବସ୍ଥା, ଏଥର ସାହା ଓଲିଉଡ୍‌ ଶିଳ୍ପୀ

ଦାନ ଦେବାକୁ କୁନ୍ଥକୁନ୍ଥ

ଭୁବନେଶ୍ବର: ପୂଜା ପାଇଁ ଯିଏ ସ୍ବତଃ ମନ ଖୋଲି ଦାନ ଦେଉଥିଲେ, ଏବେ ତାଙ୍କ ପାଖେ ପହଞ୍ଚିବା କ୍ଷଣି ସେମାନେ ହାତ ଯୋଡ଼ି ଦେଉଛନ୍ତି। ସାଂସ୍କୃତିକ ମଂଚରେ ଯେଉଁ ପୂଜାନୁଷ୍ଠାନ ବଲିଉଡ୍‌ ଶିଳ୍ପୀଙ୍କୁ ନେଇ କାର୍ଯ୍ୟକ୍ରମ କରୁଥିଲେ, ଏଥର ସେମାନେ ଓଡ଼ିଆ କଣ୍ଠଶିଳ୍ପୀଙ୍କୁ ନେଇ କାମ ଚଳେଇଦେବାକୁ ମନସ୍ଥ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଏଥର ପୂଜା କମିଟିକୁ ବି ଭୋଗିବାକୁ ପଡ଼ିଛି। ପୃଷ୍ଠପୋଷକ ମୁହଁ ମୋଡ଼ୁଥିବା ଦେଖି ବିଭିନ୍ନ ଖର୍ଚ ପାଇଁ ବଇନା ଦେଇ ସାରିଥିବା ପୂଜା କମିଟି ସଦସ୍ୟଙ୍କ ଚିନ୍ତା ବଢ଼ି ଯାଇଛି।

କିଏ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥିର କରିଥିବା ବଜେଟ୍‌ରେ କାଣ୍ଟ୍‌ଛାଟ୍‌ କରିଛି ତ କିଏ ଆଲୁଅ ତୋରଣ କମେଇ ଦେଇଛି। ଖାଲି ସେତିକି ନୁହେଁ, ତୋରଣ ପରେ ଭସାଣିରେ ଅଧିକ ଖର୍ଚ କରୁଥିବା ପୂଜା କମିଟି ମଧ୍ୟ ଏଥର ଆଉ ଅଧିକ ସଂଖ୍ୟାରେ ପାରମ୍ପରିକ କଳାକାରଙ୍କୁ ଡାକିବେ ନାହିଁ ବୋଲି କହିଛନ୍ତି। ଷ୍ଟେସନ୍‌ ବଜାର ପୂଜା କମିଟି ସମ୍ପାଦକ ଦୀପକ ଜେନା କହିଛନ୍ତି, ୧୮ବର୍ଷ ହେଲା ଆମକୁ ଯେଉଁ ବ୍ୟାବସାୟିକ ସଂସ୍ଥା ସବୁଠୁ ଅଧିକ ଦାନ ଦେଇ ଆସୁଥିଲେ, ଚଳିତ ବର୍ଷ ସେ ନିଜ ତରଫରୁ ହାତ ଟେକି ଦେଇଛନ୍ତି। ୩ ଲକ୍ଷ ଜାଗାରେ ୩୦ ହଜାର ଟଙ୍କା ଦେବା କଥା ଶୁଣାଇ ଦେଇଛନ୍ତି। ବିଲ୍‌ଡରମାନେ ହାତ ବାନ୍ଧି ବସିଥିବାରୁ ତାଙ୍କୁ ମାଗିବାକୁ ଗଲେ ସେମାନେ ଟଙ୍କା କାଢ଼ିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ସଭାପତି ଓ ସମ୍ପାଦକ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ହୋଇଛି। ଦାନ ମିଳୁ ନଥିବାରୁ ଚାପ ପୂଜା କମିଟି ସଦସ୍ୟମାନଙ୍କ ଉପରେ ବି ପଡ଼ିଛି। ବଜେଟ୍‌ ଆମର ୪୦ରୁ ୪୫ଲକ୍ଷ ଟଙ୍କା ରହୁଥିଲେ ହେଁ ଏ ବର୍ଷ ଦାନ ୩୦ଲକ୍ଷ ଛୁଇଁବ କି ନାହିଁ ସେନେଇ ଆମେ ଚିନ୍ତାରେ ପଡ଼ିଛୁ। ଏଣେ ୫ମାସ ଆଗରୁ ଖର୍ଚ ପାଇଁ ବଇନା ଦେଇ ସାରି ଥିବାରୁ କ’ଣ କରିବୁ ଚିନ୍ତା ବଢ଼ିଗଲାଣି ବୋଲି ଶ୍ରୀ ଜେନା କହିଛନ୍ତି।

ସହିଦନଗର ପୂଜା କମିଟିର ସମ୍ପାଦକ ନାରାୟଣ ମହାପାତ୍ରଙ୍କ କହିବା ମୁତାବକ, ଶ୍ରମିକଙ୍କ ମଜୁରି ବର୍ଷାନୁକ୍ରମେ ବଢ଼ି ଚାଲିଥିବାରୁ ତାହା ମୁଣ୍ଡ ବିନ୍ଧା ପାଲଟିଛି। ଗୋଟିଏ ପଟେ ଖର୍ଚ ବଢ଼ିବାରେ ଲାଗିଛି, ଅନ୍ୟ ପଟେ ଦାନ ଦେଉଥିବା ଲୋକେ ଓ ବ୍ୟବସାୟୀମାନେ ଏଥର ଦାନ ଦେବା ବେଳେ ମୁହଁ ମୋଡ଼ୁଥିବାରୁ ଆମେ ସାଂସ୍କୃତିକ କାର୍ଯ୍ୟକ୍ରମରେ କାଣ୍ଟ୍‌ଛାଟ୍‌ କରିଛୁ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବାହାରୁ କଳାକାର ଆଣୁଥିବାରୁ ପାଖାପାଖି ୬ଲକ୍ଷ ଟଙ୍କା ଖର୍ଚ ହୋଇଯାଏ। ମାତ୍ର ଚଳିତ ବର୍ଷ ସାଂସ୍କୃତିକ ବଜେଟ୍‌ ୩ ଲକ୍ଷ ଟଙ୍କା ଭିତରେ ସୀମିତ ରଖିଛୁ। ନୂଆପଲ୍ଲୀ ଦୁର୍ଗାପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରାଙ୍କ କହିବା ଅନୁଯାୟୀ, ଲୋକଙ୍କ ସାହାଯ୍ୟ ସହଯୋଗରେ ହିଁ ପୂଜା ଅନୁଷ୍ଠିତ ହୁଏ। ମାତ୍ର ଏଥର ନିର୍ଧାରିତ ବଜେଟ୍‌କୁ ଆମେ ଛୁଇଁପାରିବୁ କି ନାହିଁ ସେନେଇ ସନ୍ଦେହରେ ପଡ଼ିଛୁ।
ଦୁର୍ଗାପୂଜା ରାଜଧାନୀର ପ୍ରମୁଖ ପୂଜା ହୋଇଥିବାରୁ ଅନ୍ତତଃ ବଜେଟ୍‌ରେ କାଣ୍ଟ୍‌ଛାଟ୍‌ କରାଯାଏ ନାହିଁ। ଏଥିପାଇଁ ଖର୍ଚ ବାବଦ ଅର୍ଥ ବି ବଦାନ୍ୟ ବ୍ୟକ୍ତିଙ୍କଠାରୁ ମିଳିଯାଏ। ମାତ୍ର ଏଥର ନିର୍ଧାରିତ ବଜେଟ୍‌କୁ ଛୁଇଁବାକୁ ଥଳକୂଳ ପାଉନାହାନ୍ତି ପୂଜା କମିଟି ସଦସ୍ୟ। ସହର ଓ ଉପକଣ୍ଠରେ ଚଳିତବର୍ଷ ୧୬୫ଟି ପୂଜା ମଣ୍ଡପରେ ମା’ ପୂଜା ପାଇବାକୁ ଯାଉଥିବା ବେଳେ ସବୁ ପୂଜା କମିଟିର ଚିନ୍ତା, ଟଙ୍କା କୋଉଠୁ ଆସିବ? ଆଗରୁ ବଦାନ୍ୟ ବ୍ୟକ୍ତିଙ୍କ ହାତ ଲମ୍ବି ଯାଉଥିବାରୁ ଚିନ୍ତା ନଥିଲା, କିନ୍ତୁ ଏଥର ନିଜ ଉପରେ ପଡ଼ିଥିବାରୁ ମୁଣ୍ଡ ଘୂରି ଯାଉଛି।

ସମ୍ବନ୍ଧିତ ଖବର