ମା’ ନିଜ ପୁଅକୁ ନାରୀକୁ ସମ୍ମାନ ଦେବା ଶିଖାନ୍ତୁ: ନୀନା ଗୁପ୍ତା

ବିଗତ ଦିନ ଅପେକ୍ଷା ଏବେ ମହିଳାଙ୍କ କ୍ଷେତ୍ରରେ ବିଶେଷ ପରିବର୍ତନ ହୋଇନାହିଁ ବରଂ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ଆଜିର ସମୟରେ ମହିଳମାନେ ବହୁତ ସଂଖ୍ୟାରେ କାମ କରିବା ପାଇଁ ଆଗେଇ ଆସିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ପରିବାର ଚଳାଇବାଠାରୁ ଆରମ୍ଭ କରି ଅଫିସ୍ ଦେଖିବାକୁ ପଡ଼ୁଛି। ମହିଳାମାନଙ୍କୁ ଶୋଷଣରୁ ରକ୍ଷା ପାଇବାକୁ ହେଲେ ମା’ମାନେ ପ୍ରଥମେ ନିଜ ପୁଅକୁ ନାରୀକୁ ସମ୍ମାନ ଦେବା ଶିଖାନ୍ତୁ। ଯାହାଫଳରେ ଆଗାମୀ ପିଢ଼ିରେ ଆସିବାକୁ ଥିବା ପୁରୁଷମାନେ ଆଜିର ପୁରୁଷଙ୍କଠାରୁ ଭିନ୍ନ ହୋଇପାରିବେ ବୋଲି କହିଛନ୍ତି ବିଶିଷ୍ଟ ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା। ‘ସମ୍ବାଦ’ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସହିତ ଆଲୋଚନା ସମୟରେ ନୀନା କହିଥିଲେ, ମହିଳାମାନେ ସ୍ବାମୀ ହେଉ ବା ଭାଇ କିମ୍ବା ପରିବାର ଉପରେ ନିର୍ଭରଶୀଳ ନ ହୋଇ ନିଜେ କିଭଳି ଉପାର୍ଜନକ୍ଷମ ହୋଇପାରିବେ ତାହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଏହା ସମ୍ଭବ ହେଲେ ସେମାନେ ସ୍ବାଧୀନ ଭାବେ ବଞ୍ଚିପାରିବେ। ମହିଳାଙ୍କ ସଂପୂର୍ଣ୍ଣ ଜୀବନ ପୁରୁଷ ଚାରିପାଖରେ ଘୂରି ବୁଲିଥାଏ। ପୁରୁଷ କିଭଳି ତାଙ୍କପ୍ରତି ଆକୃଷ୍ଟ ହେବେ ସେଥିପାଇଁ ମହିଳାଟିଏ ପତଳା ହେବାଠାରୁ ଆରମ୍ଭ କରି ସଜେଇ ହେବାକୁ ଚେଷ୍ଟା କରିଥାଏ। କିନ୍ତୁ ଚନ୍ଦା, ପେଟ ବାହାରିଥିଲେ ମଧ୍ୟ ପୁରୁଷକୁ କେହି ସେଭଳି ଦୃଷ୍ଟିରେ ଦେଖି ନ ଥାନ୍ତି। ମାତ୍ର ଏସବୁରେ ଏବେ ପରିବର୍ତନ ଆସିଛି। ନାରୀଟିଏ ଆଜି ନିଜର ବୟଫ୍ରେଣ୍ଡ କିମ୍ବା ସ୍ବାମୀ ଅପେକ୍ଷା ମହିଳା ସାଥୀଙ୍କ ସହିତ ବୁଲାବୁଲି କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଅନେକ ମହିଳା ଗ୍ୟାଙ୍ଗ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଅଭିନୟ ଦୁନିଆକୁ କିଭଳି ଆସିଲେ ବୋଲି ପ୍ରଶ୍ନର ଉତ୍ତରରେ ନୀନା କହିଥିଲେ, ଛୋଟ ବେଳେ ଡେଙ୍ଗା ଥିବାରୁ ସ୍କୁଲରେ ମତେ ସବୁବେଳେ ପୁରୁଷଙ୍କ ଅଭିନୟ କରିବାକୁ ଦିଆଯାଉଥିଲା। ମୁଁ ଏହାଠାରୁ ଅଧିକ ଭଲ କରିପାରିବ ବୋଲି ଭାବୁଥିଲେ ହେଁ ଲାଜକୁଳା ସ୍ବଭାବର ହୋଇଥିବାରୁ ଏହାକୁ ପ୍ରକାଶ କରିପାରୁ ନ ଥିଲି। ଅଭିନୟ ପ୍ରତି ଦୁର୍ବଳତା ଥିବାରୁ ଏନ୍‌ଏସ୍‌ଡିରେ ଯୋଗ ଦେଇଥିଲି। ପିତାମାତା ଏହାକୁ ବିରୋଧ କରୁଥିଲେ। ମୁଁ ଆଇଏଏସ ହୁଏ ବୋଲି ମା’ ଚାହୁଁଥିଲେ। ଶେଷରେ ବଲିଉଡ୍‌ରେ ପାଦ ଥାପିଥିଲି। ଝିଅ ମସାବା ସଂପର୍କରେ ସେ କହିଥିଲେ ଯେ, କାମ କରିବା ପାଇଁ ସେ ହିଁ ପ୍ରେରଣା ଦେଇ ଆସିଛି। ଅନେକ ସମୟରେ ତା’ଠାରୁ ମୁଁ ଉପଦେଶ ନେଇଥାଏ। ଆଗକୁ ସେ ନିଜକୁ ଏକ ସଫଳ ଉଦ୍ୟୋଗପତି ହିସାବରେ ଦେଖିବାକୁ ଚାହୁଁଥିବା ନୀନା କହିଥିଲେ।

ମହିଳାଙ୍କୁ ସ୍ବାଧୀନତା ଦିଆଯିବା ଦରକାର
ଆଜିର ସମୟରେ ପୁରୁଷଙ୍କ ସହିତ ସମକକ୍ଷ ହୋଇ ମହିଳା ଠିଆ ‌ହୋଇପାରିଛନ୍ତି। ପୂର୍ବରୁ ଯେଉଁ କ୍ଷେତ୍ରରେ ପୁରୁଷମାନଙ୍କ ଦବ୍‌ଦବା ରହିଥିଲା ସେଠାରେ ଏବେ ମହିଳା କାର୍ଯ୍ୟ କରିବାକୁ ଆରମ୍ଭ କଲେଣି। ମହିଳାଙ୍କୁ ଆଗକୁ ବଢ଼ିବାକୁ ହେଲେ ପରିବାରର ସମର୍ଥନ ଏକାନ୍ତ ଆବଶ୍ୟକ। ମହିଳାଙ୍କୁ ଅଧିକ ସ୍ବାଧୀନତା ଦିଆଯିବା ଦରକାର ବୋଲି ମତ ପ୍ରକାଶ ପାଇଛି। ‘ଅନନ୍ୟା’ର ଦ୍ବିତୀୟ ଅଧିବେଶନରେ ଫ୍ଲୋରାଙ୍କ ସହିତ ଆଲୋଚନା କରିଥିଲେ ବିଜେପି ଯୁବ ସଂଯୋଜିକା ଉପାସନା ମହାପାତ୍ର, ମେଟ୍ରୋ ବିଲ୍ଡର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶିକା ସୋଫିଆ ଫିର୍ଦୋସ୍ ଓ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ। ଉପାସନା କହିଥିଲେ, ବାପା ହିଁ ଆଗକୁ ଆସିବାର ପ୍ରେରଣା ଯୋଗାଇଥିଲେ। ବାପା ଚାଲିଯିବା ପରେ ରାଜନୀତିକୁ ଆସିବା ପରେ ମଧ୍ୟ ଲୋକମାନେ ଗୁରୁତ୍ବ ଦେଉ ନ ଥିଲେ। ଏଥିପାଇଁ ଯଥେଷ୍ଟ ସଂଘର୍ଷ କରିବାକୁ ପଡ଼ିଛି। ନିଜକୁ ପ୍ରମାଣିତ କରିବା ପାଇଁ ପ୍ରତ୍ୟେକ ଦିନ ବହୁ କଷ୍ଟ କରିବାକୁ ପଡ଼ିଛି। ଆଗାମୀ ଦିନରେ ବାପାଙ୍କ ଭଳି ହେବାକୁ ଚେଷ୍ଟା କରିବି। ବାପା ଲଢ଼ୁଥିବା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ସହିତ ଯେପରି ଜଣେ ହେଲେ ନାବାଳିକା ଅବହେଳିତ ନ ହେବ ‌ତାହା ଉପରେ ଗୁରୁତ୍ବ ଦେବି ବୋଲି ଉପାସନା କହିଥିଲେ। ସୋଫିଆ କହିଥିଲେ, ପିଲାଦିନୁ ହିଁ ବାପା ଉତ୍ସାହିତ କରି ଆସିଛନ୍ତି। ରିୟଲ ଇଷ୍ଟେଟ୍‌ରେ ଅଧିକାଂଶ ସମୟରେ ନିର୍ମାଣ ଚାଲିଥିବା ସ୍ଥାନ ଓ କାର୍ଯ୍ୟାଳୟରେ ରହିବାକୁ ପଡ଼ୁଥିବାରୁ ଶାଶୂଘର ଲୋକ ମଧ୍ୟ ବହୁତ ସହାୟତା କରିଆସୁଛନ୍ତି। ଯେଉଁ କ୍ଷେତ୍ରରେ ପୁରୁଷଙ୍କ ଅଧିକ ଦବ୍‌ଦବା ରହିଛି ବୋଲି କୁହାଯାଉଛି ତାହା ମନୁଷ୍ୟକୃତ। ତେଣୁ ମହିଳାମାନେ ସୁବିଧା ପରିସ୍ଥିତିରୁ ବାହାରି ଆଗକୁ ଆସି ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ଆଗାମୀ ୨୦ବର୍ଷ ଭିତ‌ରେ ଅଧିକରୁ ଅଧିକ ସୁଖୀ ଗ୍ରାହକ ସୃଷ୍ଟି କରିବା ସହିତ ରିୟଲ ଇଷ୍ଟେଟ୍‌ରେ ମହିଳାଙ୍କ ଦବ୍‌ଦବା ଦେଖିବାକୁ ଚାହିଁବି ବୋଲି ସୋଫିଆ କହିଥିଲେ। ଅନ୍ତରା କହିଥିଲେ, ସଂଗୀତ ସହିତ ଜଡ଼ିତ ଥିବା ପରିବାରରୁ ଆସିଥିବାରୁ ବହୁତ କମ୍ ବୟସରେ ପ୍ରଚ୍ଛଦପଟ ଗାୟିକା ହୋଇପାରିଥିଲି। ଯେ କୌଣସି କ୍ଷେତ୍ରରେ ତିଷ୍ଠି ରହିବା ପାଇଁ ପ୍ରତିଭାର ଆବଶ୍ୟକତା ରହିଛି। ପୂର୍ବରୁ କେହି ଏ କ୍ଷେତ୍ରରେ ଥିଲେ ତାହା ସାମୟିକ ଭାବେ ସହାୟକ ହୋଇପାରିଥାଏ। ମାତ୍ର ନିଜକୁ ପ୍ରମାଣିତ କରିବାକୁ ପଡ଼ିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କମ୍ ପାରିଶ୍ରମିକ ଦିଆଯାଉଥିବା ସଂପର୍କରେ ସେ କହିଥିଲେ ଯେ, ସଂଗୀତ ଶିଳ୍ପରେ ଏଭଳି ବାଛବିଚାର ନାହିଁ। ଏଠାରେ ଲୋକପ୍ରିୟ ଅନୁସାରେ ପାରିଶ୍ରମିକ ମିଳିଥାଏ। ସିନେମା କ୍ଷେତ୍ରରେ ହୁଏତ ଏହାକୁ ଦେଖିବାକୁ ମିଳିଥାଏ। ଏବେ ବଲିଉଡ୍‌ରେ ନିଜରେ ସଂଘର୍ଷ ଜାରି ରଖିଛି, ଆଗକୁ ବଲିଉଡ୍‌ରେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହିସାବରେ ନିଜକୁ ଦେଖିବାକୁ ଚାହେଁ ବୋଲି ଅନ୍ତରା କହିଥିଲେ।

ସମ୍ବନ୍ଧିତ ଖବର